ଆଜିଠାରୁ ୧୮ବର୍ଷରୁ ଉର୍ଦ୍ଧ୍ୱଙ୍କୁ ବୁଷ୍ଟର୍ ଡୋଜ
ନୂଆଦିଲ୍ଲୀ: ଆଜି ଠାରୁ ବେସରକାରୀ କେନ୍ଦ୍ରଗୁଡିକରେ ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କୋରୋନା ଟିକା ଯଥା ବୁଷ୍ଟର୍ ଡୋଜ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଯେଉଁମାନେ ଟିକାକରଣର ଦ୍ୱିତୀୟ ଡୋଜ ଗ୍ରହଣ କରିବାର ୯ ମାସ ପୂରଣ କରିଛନ୍ତି, ସେମାନେ ଯୋଗ୍ୟ ହେବେ । ସରକାରୀ ସୂତ୍ରରୁ ପ୍ରକାଶ ଯେ ଖୁବ୍ ଶୀଘ୍ର କୋୱିନ ୱେବସାଇଟରେ ଏଥିପାଇଁ ବୁକିଂ ସ୍ଲଟ୍ ମଧ୍ୟ ଆରମ୍ଭ ହେବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଟ୍ୱିଟରରେ କହିଛନ୍ତି ଯେ କୋରୋନା ବିରୋଧରେ ଲଢେଇ ବର୍ତ୍ତମାନ ଅଧିକ ଶକ୍ତିଶାଳୀ ହେବ ।
ଅପରପକ୍ଷରେ ଟିକା ନିର୍ମାତାକାରୀମାନେ କୋଭିଡ ଟିକାର ମୂଲ୍ୟ ହ୍ରାସ କରିବାକୁ ନିଷ୍ପତି ନେଇଛନ୍ତି । ଉଭୟ ଭାରତୀୟ ନିର୍ମିତ ସେରମ ଇନ୍ଷ୍ଟିଚ୍ୟୁଟ୍ ର କୋଭାଶିଲ୍ଡ ଏବଂ ଭାରତ ବାୟୋଟେକର କୋଭାକ୍ସିନ୍ ସୁବିଧା ମୂଲ୍ୟରେ ହସପିଲାଟଲରେ ଉପଲବ୍ଧ ହେବ । ଉଭୟ ଟିକାର ଦର ଡୋଜ୍ ପ୍ରତି ୨୨୫ ଟଙ୍କା ଧାର୍ଯ୍ୟ କରାଯାଇଛି । ତେବେ ପରିଚଳାନା ଗତ ପ୍ରୋସେସିଂ ଫି ବାବଦକୁ ହସପିଟାଲମାନେ ଅତିରିକ୍ତ ୧୫୦ ଟଙ୍କା ନେବେ । ପୂର୍ବରୁ ଏହାର ଦାମ୍ ୬୦୦ ଓ ୧୨୦୦ ଟଙ୍କା ଥିବା ବେଳେ ଏବେ ଏହା ହ୍ରାସ ହୋଇ ୨୨୫ ଟଙ୍କା ହୋଇଛି । ଦେଶରେ ଏପର୍ଯ୍ୟନ୍ତ ୧୫ବର୍ଷରୁ ଊର୍ଦ୍ଧ୍ୱ ଶ୍ରେଣୀର ଶତକଡା ୯୬ଭାଗ କୋଭିଡ-୧୯ ଟିକାର ଅନୂନ୍ୟ ଗୋଟିଏ ମାତ୍ରା ନେଇଥିବାବେଳେ, ଏହି ଶ୍ରେଣୀର ଶତକଡା ୮୩ଭାଗ ଉଭୟ ମାତ୍ରା ନେଇସାରିଛନ୍ତି । ୨ଦଶମିକ ୪କୋଟି ପ୍ରତିଷେଧକ ମାତ୍ରା ସ୍ୱାସ୍ଥ୍ୟସେବା କର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି ।
