ଜଳୁଛି ଶିମିଳିପାଳ, ବିପଦରେ ବନ୍ୟଜନ୍ତୁ
ମୟୂରଭଞ୍ଜ : ରାଜ୍ୟରେ ଖରାଦିନ ଆରମ୍ଭ ହେଉଣୁ ଜଳୁଛି ଜଙ୍ଗଲ । ଫଳରେ ବିପଦରେ ବନ୍ୟଜନ୍ତୁ । ଜୀବନ ବଞ୍ଚାଇବା ପାଇଁ ସେମାନେ ଗାଁ ମୁହାଁ ହେଉଛନ୍ତି । ୫ ଦିନ ହେବ ଶିମିଳିପାଳ ଅଭୟାରଣ୍ୟରେ ବିଭିନ୍ନ ଗ୍ରାମ୍ୟ ଜଙ୍ଗଲ ଜଳୁଛି । ଜଙ୍ଗଲ ନିଆଁରେ ବହୁ ମୂଲ୍ୟବାନ ଗଛ ନଷ୍ଟ ହୋଇଗଲାଣି । ନିଆଁ ଲିଭାଇବାରେ ବିଫଳ ହେଉଛି ବନ ବିଭାଗ । ମୟୂରଭଞ୍ଜ ଜିଲ୍ଲାର ଜୀଵନ ରେଖା କୁହାଯାଉଥିବା ଶିମିଳିପାଳ ଅଭୟାରଣ୍ୟ ଏବେ ବିପଦରେ । କାଠମାଫିଆ ଏବଂ ବନ୍ୟଜନ୍ତୁ ଶିକାରୀଙ୍କ କବ୍ଜାରେ ଶିମିଳିପାଳ ଥିବାରୁ ବିପଦରେ ଅଭୟାରଣ୍ୟ । ଶିକାରୀ ଏବଂ କାଠ ମାଫିଆମାନେ ଅଭୟାରଣ୍ୟ ମଧ୍ୟରେ ନିଆଁ ଲଗାଇ ଅବାଧରେ ଜନ୍ତୁ ଶିକାର ସହିତ କାଠ କାଟୁଥିବାରୁ ଜଙ୍ଗଲ ନଷ୍ଟ ହେବା ସହିତ ପରିବେଶ ଦୂଷିତ ହେଲାଣି । ଯାହା ଫଳରେ ଅଭୟାରଣ୍ୟ ଏବେ ଅସୁରକ୍ଷିତ ।
ଅଭୟାରଣ୍ୟରେ ନିଆଁ ଲାଗିବା ପରେ ଜୀବନ ବଞ୍ଚାଇବା ପାଇଁ ବିକଳରେ କିଛି ବନ୍ୟଜନ୍ତୁ ନିକଟରେ ଥିବା ଗାଁ ମୁହାଁ ହେଉଛନ୍ତି । ଆଜି ଠାକୁରମୁଣ୍ଡା ରେଞ୍ଜ ଅଧୀନରେ ଥିବା ନିହାଣଗଣ୍ଡି ଗାଁକୁ ଆସିଥିଲେ ହରିଣପଲ । ୩ଟି ହରିଣକୁ କୁକୁର ଗୋଡାଉ ଥିବା ସ୍ଥାନୀୟ ଲୋକ ଦେଖିଥିଲେ । ଗୋଟିଏ ହରିଣକୁ କୁକୁର କବଳରୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ଗ୍ରମାବାସୀ । ଅନ୍ୟ ୨ଟି ହରିଣ ଜଙ୍ଗଲକୁ ଚାଲିଯାଇଥିବା ନେଇ ରେଞ୍ଜ ଅଫିସର କିଶୋର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏପରି ଘଟଣା ବାରମ୍ବାର ଘଟୁଥିବାରୁ ବନବିଭାଗ ସତର୍କତା ଅବଲମ୍ବନ କରିବା ସହିତ ବନ୍ୟଜନ୍ତୁଙ୍କୁ କିପରି ସୁରକ୍ଷା ଦିଆଯାଇପାରିବ ସେଥି ପାଇଁ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକତା ହୋଇପଡିଛି ।
