ଆଇପିଏଲ ଦର୍ଶକଙ୍କ ପାଇଁ ଖୁସି ଖବର! ୫୦% ମିଳିଲା ପ୍ରବେଶ ଅନୁମତି
ମୁମ୍ବାଇ : ଆଇପିଏଲ ୨୦୨୨ରେ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଆସିଛି ଖୁସିର ଖବର । ଏପ୍ରିଲ ୬ରୁ ୫୦ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ମିଳିବ । ଆଇପିଏଲର ଟିକେଟିଂ ପାର୍ଟନର ‘ବୁକ୍ ମାଇଁ ଶୋ’ ଶୁକ୍ରବାର ଏହାର ସୂଚନା ଦେଇଛି । ଆରମ୍ଭରୁ କିଛି ମ୍ୟାଚ୍ ପାଇଁ ୨୫ ପ୍ରତିଶତ ଦର୍ଶକଙ୍କୁ ହିଁ ଷ୍ଟାଡିୟମରେ ପ୍ରବେଶ ଅନୁମତି ମିଳିଥିଲା । ଏବେ ଏଥିରେ ବୃଦ୍ଧି ଘଟିଛି । ଚଳିତ ଆଇପିଏଲ ମହାରାଷ୍ଟ୍ରର ଚାରୋଟି ଷ୍ଟାଡିୟମରେ ଖେଳାଯାଉଛି ।
ଆଇପିଏଲ ଆରମ୍ଭ ହେବା ପୂର୍ବରୁ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଚାରୋଟି ପଡିଆ ୱାଙ୍ଖେଡେ ଷ୍ଟାଡିୟମ(ମୁମ୍ବାଇ), ବ୍ରାବୋର୍ଣ୍ଣ ଷ୍ଟାଡିୟମ, ଡିୱାଇ ପାଟିଲ୍ ଷ୍ଟାଡିୟମ ଏବଂ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ୨୫ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ଦେଇଥିଲା । ବୁକ୍ ମାଇ ଶୋ ନିଜର ପ୍ରେସ ବିଜ୍ଞପ୍ତିରେ ଜଣାଇଛି ଯେ, ଆଗାମୀ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ ହୋଇ ଯାଇଛି । ଏବେ ଦର୍ଶକଙ୍କ ଗହଳିରେ ଉଚ୍ଛୁଳିବ ଷ୍ଟାଡିୟମ । ଦେଶୀ ଏବଂ ବିଦେଶୀ ଦର୍ଶକଙ୍କୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି ।
ଏହା ପୂର୍ବରୁ ମହାରାଷ୍ଟ୍ର ସରକାର ଗୁରୁବାର ରାଜ୍ୟରେ କରୋନା କଟକଣା ହଟାଇବାକୁ ନିଷ୍ପତି ନେଇଥିଲା । ମହାରାଷ୍ଟ୍ରରେ କରୋନା ସଂପର୍କିତ ସମସ୍ତ କଟକଣା ଏପ୍ରିଲ ୨ରେ ସମାପ୍ତ ହେବ । ଏପରିକି ମାସ୍କ ଲଗାଇବା ମଧ୍ୟ ଜରୁରୀ ନୁହେଁ । ରାଜ୍ୟରେ କରୋନା କେସ୍ ପ୍ରାୟତଃ ଥମି ଯାଇଛି । ମାସ୍କ ପିନ୍ଧିବା ସ୍ୱେଚ୍ଛାକୃତ ବୋଲି ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।
