ଆଇପିଏଲ-୨୦୨୨ : ବ୍ୟାଟିଂ ପରେ ଚମତ୍କାର ବୋଲିଂ, ୬୧ ରନରେ ହାଇଦ୍ରାବାଦକୁ ହରାଇ ବୃହତ ବିଜୟ ହାସଲ କଲା ରାଜସ୍ଥାନ
ପୁଣେ : ଆଇପିଏଲ-୨୦୨୨ରେ ମଙ୍ଗଳବାର ପଞ୍ଚମ ମ୍ୟାଚରେ ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଥିଲେ । ଏଥିରେ ବ୍ୟାଟିଂ ପରେ ଚମତ୍କାର ବୋଲିଂ ସହାୟତାରେ ୬୧ ରନରେ ହାଇଦ୍ରାବାଦକୁ ହରାଇ ବୃହତ ବିଜୟ ହାସଲ କଲା ରାଜସ୍ଥାନ। ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ଥର ପାଇଁ ୨୦୦ ରନ ସ୍କୋର କରିଥିବା ରାଜସ୍ଥାନ ରୟାଲ୍ସ ଚମତ୍କାର ବିଜୟ ସହିତ ନିଜର ଆଇପିଏଲ ଯାତ୍ରା ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି ୨୧୦ ରନ କରିଥିବା ରାଜସ୍ଥାନ ସନରାଇଜର୍ସ ହାଇଦ୍ରାବାଦକୁ ମାତ୍ର ୧୪୯ ରନରେ ସୀମିତ ରଖିବା ସହିତ ମ୍ୟାଚକୁ ଅନାୟାସରେ ୬୧ ରନରେ ଜିତି ନେଇଥିଲା । ଏଡେନ୍ ମାର୍କରାମ୍ ଅପରାଜିତ ୫୬ ରନ କରିଥିବା ବେଳେ ୱାଶିଂଟନ୍ ସୁନ୍ଦର ଧୂଆଁଧାର ୪୦ ରନ୍ କରିଥିଲେ । ତେବେ ଦଳର ଟପ୍-୫ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ସ୍କୋର ଛୁଇଁ ନପାରିବା ଦଳକୁ ସଙ୍କଟରେ ପକାଇଥିଲା । ଟ୍ରେଣ୍ଟ ବୋଲ୍ଟ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଘାତକ ବୋଲିଂ ଫଳରେ ହାଇଦ୍ରାବାଦ ମାତ୍ର ୯ ରନରେ ୩ଟି ଓ ୨୯ ରନରେ ୪ଟି ୱିକେଟ ହରାଇଥିଲା । ମାର୍କରାମ ଗୋଟିଏ ପଟୁ ଇନିଂସ ସମ୍ଭାଳୁଥିବା ବେଳେ ଅନ୍ୟପଟୁ ୱିକେଟ ପଡି ଚାଲିଥିଲା । ରୋମାରିଓ ସେଫର୍ଡ(୨୪) ଏବଂ ସୁନ୍ଦର(୪୦)ଙ୍କୁ ସାଥୀକରି ମାର୍କରାମ ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିବା ବେଳେ ପରାଜୟ ବ୍ୟବଧାନ କମ କରିଥିଲେ । ମାର୍କରାମ ୪୧ ବଲ ଖେଳି ୫ଚୌକା ଓ ୨ ଛକା ମାରିଥିଲେ । ସମାନ ସଂଖ୍ୟକ ବାଉଣ୍ଡ୍ରି ମାରିଥିବା ସୁନ୍ଦର ମାତ୍ର ୧୪ ବଲ ଖେଳି ୪୦ ରନ କରିଥିଲେ । ରୟାଲ୍ସ ପକ୍ଷରୁ ୟୁଜବେନ୍ଦ୍ର ଚହଲ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ବୋଲ୍ଟ ଓ ପ୍ରସିଦ୍ଧ ୨ଟି