ରାଜ୍ୟରେ ବଢୁଛି ସଡ଼କ ଦୁର୍ଘଟଣା, ୨୦୨୧ରେ ଯାଇଛି ୫୦୮୧ ଜୀବନ
ଭୁବନେଶ୍ୱର : ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ସଡ଼କ ଦୁର୍ଘଟଣା । ଦୁର୍ଘଟଣା ଜନିତ ମୃତ୍ୟୁରେ ବି ଲାଗୁନି ବ୍ରେକ । ରାଜ୍ୟରେ ବୃଦ୍ଧି ପାଇଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା । ୨୦୨୦ ବର୍ଷ ତୁଳନାରେ ୨୦୨୧ରେ ୭.୨୪ ପ୍ରତିଶତ ଅଧିକ ସଡ଼କ ଦୁର୍ଘଟଣାରେ ଜୀବନ ଯାଇଛି । ଦୁର୍ଘଟଣା ଓ ଆକସ୍ମିକ ଦୁର୍ଘଟଣା କମାଇବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ । ଏ ନେଇ ସମସ୍ତ ଜିଲାପାଳ, ଏସପି, ଡିସିପି, ଟ୍ରାଫିକ ଡିସିପି ଓ ଆରଟିଓଙ୍କୁ ଚିଠି ଲେଖିଛନ୍ତି ସଚିବ । ଗୋଟିଏ ମାସ ପର୍ଯ୍ୟନ୍ତ ସ୍ପେଶାଲ ଏନଫୋର୍ସମେଣ୍ଟ ଡ୍ରାଇଭ୍ କାର୍ଯ୍ୟକାରୀ ପାଇଁ କଡା ତାଗିଦ କରିଛନ୍ତି ସଚିବ ।
୨୦୨୦ ବର୍ଷ ତୁଳନାରେ ୨୦୨୧ରେ ବଢିଛି ୭.୨୪ ପ୍ରତିଶତ ଦୁର୍ଘଟଣା ଜନିତ ମୃତ୍ୟୁ । ୨୦୨୧ରେ ୧୦, ୯୮୪ ଟି ସଡ଼କ ଦୁର୍ଘଟଣା ରିପୋର୍ଟ ହୋଇଛି । ସେଥିରୁ ୫୦୮୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୭୮୨ ଆହତ ହୋଇଛନ୍ତି । ରାଜ୍ୟରେ ୨୦୧୪ରେ ସଡ଼କ ଦୁର୍ଘଟଣାରେ ୩୯୩୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଯଦି ତଥ୍ୟକୁ ତର୍ଜମା କରାଯାଏ, ତେବେ ୨୦୧୪ ତୁଳନାରେ ୨୦୨୧ରେ ୨୯ ପ୍ରତିଶତ ମୃତ୍ୟୁ ସଂଖ୍ୟା ବଢିଛି । ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁକୁ ଅଧା କରିବା ଲାଗି ୨୦୨୦ରେ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
୨୦୨୦ ତୁଳନାରେ ୨୦୨୧ରେ ଗଜପତି, ଝାରସୁଗୁଡା, ବୌଦ୍ଧ ଓ ରାୟଗଡ଼ାରେ ମୃତ୍ୟୁ ସଂଖ୍ୟା ୨୫ ପ୍ରତିଶତରୁ ଅଧିକ ରହିଛି । ଗଜପତି ଜିଲ୍ଲାରେ ୨୦୨୦ରେ ୯୪ଟି ଦୁର୍ଘଟଣା ରିପୋର୍ଟ ହୋଇଥିଲା । ସେଥିରୁ ୪୩ ଜଣଙ୍କର ମୃତ୍ୟୁ ହୋଇଥିଲା । ୨୦୨୧ରେ ୧୨୫ ଦୁର୍ଘଟଣା ରିପୋର୍ଟ ହୋଇଥିବାବେଳେ ୫୭ ଜଣଙ୍କର ଜୀବନ ନେଇଛି ଦୁର୍ଘଟଣା । ଫଳରେ ଗଜପତି ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୨୦୨୦ ତୁଳନାରେ ୨୦୨୧ରେ ୩୨.୫୬ ପ୍ରତିଶତ ବୃଦ୍ଧି ଘଟିଛି । ସେହିପରି ୨୦୨୦ ତୁଳନାରେ ୨୦୨୧ ବର୍ଷରେ ଝାରସୁଗୁଡାରେ ୨୯.୦୩, ବୌଦ୍ଧରେ ୨୮.୫୭, ରାୟଗଡ଼ା ୨୬.୬୭ ପ୍ରତିଶତ ଅଧିକ ଜୀବନ ନେଇଛି ସଡ଼କ ଦୁର୍ଘଟଣା ।
ସେହିପରି ୨୦୨୧ରେ କେନ୍ଦୁଝର, ଗଞ୍ଜାମ, ସୁନ୍ଦରଗଡ, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, ଖୋର୍ଦ୍ଧା ଓ କଟକରେ ୨ ଶହରୁ ଅଧିକ ଲୋକଙ୍କର ଜୀବନ ଯାଇଛି । ଏହି ସବୁ ଜିଲ୍ଲାରେ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ରୋକ ଲଗାଇବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଜିଲ୍ଲାରେ କାହିଁକି ଦୁର୍ଘଟଣା ଘଟୁଛି ଓ ଏହାର ନିରାକରଣ ନେଇ କଣ ପଦକ୍ଷେପ ନେଇଛନ୍ତି ୧୫ ଦିନ ଭିତରେ ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ନିୟମିତ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଡାକି ଦୁର୍ଘଟଣା ରୋକ ନେଇ ସଚେତନତା ଓ ସୁରକ୍ଷା କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସଚିବ ।
