ଆଇପିଏଲ-୨୦୨୨ : ଆଜି ରାଜସ୍ଥାନ-ବାଙ୍ଗାଲୋର ମୁକାବିଲା
ନୂଆଦିଲ୍ଲୀ : ଆଇପିଏଲ-୨୦୨୨ରେ ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ ଖେଳାଯିବ। ଗୋଟିଏ ପଟେ ସଞ୍ଜୁ ସାମସନଙ୍କ ରାଜସ୍ଥାନ ସିଜନରେ ଏପର୍ୟ୍ୟନ୍ତ ଦୁଇଟି ମ୍ୟାଚ ଖେଳି ଉଭୟ ମ୍ୟାଚ୍ ଜିତିଛି। ଅନ୍ୟପକ୍ଷରେ, ଫାଫ ଡୁ ପ୍ଲେସିଙ୍କ ଆରସିବି ଏପର୍ୟ୍ୟନ୍ତ ଗୋଟିଏ ମ୍ୟାଚ୍ ଜିତି ଗୋଟିଏ ମ୍ୟାଚରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏହି ମ୍ୟାଚ ଜିତି ଉଭୟ ଦଳ ଟୁର୍ନାମେଣ୍ଟରେ ନିଜର ସ୍ଥାନ ସୁରକ୍ଷିତ କରିବା ପାଇଁ ଚେଷ୍ଟା କରିବେ। ତେବେ ଆଜିର ମ୍ୟାଚରେ ସମସ୍ତଙ୍କ ନଜର କାହାଉପରେ ରହିବ ପଢ଼ନ୍ତୁ ।
ରାଜସ୍ଥାନର ବିସ୍ଫୋରକ ଓପନର୍ ଜୋସ ବଟଲର୍ ଗତ ମ୍ୟାଚରେ ଏକ ଶତକ ହାସଲ କରି ଦଳ ଜିତିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ପୁଣିଥରେ ପ୍ରଶଂସକମାନେ ବଟଲରଙ୍କଠାରୁ ଏକ ଶକ୍ତିଶାଳୀ ଆରମ୍ଭ ଆଶା କରୁଛନ୍ତି । ଗତ ଅନେକ ସିଜିନରେ ନିଜ ବ୍ୟାଟ ସହ ମୈଦାନରେ ଆତଙ୍କ ସୃଷ୍ଟି କରିଥିବା ଦେବଦତ୍ତ ପାଡିକଲ ଏପର୍ୟ୍ୟନ୍ତ ଟୁର୍ନାମେଣ୍ଟରେ କିଛି ବିଶେଷ କରିପାରି ନାହାଁନ୍ତି। ସେ ଜଣେ ଯୁବ ଖେଳାଳି ଏବଂ ଟି -୨୦ ଫର୍ମାଟ ଦୃଷ୍ଟିରୁ ତାଙ୍କ ଚାଲିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହି ମ୍ୟାଚରେ ତାଙ୍କଠାରୁ ବଡ ଇନିଂସ ଆଶା କରାଯାଏ ।
ଏହି ମ୍ୟାଚରେ ସମସ୍ତ ଆଖି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ଫାଫ୍ ଡୁ ପ୍ଲେସିଙ୍କ ଉପରେ ରହିବ । ପ୍ରଥମ ମ୍ୟାଚ୍ରେ ସେ ଦ୍ରୁତ ଇନିଂସ ସହ ଦଳକୁ ଏକ ବଡ଼ ସ୍କୋରକୁ ନେଇଥିଲେ। ଯଦି ଆଜି ତାଙ୍କ ବ୍ୟାଟ୍ ଚାଲିବ, ତେବେ ଦଳ ମ୍ୟାଚ୍ ଜିତିପାରିବ । ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ପ୍ରଥମ ମ୍ୟାଚରେ ୪୧ ରନର ଅପରାଜିତ ଇନିଂସ ଖେଳିଥିଲେ। କିନ୍ତୁ ଦ୍ବିତୀୟ ମ୍ୟାଚରେ ସେ ମାତ୍ର ୧୨ ରନ୍ ସ୍କୋର କରିପାରିଥିଲେ। ଦୀର୍ଘ ସମୟ ଧରି କୋହଲିଙ୍କ ବ୍ୟାଟରୁ ଏକ ବଡ଼ ଇନିଂସ ଦେଖିବାକୁ ମିଳିନାହିଁ। ଏଭଳି ପରିସ୍ଥିତିରେ ସମସ୍ତଙ୍କ ଆଖି କୋହଲି ଉପରେ ମଧ୍ୟ ରହିବ।
