ପୁଣି ମହଙ୍ଗା ମାଡ଼, ଏଲପିଜି ସିଲିଣ୍ଡର ମୂଲ୍ୟ ୨୫୦ ଟଙ୍କା ବୃଦ୍ଧି
ନୂଆଦିଲ୍ଲୀ : ସାଧାରଣ ଜନତାକୁ ପୁଣିଥରେ ଜୋରଦାର ଝଟକା ଲାଗିଛି । ଗୋଟିଏ ପଟେ ଲଗାତର ପେଟ୍ରୋଲ-ଡିଜେଲର ମୂଲ୍ୟ ରେ ବୃଦ୍ଧି ଘଠୁଛି । ଅନ୍ୟପଟେ ଆଜି (ଶୁକ୍ରବାର) ଏଲପିଜି ସିଲିଣ୍ଡରର ମୂଲ୍ୟରେ ବୃଦ୍ଧି ଘଟିଛି । ଏହି ବୃଦ୍ଧି ଘରୋଇ ଏଲପିଜି ସିଲିଣ୍ଡରରେ ନୁହେଁ ବରଂ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରରେ ଘଟିଛି । ଏଥର ବ୍ୟବସାୟିକ ଏଲପିଜି ଗ୍ୟାସ୍ ସିଲିଣ୍ଡର ଗୋଟିଏ ଝଟକାରେ ୨୫୦ ଟଙ୍କା ମହଙ୍ଗା ହୋଇଛି । ତେଣୁ ବର୍ତ୍ତମାନ ଘରୋଇ ଏଲପିଜି ସିଲିଣ୍ଡର ଗ୍ରାହକମାନଙ୍କ ଆଶ୍ୱସ୍ତିକର ରହିଛି । କାରଣ ଠିକ୍ ୧୦ ଦିନ ପୂର୍ବେ ଘରୋଇ ଏଲପିଜି ସିଲିଣ୍ଡରର ଦରରେ ବୃଦ୍ଧି ପାଇଥିବାବେଳେ ମାର୍ଚ୍ଚ ୨୨ରେ ବ୍ୟବସାୟିକ ସିଲିଣ୍ଡର ଶସ୍ତା ହୋଇଥିଲା ।
ଏଠାରେ କହି ରଖୁଛୁ ଯେ, ଦୀର୍ଘ ସମୟ ପରେ ପେଟ୍ରୋଲ-ଡିଜେଲ ଓ ଏଲପିଜି ଗ୍ରାହକଙ୍କ ପାଇଁ ମହଙ୍ଗା ମାଡ଼ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଥିଲା । ଏହି ଦିନ ସବସିଡି ନଥିବା ଘରୋଇ ଏଲପିଜି ସିଲିଣ୍ଡର ୫୦ ଟଙ୍କା ବୃଦ୍ଧି ପାଇଥିଲା । ୬ ଅକ୍ଟୋବର ୨୦୨୧ ପରେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା । ଆଜି (ଏପ୍ରିଲ ୧) ଅର୍ଥାତ୍ ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ଘରୋଇ ଏଲପିଜି ସିଲିଣ୍ଡର ଦିଲ୍ଲୀରେ ୯୪୯.୫୦ ଟଙ୍କା, କୋଲକାତାରେ ୯୭୬ ଟଙ୍କା, ମୁମ୍ବାଇରେ ୯୪୯.୫୦ ଟଙ୍କା ଏବଂ ଚେନ୍ନାଇରେ ୯୬୫.୫୦ ଟଙ୍କା ରିଫିଲ ରହିଛି ।
୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ୧ ମାର୍ଚ୍ଚରେ ଦିଲ୍ଲୀରେ ୨୦୧୨ ଟଙ୍କା ରିଫିଲ ଥିଲା, ଯାହା ୨୨ ମାର୍ଚ୍ଚରେ ୨୦୦୩ ଟଙ୍କାକୁ ଖସି ଆସିଥିଲା । କିନ୍ତୁ ଆଜିଠାରୁ ଦିଲ୍ଲୀରେ ଏହି ରିଫିଲ୍ ଭରିବା ପାଇଁ ୨୨୫୩ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏଥି ସହିତ କୋଲକାତାରେ ୨୦୮୭ ଟଙ୍କା ବଦଳରେ ବର୍ତ୍ତମାନ ୨୩୫୧ ଟଙ୍କା ଏବଂ ମୁମ୍ବାଇରେ ୧୯୫୫ ଟଙ୍କା ବଦଳରେ ୨୨୦୫ ଟଙ୍କା ଆଜିଠାରୁ ଖର୍ଚ୍ଚ କରିବାକୁ ପଡ଼ିବ । ଚେନ୍ନାଇରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ପାଇଁ ବର୍ତ୍ତମାନ ୨୧୩୮ ଟଙ୍କା ପରିବର୍ତ୍ତେ ୨୪୦୬ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।
ଆପଣଙ୍କୁ କହିରଖୁଛୁ ଯେ, ମାର୍ଚ୍ଚ ୧ରେ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ଦରରେ ୧୦୫ ଟଙ୍କାର ବୃଦ୍ଧି ଘଟିଥିଲା । ପରେ ମାର୍ଚ୍ଚ ୨୨ରେ ଏହା ୯ ଟଙ୍କା ଶସ୍ତା ହୋଇଥିଲା । ଏଥି ସହିତ ଅକ୍ଟୋବର ୨୦୨୧ରୁ ଫେବୃଆରୀ ୧, ୨୦୨୨ ମଧ୍ୟରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୧୭୦ ଟଙ୍କା ବୃଦ୍ଧି ପାଇଥିଲା । ଗତବର୍ଷ ଅକ୍ଟୋବର ୧ରେ ଦିଲ୍ଲୀର ଏକ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୧୭୩୬ ଟଙ୍କା ଥିଲା । ନଭେମ୍ବର ୨୦୨୧ରେ ଏହା ୨୦୦୦ ହୋଇଗଲା ଓ ଡିସେମ୍ବର ୨୦୨୧ରେ ୨୧୦୧ ଟଙ୍କା ହେଲା । ଏହା ପରେ ଜାନୁଆରୀରେ ଏହା ପୁଣି ଶସ୍ତା ହେଲା ଓ ଫେବୃଆରୀ ୨୦୨୨ ଆହୁରି ଶସ୍ତା ୧୯୦୭ ଟଙ୍କାକୁ ଖସି ଆସିଲା । ଏହା ପରେ ଏପ୍ରିଲ ୧, ୨୦୨୨ରେ ଏହା ୨୨୫୩ ଟଙ୍କାରେ ପହଞ୍ଚିଛି ।
