ରାଜ୍ୟରେ ଖୋଲିଲା ସ୍କୁଲ, ପିଲାଙ୍କୁ ମିଳିଲା ରନ୍ଧା ଖାଦ୍ୟ
ଭୁବନେଶ୍ୱର : ଦୀର୍ଘ ୨ ବର୍ଷ ପରେ ଖୋଲିଲା ସ୍କୂୁଲ । କୋଭିଡ କଟକଣା ପାଇଁ ବନ୍ଦ ଥିଲା ସ୍କୁଲ । ଫେବୃଆରି ୨୮ରୁ କ୍ଲାସ ରୁମ ପାଠ ପଢ଼ାର ଆରମ୍ଭ ହେବା ପରେ ଏପ୍ରିଲ ୨ରୁ ସକାଳୁଆ କ୍ଲାସ ଆରମ୍ଭ ହୋଇଛି । ସ୍କୁଲ ଖୋଲିବା ପରଠାରୁ ମଧ୍ୟାହ୍ନ ଭୋଜନ କ।ର୍ଯ୍ୟକ୍ରମ ବନ୍ଦ ଥିଲା ବେଳେ ଆଜିଠୁ ଆରମ୍ଭ ହୋଇଛି ରନ୍ଧା ଖାଦ୍ୟ ବ୍ୟବସ୍ଥା । ସ୍କୁଲ ଗୁଡ଼ିକରେ ପିଲାଙ୍କୁ ଦିଆଯାଇଛି ମଧ୍ୟାହ୍ନ ଭୋଜନ । ରାଜ୍ୟରୁ କୋଭିଡ କଟକଣା ହଟିବା ପରେ ରନ୍ଧା ଖାଦ୍ୟ ପିଲାଙ୍କୁ ବେଶ ଉତ୍ସାହିତ କରିଥିବା ଦେଖାଯାଇଛି ।
ସାରା ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ବହୁ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି ।ଏହାକୁ ଆଖିରେ ରଖି ସ୍କୁଲ ପିଲାଙ୍କ ସମୟ ପରିବର୍ତନ ହୋଇଛି । ସକାଳ ୬.୩୦ ରୁ ୧୦.୩୦ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଳାସ ହେଉଥିବାବେଳେ ସକାଳ ୭ ରୁ ୧୧.୩୦ ରହିଛି ନବମରୁ ଦ୍ୱାଦଶ ପିଲାଙ୍କ ସ୍କୁଲ ସମୟ । ପିଲାମାନେ ଆସିବା ବେଳେ ସାଙ୍ଗରେ ପାଣି ବୋତଲ ଓ ଛତା ନେଇ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ସ୍କୁଲରେ ପର୍ଯ୍ୟାପ୍ତ ପାଣିର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ । ପାଠପଢ଼ା ସାଙ୍ଗକୁ ଖରା ଦାଉରୁ କିଭଳି ରକ୍ଷା ପାଇବେ ଅଂଶୁଘାତ କ’ଣ ଓ ଏହାର ପ୍ରତିକାର କିଭଳି ହୋଇପାରିବ ସେ ନେଇ ଶିକ୍ଷକମାନେ ଅବଗତ କରାଉଛନ୍ତି ଛାତ୍ରଛାତ୍ରୀଙ୍କୁ । ସେପଟେ ଦୁଇବର୍ଷ ପରେ ସ୍କୁଲରେ ପୁଣି ଆରମ୍ଭ ହୋଇଛି ମଧ୍ୟାହ୍ନ ଭୋଜନ ପ୍ରକ୍ରିୟା । ପିଲାମାନେ ପୁଣି ସ୍କୁଲରେ ବସି ପୂର୍ବ ଭଳି ରନ୍ଧା ଖାଦ୍ୟ ଖାଇଛନ୍ତି । କରୋନା ପରେ ସ୍ଥିତି ସ୍ୱାଭାବିକ ହେବା ନେଇ ଉତ୍ସାହିତ ଛାତ୍ରଛାତ୍ରୀ ।
