ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ! ସମୂହ ଇସ୍ତଫା ଦେଲେ କ୍ୟାବିନେଟ ମନ୍ତ୍ରୀ
କଲମ୍ବୋ : ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା । ସବୁଠୁ ବଡ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଶ୍ରୀଲଙ୍କାର କ୍ୟାବିନେଟ ମନ୍ତ୍ରୀମାନେ ରବିବାର ବିଳମ୍ବିତ ରାତିରେ ସମୂହ ଇସ୍ତଫା ଦେଇଛନ୍ତି। ସବୁ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମହିନ୍ଦା ରଜପାକ୍ଷେଙ୍କୁ ନିଜ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପୁଅ ନମଲ ରାଜପାକ୍ଷେ ମଧ୍ୟ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ।
ଦେଶର ଶିକ୍ଷା ମନ୍ତ୍ରୀ ତଥା ଗୃହର ନେତା ଦୀନେଶ ଗୁଣବର୍ଦ୍ଧନେ ଗଣମାଧ୍ୟମକୁ କହିଛନ୍ତି ଯେ ସମସ୍ତ ୨୬ କ୍ୟାବିନେଟ ମନ୍ତ୍ରୀ ନିଜ ଇସ୍ତଫା ପତ୍ର ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ନିକଟକୁ ପଠାଇ ଦେଇଛନ୍ତି। ସମୂହ ଇସ୍ତଫା ପାଇଁ ସେମାନେ କୌଣସି କାରଣ ଦର୍ଶାଇ ନାହାଁନ୍ତି । ତେବେ ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ଯୋଗୁଁ ଉତ୍ପନ୍ନ ଆର୍ଥିକ ସଙ୍କଟର ମୁକାବିଲାରେ ସରକାରଙ୍କ ଅପାରଗତା ପାଇଁ ଜନ ଅସନ୍ତୋଷ ସହ ମନ୍ତ୍ରୀମାନଙ୍କ ଉପରେ ମଧ୍ୟ ଚାପ ବୃଦ୍ଧି ପାଇଥିଲା ବୋଲି ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି। କର୍ଫ୍ୟୁ ସତ୍ତ୍ୱେ ରବିବାର ସନ୍ଧ୍ୟାରେ କଲମ୍ବୋରେ ସରକାରଙ୍କ ବିରୋଧରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭକାରୀ ମାନେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ଇସ୍ତଫା ଦାବି କରୁଛନ୍ତି।
ଏଭଳି ସ୍ଥିତିରେ ଶ୍ରୀଲଙ୍କାରେ ସର୍ବଦଳୀୟ ସରକାର ଗଠନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ସରକାରରେ ବିରୋଧୀ ଦଳର ନେତାଙ୍କୁ ମଧ୍ୟ ସାମିଲ କରାଯିବ । ଶେଷଟେ ଶ୍ରୀଲଙ୍କାରେ ଲାଗିଥିବା ୩୬ ଘଣ୍ଟିଆ କର୍ଫ୍ୟୁ ସକାଳ ୬ଟା ରେ ଶେଷ ହୋଇଛି । ସୋସିଆଲ ମିଡିଆକୁ ସଂପୂର୍ଣ୍ଣ ବ୍ୟାନ୍ କରାଯାଇଛି। ଶ୍ରୀଲଙ୍କବାସୀ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ। ସୋସିଆଲ ମିଡିଆ ଦ୍ବାରା ବିଭିନ୍ନ ପ୍ରକାରର ମିଥ୍ୟା ସୂଚନାର ପ୍ରସାର ହେବାର ଆଶଙ୍କା କରି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପରେ ଫେସବୁକ୍, ଟ୍ବିଟର, ଇନଷ୍ଟାଗ୍ରାମ ଏବଂ ଟିକ୍ଟକ୍କୁ ବ୍ୟାନ କରି ଦିଆଯାଇଛି । ଯାହାକୁ ଘୋର ବିରୋଧ କରିଛନ୍ତି ବିରୋଧୀ ।
ଆର୍ଥିକ ସଙ୍କଟ ଯୋଗୁଁ ଶ୍ରୀଲଙ୍କାର ସ୍ଥିତି ଏବେ ପୂରା ଦୟନୀୟ । ଦେଶରେ ଖାଇବାକୁ ଖାଦ୍ୟ ନାହିଁ। ପିଇବାକୁ ପାଣି ନାହିଁ। ପେଟ୍ରୋଲ ଡିଜେଲ ପାଇଁ ଲମ୍ବା ଲାଇନ ଲାଗୁଛି। ଆର୍ଥିକ ସଙ୍କଟ ସହ ଲଢୁଥିବା ଶ୍ରୀଲଙ୍କା ଇନ୍ଧନ, ରୋଷେଇ ଗ୍ୟାସ ତଥା ଅନ୍ୟ ଆବଶ୍ୟକୀୟ ଜିନିଷ ପାଇଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜଧାନୀ କଲମ୍ବୋରେ ସମସ୍ତ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ଏବେ ସେନା ଛାଉଣି ପାଲଟିଯାଇଛି। ସେପଟେ ଶ୍ରୀଲଙ୍କାଙ୍କୁ ଭାରତ ସରକାର ୪୦ ହଜାର ଟନ୍ ଚାଉଳ, ୪୦ ହଜାର ମେଟ୍ରିକ୍ ଟନ୍ ଡିଜେଲ୍ ପଠାଇଛନ୍ତି ।
ସୂଚନା ଯେ, ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ସ୍ୱତନ୍ତ୍ର ଗେଜେଟ୍ ବିଜ୍ ବିଜ୍ଞପ୍ତି ପ୍ରକାଶ କରି ଏପ୍ରିଲ ୨ ତାରିଖରୁ ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ସରକାର ଶନିବାର ଶନିବାର ସନ୍ଧ୍ୟା ୬ ଟାରୁ ସୋମବାର (ଏପ୍ରିଲ ୪) ସକାଳ ୬ଟା ପର୍ଯ୍ୟନ୍ତ ୩୬ ଘଣ୍ଟିଆ କର୍ଫ୍ୟୁ ମଧ୍ୟ ଲାଗୁ କରିଥିଲେ ।
