ସଚିବାଳୟ କ୍ରିକେଟ୍ ଟୁର୍ଣ୍ଣାମେଂଟ : ସୂଚନା ଓ ଲୋକସଂପର୍କ ବିଭାଗ ରନର୍ସ ଅପ୍
ଭୁୁବନେଶ୍ୱର : ସଚିବାଳୟ ଆନ୍ତଃବିଭାଗୀୟ କ୍ରିକେଟ୍ ଟୁର୍ଣ୍ଣାମେଂଟରେ ରନର୍ସ ଅପ୍ ହୋଇ କୃତିତ୍ୱ ଅର୍ଜନ କରିଥିବା ସୂଚନା ଓ ଲୋକସଂପର୍କ ବିଭାଗର ଖେଳାଳୀମାନଙ୍କୁ ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଆଜି ସମ୍ବର୍ଦ୍ଧିତ କରିଛନ୍ତି । ବିଭାଗୀୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ ଖେଳାଳୀମାନଙ୍କୁ ଉଚ୍ଛ୍ୱସିତ ପ୍ରଶଂସା କରି କହିଛନ୍ତି ଯେ କ୍ରୀଡ଼ା ଉଭୟ ଶାରୀରିକ ଓ ମାନସିକ ସ୍ତରରେ ବ୍ୟକ୍ତିକୁ ସକ୍ରିୟ ତଥା ସୁସ୍ଥ ରଖିବା ସହ ଉତମ କର୍ମସଂସ୍କୃତି ନିର୍ମାଣରେ ସହାୟକ ହୋଇଥାଏ । ଶ୍ରୀ ତ୍ରିପାଠୀ କର୍ମଚାରୀମାନଙ୍କୁ ସେମାନଙ୍କର ବୃତିଗତ ଦାୟିତ୍ୱ ନିର୍ବାହ ସହ ପ୍ରବୃତିକୁ ମଧ୍ୟ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ ।
‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସଂପାଦକ ଡ. ଲେନିନ୍ ମହାନ୍ତି କ୍ରୀଡ଼ାବିତ୍ ମାନଙ୍କର ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହି ଖେଳାଳୀମାନେ ଅଧିକ ସଫଳତା ଅର୍ଜନ କରିବେ ବୋଲି ଆଶା ପ୍ରକାଶ କରିଥିଲେ । ବିଭାଗ ପକ୍ଷରୁ କ୍ରିକେଟ୍ ଦଳର ଆଲୋକ ମହାରଣା (ଅଧିନାୟକ), ଅମିତ ମହାପାତ୍ର (ଉପଅଧିନାୟକ), ରାଜେନ୍ଦ୍ର କୁମାର ନାୟକ, ଅଜୟ ନିଆଲ, ଶୁଭ୍ରଜିତ ମଲ୍ଲିକ, ନିହାର ରଞ୍ଜନ ଘଡ଼େଇ, ଶିବାନନ୍ଦ ବେହେରା, ରଘୁନାଥ ପରିଡ଼ା, ଗଣେଶ ଭୋଇ, ତ୍ରିଲୋଚନ ବାରିକ, ନରସିଂହ ରେଚ୍ଛିଙ୍କୁ ବିଭାଗୀୟ ନିର୍ଦ୍ଦେଶକ ଫୁଲତୋଡା ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଦଳର ପରିଚାଳକ ତଥା ପ୍ରଶିକ୍ଷକ ସୁଶାନ୍ତ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦଳ ଏହି ସଫଳତା ହାସଲ କରିପାରିଛି ବୋଲି ଖେଳାଳୀମାନେ ମତ ରଖିଥିଲେ ।