ଲେଖାଏଁ ୱିକେଟ ନେଇ ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇଥିଲେ ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ରାଜସ୍ଥାନ ପାଇଁ ଜୋଶ ବଟଲର ଓ ଯଶସ୍ୱୀ ଜୈସୱାଲ ଇନିଂସ ଆରମ୍ଭ କରିଥିଲେ। ଉଭୟ ପାୱାର ପ୍ଲେରେ ୫୮ ରନ୍ ସଂଗ୍ରହ କରି ଦୃଢ଼ ମୂଳଦୁଆ ପକାଇଥିଲେ। ଏହି ସମୟରେ ୨୦ ରନ୍ କରିଥିବା ଜୈସୱାଲଙ୍କୁ ଆଇପିଏଲରେ ଡେବ୍ୟୁ କରିଥିବା ଇଣ୍ଡିଜ ତାରକା ରୋମାରିଓ ଶେଫର୍ଡ ଆଉଟ କରିଦେଇଥିଲେ। କିଛି ସମୟ ପରେ ବଟଲର(୩୭) ମଧ୍ୟ ଉମରାନ ମଲିକଙ୍କ ଶିକାର ବନିଥିଲେ। ହେଲେ ରାଜସ୍ଥାନରେ ବ୍ୟାଟରଙ୍କ ଅଭାବ ନଥିଲା। ବଟଲର ଓ ଜୈସୱାଲଙ୍କ ପରେ ସାମସନ ଓ ଦେବଦତ୍ତ ପାଡିକ୍କଲ ସ୍ଥିତି ସମ୍ଭାଳିଥିଲେ। ଉଭୟ ୩ ୱିକେଟ ପାଇଁ ଦ୍ରୁତ ୭୩ ରନ୍ ଯୋଡ଼ିଥିଲେ। ଦଳୀୟ ସ୍କୋର ୧୪୮ ଥିବା ବେଳେ ପାଡିକ୍କଲ ୪୧ ରନ୍ କରି ଉମରାନଙ୍କ ଦ୍ୱିତୀୟ ଶିକାର ବନିଥିଲେ। ତେବେ ସଞ୍ଜୁ ସାମସନ ନିଜର ଅର୍ଦ୍ଧଶତକ ହାସଲ କରି ଦଳୀୟ ସ୍କୋରକୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଅଭିଜ୍ଞ ଭୁବନେଶ୍ୱର କୁମାର ତାଙ୍କୁ ଆଉଟ କରି ରାଜସ୍ଥାନକୁ ବଡ଼ ଝଟକା ଦେଇଥିଲେ। ୨୭ ବଲରେ ୫୫ ରନ୍ର ଇନିଂସ ଖେଳିଥିବା ସାମସନ ୫ଟି ବିଶାଳ ଛକା ଓ ୩ଟି ଚୌକା ମାରିଛନ୍ତି। ଶିମରନ ହେଟମେୟର ମଧ୍ୟ ବିସ୍ଫୋରକ ଇନିଂସ ଖେଳିଛନ୍ତି। ସେ ମାତ୍ର ୧୩ ବଲରେ ୩୩ ରନ୍ କରି ରାଜସ୍ଥାନ ସ୍କୋରକୁ ୨୦୦ ପାର କରାଇଥିଲେ। ଏହି ଇନିଂସରେ ସେ ୩ଟି ଛକା ଓ ୨ଟି ଚୌକା ମାରିଛନ୍ତି। ଶେଷ ଓଭରରେ ହେଟମେୟରଙ୍କୁ ନଟରାଜନ ଆଉଟ କରିଥିଲେ। ରିୟାନ ପରାଗ ମଧ୍ୟ ୧୨ ରନ କରି ଇନିଂସର ଶେଷ ବଲରେ ନଟରାଜନଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଶେଷରେ ରାଜସ୍ଥାନ ୬ ୱିକେଟ ହରାଇ ୨୧୦ ରନ କରିବାକୁ ସକ୍ଷମ ହୋଇଛି। ହାଇଦ୍ରାବାଦ ପକ୍ଷରୁ ଉମରାନ ଓ ନଟରାଜନ ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର ଓ ଶେଫର୍ଡ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।
