ବାଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଯାପିତ
ବାଲେଶ୍ୱର : ବାଲେଶ୍ୱର ସହର ଶୋଭାରାମପୁର ସ୍ଥିତ ବାଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଉଦ୍ଯାପିତ ହୋଇଯାଇଛି ।
ଅଧ୍ୟକ୍ଷ ଅନ୍ନଦା ପ୍ରସାଦ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତା ଇନସ୍ପେକ୍ଟର ରଶ୍ମିରେଖା ମହାଳିକ ଯୋଗଦେଇ ମହିଳା ସୁରକ୍ଷାର ବିଭିନ୍ନ ଆଇନ ତଥା ଛାତ୍ରୀମାନଙ୍କ ଆତ୍ମରକ୍ଷାର ଉପକାରିତା ସମ୍ପର୍କରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଫ୍ଲାଇଙ୍ଗ୍ ଅଫିସର୍ ଅଶୋକ କୁମାର ଦାଶ, ସମାଜ ବିଜ୍ଞାନ ବିଭାଗର ଅଧ୍ୟାପିକା ଡ. ବନ୍ଦନା ବାରିକ, ଜୀବ ବିଜ୍ଞାନର ଡେମନ୍ଷ୍ଟ୍ରେଟର୍ ଦେବଯାନୀ ଦାସ ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଆଠ ଦିନ ଧରି ଏହି ଶିବିରରେ ଆତ୍ମରକ୍ଷାର କୌଶଳ ସବୁ ଶିକ୍ଷା ଦେଇ ମାଷ୍ଟର ଟ୍ରେନ୍ର୍ ଦେବସ୍ମିତା ଜେନା ନିଜର ଅନୁଭୂତି ବିଷୟରେ ବକ୍ତବ୍ୟ ରଖିଥିଲେ । ଶେଷରେ ସମସ୍ତ ଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା । ଇଂରାଜୀ ବିଭାଗର ଅଧ୍ୟାପକ ବ୍ରଜକିଶୋର ମଲ୍ଲିକ୍ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ଏହି ଶିବିରର କାର୍ଯ୍ୟକ୍ରମ ଅଧିକାରୀ ଗଣିତ ବିଭାଗର ଅଧ୍ୟାପିକା କବିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜକ ରସାୟନ ବିଜ୍ଞାନର ଡେମନ୍ଷ୍ଟ୍ରେଟର୍ ବିପିନ୍ ବିହାରୀ ଗିରି, ସାବିତ୍ରୀ ପତି, ବରେନ୍ ମହାପାତ୍ର, ପୁରୁଷୋତ୍ତମ ମୁଖି ପ୍ରମୁଖ ପରିଚାଳନା କରିଥିଲେ ।
