ଆଇପିଏଲ-୨୦୨୨ : ମୁମ୍ବାଇକୁ ୧୯୪ ରନ ଟାର୍ଗେଟ୍ ଦେଲା ରାଜସ୍ଥାନ
ମୁମ୍ବାଇ : ଆଇପିଏଲ-୨୦୨୨ର ନବମ ଲିଗ୍ ମୁକାବିଲାରେ ଶନିବାର ମୁହାଁମୁହିଁ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ । ଜୋସ୍ ବଟଲରଙ୍କ ପ୍ରହାରରେ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲର ବଡ ସ୍କୋର କରିଛି। ବଟଲରଙ୍କ ଆଇପିଏଲରେ ଦ୍ଵିତୀୟ ଶତକ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୯୩ରନ କରିଛି। ବଟଲର ୬୮ ବଲ୍ରୁ ୧୦୦ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ତାଙ୍କ ବ୍ୟତୀତ ସିମରନ ହେଟମାୟର ୩୫ ଏବଂ ସଞ୍ଜୁ ସାମସନ ୩୦ରନ କରିଛନ୍ତି। ତେବେ ଶେଷ ଆଡକୁ ରାଜସ୍ଥାନ ନିୟମିତ ଓ୍ଵିକେଟ୍ ହରାଇବାରୁ ୨୦୦ ରନରେ ପହଞ୍ଚି ପାରି ନାହିଁ। ମୁମ୍ବାଇକୁ ପ୍ରଥମ ମ୍ୟାଚ୍ ଜିତିବାକୁ ୧୯୪ ରନ ଦରକାର। ଯଶପ୍ରୀତ ବୁମରାଙ୍କୁ ବାଦ୍ ଦେଲେ ମୁମ୍ବାଇର ଅନ୍ୟ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ବୁମରା ୧୭ ରନ ଦେଇ ୩ ଏବଂ ଟାଇମ ମିଲ୍ସ ୩୫ ରନ ଦେଇ ୩ଟି ସଫଳତା ପାଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ରାଜସ୍ଥାନ ରୟାଲ୍ସ ଦଳୀୟ ସ୍କୋର ୧୩ ରନରେ ଯଶସ୍ଵୀ ଜୟସଓ୍ଵାଲ(୧)ଙ୍କ ଓ୍ଵିକେଟ୍ ହରାଇଥିଲା। ପରେ ଦେବଦତ୍ତ ପାଡିକଲ(୭) ପାଭିଲିୟନ ଫେରିଥିଲେ। ଏହା ପରେ ଜସ ଟବଲର ଏବଂ ସଞ୍ଜୁ ସାମସନ ବିସ୍ଫୋରକ ବ୍ୟାଟିଂ କରିଥିଲେ। ବିଶେଷ କରି ବଟଲର ବାସିଲ ଥମ୍ପିଙ୍କ ଗୋଟିଏ ଓଭରରେ ୨୬ ରନ କରି ରନ ଗତିକୁ ବଢାଇଥିଲେ। ଉଭୟ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍ ଓ୍ଵିକେଟ୍ରେ ୮୨ ରନ ଯୋଡି ବଡ ସ୍କୋରର ମୂଳଦୁଆ ପକାଇଥିଲେ। ସାମସନ ୨୧ ବଲରୁ ୧ ଚୌକା ଏବଂ ୩ ଛକା ସହ ୩୦ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ବଟଲର ନିଜର ଦ୍ରୁତ ବ୍ୟାଟିଂ ଜାରି ରଖିଥିଲେ।
ହେଟ ମାୟର କ୍ରିଜକୁ ଆସିବା ମାତ୍ରେ ମାତ୍ର ୧୪ ବଲରୁ ୩ ଟି ଲେଖାଏଁ ଚୌକା ଏବଂ ଛକା ବଳରେ ୩୫ ରନ କରିଥିଲେ। ଏହା ପରେ ରାଜସ୍ଥାନ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ଏହା ମଧ୍ୟରେ ବଟଲର ଆଇପିଏଲରେ ୬୬ ବଲ୍ରୁ ଦ୍ଵିତୀୟ ଶତକ ପୂରଣ କରିଥିଲେ। କ୍ଲିନ ବୋଲ୍ଡ କରି ବୁମରା ବଟରଲଙ୍କ ଇନିଂସରେ ପୂର୍ଣ୍ଣଛେଦ ପକାଇଥିଲେ। ବଟଲର ୬୮ ବଲ୍ରୁ ୧୧ ଚୌକା ଏବଂ ୫ ଛକା ବଳର ୧୦୦ ରନ କରିଥିଲେ। ଶେଷ ଆଡକୁ ମୁମ୍ବାଇ ବୋଲର ରନ ଗତି ଉପରେ ଅଙ୍କୁଶ ଲଗାଇବାରୁ ରାଜସ୍ଥାନ ୨୦୦ ରନ ରକି ପାରିନଥିଲା। ଦଳ ୮ ଓ୍ଵିକେଟ୍ ହରାଇ ୧୯୩ ରନ କରିଛି।
