ନିଜ ଅଞ୍ଚଳରେ ପୋଖରୀ ଖୋଳିବାରେ ଶ୍ରମ ଦାନ କରିବା ପାଇଁ ନେତା ଓ କାର୍ଯ୍ୟକର୍ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍
ନୂଆଦିଲ୍ଲୀ : ବିଜେପି ନେତା ଓ କାର୍ଯ୍ୟକର୍ତାମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପିଲ୍ । ମଙ୍ଗଳବାର ଆମ୍ବେଦକର ଭବନରେ ହୋଇଥିବା ବିଜେପି ସଂସଦୀୟ ଦଳ ବୈଠକରେ ନିଜ ନିଜ ଅଞ୍ଚଳରେ ପୋଖରୀ ଖୋଳିବାରେ ଶ୍ରମ ଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ସଂସଦୀୟ ଦଳ ବୈଠକରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମଧ୍ୟ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀ ଏପ୍ରିଲ ୭ତାରିଖରୁ ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ସାମାଜିକ ନ୍ୟାୟ ସପ୍ତାହ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଏବେ ତାପମାତ୍ରା ଧିରେ ଧିରେ ବଢ଼ୁଛି । ସେଥିପାଇଁ ଏବେ ଜଳ ସମସ୍ୟା ବଢ଼ିପାରେ । ସେଥିପାଇଁ ଆମ କାର୍ଯ୍ୟକର୍ତା ଓ ନେତାମାନେ ସେମାନଙ୍କ ଅଂଚଳରେ ଅଧିକରୁ ଅଧିକ ପୋଖରି ଖୋଳିବା ପାଇଁଶ୍ରମ ଦାନ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ସାମାଜିକ ନ୍ୟାୟ ସପ୍ତାହରେ ଅନେକ ପ୍ରକାର କାର୍ଯ୍ୟକ୍ରମ ହେବ ବୋଲି ପ୍ରହଲ୍ଲାଦଯୋଶୀ କହିଛନ୍ତି । ସେ କହିଛନ୍ତି ଗୋଟିଏ ଦିନ ଆମେ ଅଙ୍ଗନୱାଡ଼ିକୁ ଯିବୁ ଓ ଅନ୍ୟ ଏକ ଦିନ ପୋଖରୀ ସଫା କାମ ହେବ । ପ୍ରଧାନମନ୍ତ୍ରୀ ସମସ୍ତ ସାଂସଦଙ୍କୁ ମଧ୍ୟ ଏହି କାମ କରିବା ପାଇଁ କହିଛନ୍ତି । ଏହା ପୂର୍ବରୁ ସାଂସଦମାନଙ୍କୁ ସେମାନଙ୍କ ଅଂଚଳରେ ୧୫ଦିନ ସେବା କାମ କରିବା ପାଇଁ କୁହାଯାଇଥିଲା ।
ଡକ୍ଟର ଭିମରାଓ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି । ଏହି ଦିନ ପ୍ରଧାନମନ୍ତ୍ରୀ ବିଜେପିର କାର୍ଯ୍ୟକର୍ତାମାନଙ୍କୁ ସମ୍ବୋଧିତ କରିବେ । ଏହା ବ୍ୟତିତ ଏପ୍ରିଲ ୭ ରେ ଆୟୁଷ୍ମାନ ଭାରତ ଯୋଜନାରେ ଜନଔଷଧୀ କେନ୍ଦ୍ର କାର୍ଯ୍ୟକ୍ରମ ହେବ । ଏପ୍ରିଲ ୮ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଏପ୍ରିଲ ୯ରେ ହର ଘର ଜଲ ଓ ଏପ୍ରିଲ ୧୧ରେ ଯ୍ୟୋତିବା ଫୁଲେଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଜଣାପଡ଼ିଛି ।
