ବଦଳିବ ପାଗ ! ତାତିରୁ ମିଳିପାରେ ଆଶ୍ୱସ୍ତି, ଆଜିଠୁ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ତାତିରେ ଛଟପଟ ଓଡିଶାବାସୀ। ଅସ୍ୱଭାବିକ ହେବାରେ ଲାଗିଛି ଜନ ଜୀବନ । ଖରା ଏପରି ହେଉଛି ଯେ, ଘରୁ ବାହାରକୁ ବାହାରିବା ମୁସ୍କିଲ୍ ହୋଇପଡ଼ୁଛି । ମାତ୍ର ଏବେ ପାଗରେ ପରିବର୍ତ୍ତନ ଆସିପାରେ। ଆଜିଠୁ ପାଗ ସାମାନ୍ୟ ବଦଳିବ। ୩ ଓ ୪ ତାରିଖରେ ରାଜ୍ୟର ତାପମାତ୍ରା ହ୍ରାସ ହେବ। ଏହାସହିତ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
୩ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ରାୟଗଡା, ଗଜପତି ଓ କୋରାପୁଟ ଆଦି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ୪ତାରିଖରେ ଉତ୍ତର ଓଡିଶା ସମେତ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସୂଚନା ଯେ, ଶନିବାର ରାଜ୍ୟର ୬ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ୪୧.୬ ଡିଗ୍ରୀ ସହିତ ଟିଟିଲାଗଡ଼ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଥିବା ବେଳେ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ତାପମାତ୍ରା ୪୦.୫ ଡିଗ୍ରୀ ରହିଛି । ସେହିପରି ସୋନପୁରରେ ତାପମାତ୍ରା ୪୦.୨, ବୌଦ୍ଧରେ ୪୦, ଭବାନୀପାଟଣାରେ ୩୯.୫, ଅନୁଗୋଳରେ ୩୯.୧, ବାରିପଦାରେ ୩୯, ଭୁବନେଶ୍ୱରରେ ୩୪.୯ ଡିଗ୍ରୀ ଏବଂ କଟକରେ ୩୪.୫ ଡିଗ୍ରୀ ତାପମାତ୍ରା ରହିଛି ।
