ଆଇପିଏଲ-୨୦୨୨ : ଦିଲ୍ଲୀକୁ ୧୪ ରନରେ ହରାଇଲା ଗୁଜରାଟ
ପୁଣେ : ଆଇପିଏଲ-୨୦୨୨ରେ ଶନିବାର ଦଶମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଭମାନ ଗିଲଙ୍କ ଦମଦାର ଅର୍ଦ୍ଧଶତକ ଏବଂ ଲୋକି ଫର୍ଗ୍ୟୁସନଙ୍କ ଶାଣିତ ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ଆଇପିଏଲର ୧୦ମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୪ ରନରେ ପରାସ୍ତ କରିଛି। ଏଥିସହ ଚଳିତ ସିଜିନରେ ଗୁଜରାଟ ଟାଇଟନ୍ସ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି। ଅପରପକ୍ଷେ ଦିଲ୍ଲୀ କ୍ୟାପିଟାଲ୍ସ ଦୁଇଟି ମ୍ୟାଚରୁ ପ୍ରଥମ ପରାଜୟ ଭୋଗିଛି।
ଟସ୍ ଜିତି ଋଷଭ ପନ୍ତ ଗୁଜରାଟକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଏହାକୁ ସଠିକ ସାବ୍ୟସ୍ତ କରି ମୁସ୍ତାଫିଜୁର ରହମାନ ପ୍ରଥମ ଓଭର୍ରେ ହିଁ ମାଥ୍ୟୁ ୱେଡ(୧)ଙ୍କୁ ଆଉଟ କରିଦେଇଥିଲେ। ଏହାପରେ କୁଳଦୀପ ଯାଦବ ନିଜର ପ୍ରଥମ ବଲରେ ହିଁ ୧୩ ରନ କରିଥିବା ବିଜୟ ଶଙ୍କରଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ୪୪ ରନରେ ଗୁଜରାଟ ଦୁଇ ଜଣ ବ୍ୟାଟରଙ୍କୁ ହରାଇ ସଙ୍କଟରେ ପଡ଼ିଥିଲେ। ତେବେ ପୂର୍ବ ମ୍ୟାଚରେ ଖାତା ଖୋଳି ପାରି ନଥିବା ଶୁବମନ ଗିଲ୍ ଦମଦାର ବ୍ୟାଟିଂ କରିଥିଲେ। ତାଙ୍କୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଭରପୂର ସହଯୋଗ କରିଥିଲେ। ଉଭୟ ୩ୟ ୱିକେଟ ପାଇଁ ୬୫ ରନ୍ ଯୋଡ଼ି ସ୍ଥିତି ସମ୍ଭାଳିଥିଲେ। ଇତି ମଧ୍ୟରେ ଗିଲ ମଧ୍ୟ ଚଳିତ ସିଜିନରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୧୦୯ ଥିବା ବେଳେ ହାର୍ଦ୍ଦିକ(୩୧)ଙ୍କୁ ଖଲୀଲ ଅହମଦ ଆଉଟ କରି ଦେଇଥିଲେ। ଏହାପରେ ଡାଭିଡ ମିଲରଙ୍କ ସହ ମିଶି ଗିଲ୍ ଦଳୀୟ ସ୍କୋରକୁ ୧୪୫ ରନରେ ପହଞ୍ଚାଇଥିଲେ। କିନ୍ତୁ ବଡ଼ ଶଟ ଖେଳିବା ଲୋଭରେ ଗିଲ(୮୪) ଖଲୀଲଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଗିଲ ଆଉଟ ହେବା ପୂର୍ବରୁ ୪୬ ବଲରେ ୬ଟି ଚୌକା ଓ ୪ଟି ଛକା ବଳରେ ୮୪ ରନ୍ର ଇନିଂସ ଖେଳିଥିଲେ। ଗତ ମ୍ୟାଚ୍ର ହିରୋ ରାହୁଲ ତେୱାତିଆ ଆଜି ବେଶି କିଛି କରିପାରି ନାହାନ୍ତି। ସେ ମାତ୍ର ୧୪ ରନ୍ କରି ମୁସ୍ତାଫିଜୁରଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଶେଷ ଓଭର୍ରେ ମୁସ୍ତାଫିଜୁର ଅଭିନବ ମନୋହର(୧)ଙ୍କୁ ମଧ୍ୟ ଆଉଟ କରିଥିଲେ। ତେବେ ଡାଭିଲ ମିଲର ଶେଷ ଯାଏ ୧୫ ବଲରେ ୨୦ ରନ୍ କରି ଅପରାଜିତ ରହିଛନ୍ତି। ଏଥିସହ ଗୁଜରାଟ ମଧ୍ୟ ନିର୍ଦ୍ଧାରିତ ୨୦ ଓଭର୍ରେ ୬ ୱିକେଟ ହରାଇ ୧୭୧ ରନ୍ କରିବାକୁ ସକ୍ଷମ ହୋଇଛି। ଦିଲ୍ଲୀ ପକ୍ଷରୁ ମୁସ୍ତାଫିଜୁର ୩ଟି ୱିକେଟ ନେଇଥିବା ବେଳେ ଖଲୀଲ ଅହମଦ ୨ଟି ଓ କୁଲଦୀପ ଯାଦବ ଗୋଟିଏ ସଫଳତା ପାଇଛନ୍ତି।
ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ଵିକେଟ୍ ହରାଇ ୧୫୭ ରନ କରିବାକୁ ସକ୍ଷମ ହୋଇଛି। ଅଧିନାୟକ ଋଷଭ ପନ୍ତ ସର୍ବାଧିକ ୪୩ ରନ କରିଛନ୍ତି। ଲଳିତ ଯାଦବ ୨୫ ଏବଂ ରୋଭମାନ ପାଓ୍ଵେଲ ୨୦ ରନ କରିଛନ୍ତି। ଲୋକି ଫର୍ଗ୍ୟୁସନ ୨୮ ରନ ଦେଇ ୪ ଓ୍ଵିକେଟ୍ ଏବଂ ମହମ୍ମଦ ଶାମି ୩୦ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ଗୁଜରାଟ ଇନିଂସରେ ମୁସ୍ତାଫିଜୁର ରେହମାନ ୨୩ ରନ ଦେଇ ୩ଟି ଓ୍ଵିକେଟ୍ ଏବଂ ଖଲିଲ ଅହମ୍ମଦ ୩୪ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ।
