ଆଇପିଏଲ-୨୦୨୨ : ରସେଲଙ୍କ ବିସ୍ଫୋରକ ବ୍ୟାଟିଂ, ପଞ୍ଜାବକୁ ହରାଇଲା କୋଲକାତା
ମୁମ୍ବାଇ : ଆଇପିଏଲ-୨୦୨୨ର ଶୁକ୍ରବାର ଅଷ୍ଟମ ଲିଗ୍ ମ୍ୟାଚ୍ରେ କୋଲକାତା ନାଇଟ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କୋଲକାତା ପଞ୍ଜାବକୁ ସହଜରେ ପରାସ୍ତ କରିଛି। ଦୁଇଟି ମ୍ୟାଚ୍ରୁ କେକେଆରର ଏହା ପ୍ରଥମ ବିଜୟ ହୋଇଥିବା ବେଳେ ସମାନ ମ୍ୟାଚ୍ରୁ ପଞ୍ଜାବ କିଙ୍ଗ୍ସର ପ୍ରଥମ ପରାଜୟ ବରଣ କରିଛି । ପଞ୍ଜାବ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ୧୮.୨ ଓଭରରେ ୧୩୭ ରନରେ ଅଲଆଉଟ୍ ହୋଇଥିଲା। ଉମେଶ ଯାଦବ ୨୩ ରନ ଦେଇ ୪ ଓ୍ଵିକେଟ୍ ନେଇ ପଞ୍ଜାବ କିଙ୍ଗ୍ସର ବ୍ୟାଟିଂ ବିପର୍ଯୟ ଘଟାଇଥିଲେ। ପଞ୍ଜାବ ପକ୍ଷରୁ ଭାନୁକା ରାଜପକ୍ଷେ ସର୍ବାଧିକ ୩୧ ରନ କରିଥିଲେ। କାଗିସୋ ରାବଡା ୨୫ ଏବଂ ଲିୟାମ ଲିଭିଙ୍ଗଷ୍ଟୋନ ୧୯ ରନ କରିଥିଲେ। ଜବାବରେ ରସେଲଙ୍କ ୩୧ଟି ବଲ୍ରୁ ବିସ୍ଫୋରକ ବ୍ୟାଟିଂ ୨ ଚୌକା ଏବଂ ୮ ଛକା ସହ ୭୦ ରନ ବଳରେ କୋଲକାତା ୧୪.୩ ଓଭରରେ ୪ ଓ୍ଵିକେଟ୍ ହରାଇ ୧୪୧ ରନ କରି ବିଜୟୀ ହୋଇଛି।
ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି କୋଲକାତା ଅଧିନାୟକ ଶ୍ରେୟସ ଆୟର ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ଉମେଶ ଯାବଦ ସଠିକ ସାବ୍ୟସ୍ତ କରି ପ୍ରଥମ ଓଭର୍ରେ ହିଁ ପଞ୍ଜାବ ଅଧିନାୟକ ମୟଙ୍କ ଅଗ୍ରୱାଲ(୧)ଙ୍କୁ ଆଉଟ କରିଥିଲେ। ଶିଖର ଧୱନ(୧୬) ଟିମ ସାଉଦିଙ୍କ ଶିକାର ବନିଥିଲେ। ଭାନୁକା ରାଜପାକ୍ଷେପ ବିସ୍ଫୋରକ ଆରମ୍ଭ କରି ୯ ବଲ୍ରେ ୩୧ ରନ୍ର ଇନିଂସ ଖେଳିଥିଲେ ହେଁ ବେଶୀ ସମୟ କ୍ରିଜ୍ରେ ତିଷ୍ଟି ପାରିନଥିଲେ। ତାଙ୍କ ୱିକେଟ ଶିବମ ମାଭିଙ୍କ ଖାତାକୁ ଯାଇଥିଲା। ଲିଆମ ଲିଭିଙ୍ଗ ଷ୍ଟୋନ(୧୯), ରାଜ ବାୱା(୧୧) ଓ ଶାହରୁଖ ଖାନ(୦) ମଧ୍ୟ ସମସ୍ତଙ୍କୁ ନିରାଶ କରିଥିଲେ। ଲିଭିଙ୍ଗଷ୍ଟୋନଙ୍କୁ ଉମେଶ ଆଉଟ କରିଥିବା ବେଳେ ରାଜ ବାୱାଙ୍କୁ ସୁନୀଲ ନାରିନ ଓ ଶାହାରୁଖଙ୍କୁ ସାଉଦି ପ୍ୟାଭିଲିୟନ ପଠାଇଥିଲେ। ହରପ୍ରୀତ ବାର୍ର ୧୪ ରନ୍ କରିଥିଲେ ମଧ୍ୟ ଉମେଶ ଯାଦବଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ଓଡେନ ସ୍ମିଥ ୯ ଓ ରାହୁଲ ଚହର ଖାତା ଖୋଲିବାକୁ ସକ୍ଷମ ହୋଇ ନାହାନ୍ତି। ଶେଷ ଭାଗରେ କାଗିସୋ ରାବଡା ୧୬ ବଲରେ ୨୫ ରନ୍ କରିବାରୁ ପଞ୍ଜାବ ୧୩୦ ରନ୍ ପାର କରିବାକୁ ସକ୍ଷମ ହୋଇଥିଲା। ତାଙ୍କୁ ଆନ୍ଦ୍ରେ ରସେଲ ଆଉଟ କରି ପଞ୍ଜାବକୁ ୯ମ ଝଟକା ଦେଇଥିଲେ। ଶେଷରେ ଅର୍ଶଦୀପ ସିଂହ(୦)ଙ୍କୁ ରନ୍ ଆଉଟ କରି ନୀତୀଶ ରାଣା ପଞ୍ଜାବ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। କୋଲକାତା ପକ୍ଷରୁ ଉମେଶ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ସାଉଦ ୨ଟି, ନାରିନ, ରସେଲ ଓ ମାଭି ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।
୧୩୮ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା କେକେଆର ୧୪ ରନ ସ୍କୋରରେ ଆଜିଙ୍କ୍ୟ ରାହାଣେ(୧୨)ଙ୍କ ଓ୍ଵିକେଟ୍ ହରାଇଥିଲା। ପୁଣି ଦଳୀୟ ସ୍କୋର ୩୮ ରନରେ ଭେଙ୍କଟେଶ ଆୟର(୩) ଆଉଟ୍ ହୋଇଥିଲେ। ଅଧିନାୟକ ଆୟର ୨୬ ରନ କରି କିଛି ସମୟରେ କ୍ରିଜରେ ଜମି ରହିଥିଲେ। ପୁଣି ନୀତିଶ ରାଣା ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ। ୫୧ ରନରେ ୪ ଓ୍ଵିକେଟ୍ ହରାଇ କୋଲକାତା ସଙ୍କଟରେ ପଡିଥିଲା। ଏହା ପରେ ସାମ ବିଲିଙ୍ଗ୍ସ ଏବଂ ଆନ୍ଦ୍ରେ ରସେଲ ଇନିଂସ ସମ୍ଭାଳିଥିଲେ। ରସେଲ କ୍ରିଜକୁ ଆସିବା ମାତ୍ରେ ଛକା ବର୍ଷା କରି ଦଳକୁ ଚାପ ମୁକ୍ତ କରିବା ସହ ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ। ଉଭୟ ପଞ୍ଚମ ଓ୍ଵିକେଟ୍ରେ ୯୦ ରନ ଯୋଡି ଦଳକୁ ୧୪.୩ ଓଭରରେ ୪ ଓ୍ଵିକେଟ୍ ବିନିମୟରେ ବିଜୟୀ କରାଇଛନ୍ତି। ରସେଲ ୩୧ ବଲ୍ରୁ ୨ ଚୌକା ଏବଂ ୮ ଛକା ସହ ୭୦ ରନ ଏବଂ ସାମ ବିଲିଙ୍ଗ୍ସ ୨୪ ରନରେ ଅପରାଜିତ ଥିଲେ।
