ଆଇପିଏଲ-୨୦୨୨ : କୋଲକାତାକୁ ୩ ଉଇକେଟରେ ହରାଇ ପ୍ରଥମ ବିଜୟ ହାସଲ କଲା ବାଙ୍ଗାଲୋର
ମୁମ୍ବାଇ : ଆଇପିଏଲ-୨୦୨୨ର ୧୫ତମ ସଂସ୍କରଣର ଷଷ୍ଠ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ମଧ୍ୟରେ ମୁକାବିଲା ବେଶ ରୋମାଞ୍ଚକର ହୋଇଛି। ଶେଷ ଓଭର ପର୍ଯ୍ୟନ୍ତ ଜାରି ରହିଥିବା ମ୍ୟାଚ୍ରେ ଶେଷରେ ବାଜି ମାରିଲା ଆରସିବି । ଲୋ ସ୍କୋରିଂ ମ୍ୟାଚ୍ରେ ଆରସିବି କେକେଆରକୁ ୩ ଓ୍ଵିକେଟ୍ରେ ହରାଇ ଚଳିତ ଆଇପିଏଲରେ ପ୍ରଥମ ବିଜୟ ହାସଲ କରିଛି।
ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଟସ୍ ଜିତି ଆରସିବି ଅଧିନାୟକ ଫାଫ ଡୁପ୍ଲେସିସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଆରମ୍ଭରୁ କୋଲକାତାର ଦୁଇ ଓପନର ଭେଙ୍କଟେଶ ଆୟର ଓ ଅଜିଙ୍କ୍ୟ ରାହାଣେ ବେଶ ସତର୍କତାର ସହ ଖେଳିଥିଲେ। ତେବେ ଆକାଶ ଦୀପ ୧୦ ରନ୍ କରିଥିବା ଆୟରଙ୍କୁ ଆଉଟ କରି ଆରସିବିକୁ ୪ର୍ଥ ଓଭରରେ ପ୍ରଥମ ସଫଳତା ଦେଇଥିଲେ। ଏହାପରେ କୋଲକାତା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ରାହାଣେ(୯)ଙ୍କୁ ମହମ୍ମଦ ସିରାଜ ଓ ନୀତୀଶ ରାଣା(୧୦)ଙ୍କୁ ଆକାଶ ଦୀପ ଆଉଟ କରି କୋଲକାତାକୁ ଡବଲ ଝଟକା ଦେଇଥିଲେ। ଏହି ଠାରୁ ଆରମ୍ଭ ହୋଇଥିବା ୱାନିନ୍ଦୁ ହସରଙ୍ଗା ଓ ହର୍ଷଲ ପଟେଲଙ୍କ ଜଲୱା। ହସରଙ୍ଗା ପ୍ରଥମେ ଇନଫର୍ମ ଶ୍ରେୟସ ଆୟର(୧୩)ଙ୍କୁ ଆଉଟ କରିଥିଲେ। ସୁନୀଲ ନାରିନ(୧୨) ତାଙ୍କ ଦ୍ୱିତୀୟ ଶିକାର ବନିଥିଲେ। ତୃତୀୟ ୱିକେଟ ରୂପେ ହସରଙ୍ଗା ଯୁବ ତାରକା ଶେଲଡନ ଜ୍ୟାକସନଙ୍କୁ ପ୍ୟାଭିଲିୟନ ପଠାଇଥିଲେ। କୋଲକାତା ମଧ୍ୟ ୬୭ ରନ୍ରେ ୬ ୱିକେଟ ହରାଇ ସଂଘର୍ଷ ଆରମ୍ଭ କରିଥିଲା। ସାମ ବିଲିଙ୍ଗସ ଓ ଆନ୍ଦ୍ରେ ରସେଲ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ହର୍ଷଲ ପଟେଲ ଏହା କରିବାକୁ ଦେଇ ନଥିଲେ। ସେ ଦଳୀୟ ସ୍କୋର ୮୩ ଥିବା ବେଳେ ୧୪ ରନ କରିଥିବା ବିଲିଙ୍ଗସଙ୍କ ୱିକେଟ ନେଇଥିଲେ। ପରେ ୧୮ ବଲରେ ୨୫ ରନ୍ କରିଥିବା ରସେଲ ମଧ୍ୟ ହର୍ଷଲଙ୍କ ଶିକାର ବନିଥିଲେ। ଟିମ୍ ସାଉଦି(୧)ଙ୍କୁ ଆଉଟ କରି ହସରଙ୍ଗା ମ୍ୟାଚରେ ନିଜର ୪ର୍ଥ ସଫଳତା ହାସଲ କରିଥିଲେ। ସେ ମୋଟ ୪ ଓଭର୍ରେ ୨୦ ରନ୍ ଦେଇ ୪ ସଫଳତା ପାଇଛନ୍ତି। ଶେଷ ଭାଗରେ ଉମେଶ ଯାଦବ ଓ ବରୁଣ ଚକ୍ରବର୍ତ୍ତୀ କିଛି ଶଟ ଖେଳିବାରୁ କୋଲକାତା ୧୨୮ ରନ୍ କରିବାକୁ ସକ୍ଷମ ହୋଇଛି। ଆକାଶ ଦୀପ ୧୮ ରନ୍ କରିଥିବା ଉମେଶ ଯାଦବଙ୍କୁ ବୋଲ୍ଡ କରି କୋଲକାତା ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ବରୁଣ ୧୦ ରନ୍ କରି ଅପରାଜିତ ରହିଛନ୍ତି। ଆରସିବି ପକ୍ଷରୁ ହସରଙ୍ଗା ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ଆକାଶ ଦୀପ ୩ଟି, ହର୍ଷଲ ପଟେଲ ୨ଟି ଓ ମହମ୍ମଦ ସିରାଜ ଗୋଟିଏ ସଫଳତା ପାଇଛନ୍ତି।
