ଶ୍ରୀଲଙ୍କା ସ୍ଥିତି ଭୟଙ୍କର : ୩୬ ଘଂଟା ପାଇଁ କର୍ଫ୍ୟୁ ଜାରି କଲେ ସରକାର
ନୂଆଦିଲ୍ଲୀ: ଦେଶରେ ଅର୍ଥନୀତି ବିଗିଡ଼ି ଯାଇଥିବାରୁ ଶ୍ରୀଲଙ୍କାରେ ବିଦ୍ରୋହର ନିଆଁ ଜଳୁଛି । ସରକାରଙ୍କ ବିରୋଧରେ ସାରା ଦେଶରେ ଜନ ଆନ୍ଦୋଳନ ମୁଣ୍ଡ ଚେକିଛି । ଜଳାପୋଡ଼ା ଭଙ୍ଗାରୁଜା ଚାଲିଥିବାରୁ ବାଧ୍ୟ ହୋଇ ୩୬ ଘଂଟା ପାଇଁ ପୂରା ଦେଶରେ କର୍ଫ୍ୟୁ ଜାରି କରିଛନ୍ତି ଶ୍ରୀଲଙ୍କା ସରକାର ।ଶନିବାର ସନ୍ଧ୍ୟା ୬ ଠାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି ।
କର୍ଫ୍ୟୁ ସମୟରେ ଅତି ଆବଶ୍ୟକ କାମ ନ ପଡ଼ିଲେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଦେଶରେ ମହଙ୍ଗା ମାଡ଼, ଶକ୍ତି ସମ୍ଭଳର ଅଭାବ ଓ ନିଯୁକ୍ତି ସମସ୍ୟା ଯୋଗୁ ସରକାରଙ୍କ ଉପରେ ଲୋକଙ୍କ ରାଗ ଚମର ସୀମାରେ ପହଂଚିଛି । ସ୍ୱାଧୀନତା ପରଠାରୁ ଏବେ ଶ୍ରୀଲଙ୍କା ସବୁଠାରୁ ଖରାପ ଆର୍ôଥକ ପରିସ୍ଥିତିର ସାମ୍ନା କରିଛି । ଆବଶ୍ୟକୀୟ ଆମଦାନୀ ପାଇଁ ବିଦେଶୀ ମୁଦ୍ରା ପୈଠ କରିବାକୁ ଶ୍ରୀଲଙ୍କା ପାଖରେ ଟଙ୍କା ନାହିଁ । ଶ୍ରୀଲଙ୍କାରେ ବର୍ତମାନ ଡିଜେଲର ଅଭାବ ଦେଖାଦେଇଛି । ଏଥିପାଇଁ ପରିବହନ ବିଭାଗ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ବସ୍ମାଲିକମାନଙ୍କ ମଧ୍ୟରେ ଗାଡ଼ି ଚଳାଚଳ ପାଇଁ ଭାଳେଣି ପଡ଼ିଗଲାଣି । ଆଉ ପରିବହନ କରିବା ସମ୍ଭବ ନୁହେଁ ବୋଲି ମାଲିକମାନେ କହୁଛନ୍ତି । ଦେଶରେ ଉତେଜନା ସ୍ଥିତି ଯୋଗୁ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ଶୁକ୍ରବାର ଠାରୁ ଦେଶରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛନ୍ତି ।
