ଆଇପିଏଲ-୨୦୨୨ : ହାଇଦ୍ରାବାଦକୁ ୨୧୧ ରନ୍ର ଟାର୍ଗେଟ ଦେଲା ରାଜସ୍ଥାନ
ପୁଣେ : ଆଇପିଏଲ-୨୦୨୨ରେ ମଙ୍ଗଳବାର ପଞ୍ଚମ ମ୍ୟାଚରେ ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦରେ ଖେଳାଯାଉଛି। ବ୍ୟାଟସମ୍ୟାନଙ୍କ ସାମୂହିକ ଯୋଗଦାନ ବଳରେ ରାଜସ୍ଥାନ ରୟାଲ୍ସ ୬ ଓ୍ଵିକେଟ୍ ବିନିମୟରେ ୨୧୦ ରନର ବିଶାଳ ସ୍କୋର ଛିଡା କରିଛି। ଅଧିନାୟକ ସଞ୍ଜୁ ସାମସନ ୫୫ ରନର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ଦେବଦତ୍ତ ପାଡିକଲ ବିସ୍ଫୋରକ ୪୧ ରନ କରିଛନ୍ତି। ସିମରନ ହେଟମାୟର ଦ୍ରୁତ ୩୨ ରନ ଏବଂ ଜୋସ ବଟଲର ୩୫ ରନ କରିଛନ୍ତି। ରାଜସ୍ଥାନ ବ୍ୟାଟସମ୍ୟାନଙ୍କ ସାମ୍ନାରେ ସନରାଇଜର୍ସ ବୋଲର ପ୍ରଭାବହୀନ ରହିଛନ୍ତି। ଉମରାନ ମଲିକ ଏବଂ ଟିନଟରାଜନ ପ୍ରତ୍ୟେକ ୨ଟି ଓ୍ଵିକେଟ୍ ନେଇଛନ୍ତି। ଏହା ବ୍ୟତୀତ ଭୁବନେଶ୍ଵର କୁମାର ଓ ରୋମାରିଓ ସେଫେର୍ଡ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ରାଜସ୍ଥାନ ପାଇଁ ଜୋଶ ବଟଲର ଓ ଯଶସ୍ୱୀ ଜୈସୱାଲ ଇନିଂସ ଆରମ୍ଭ କରିଥିଲେ। ଉଭୟ ପାୱାର ପ୍ଲେରେ ୫୮ ରନ୍ ସଂଗ୍ରହ କରି ଦୃଢ଼ ମୂଳଦୁଆ ପକାଇଥିଲେ। ଏହି ସମୟରେ ୨୦ ରନ୍ କରିଥିବା ଜୈସୱାଲଙ୍କୁ ଆଇପିଏଲରେ ଡେବ୍ୟୁ କରିଥିବା ଇଣ୍ଡିଜ ତାରକା ରୋମାରିଓ ଶେଫର୍ଡ ଆଉଟ କରିଦେଇଥିଲେ। କିଛି ସମୟ ପରେ ବଟଲର(୩୭) ମଧ୍ୟ ଉମରାନ ମଲିକଙ୍କ ଶିକାର ବନିଥିଲେ। ହେଲେ ରାଜସ୍ଥାନରେ ବ୍ୟାଟରଙ୍କ ଅଭାବ ନଥିଲା। ବଟଲର ଓ ଜୈସୱାଲଙ୍କ ପରେ ସାମସନ ଓ ଦେବଦତ୍ତ ପାଡିକ୍କଲ ସ୍ଥିତି ସମ୍ଭାଳିଥିଲେ। ଉଭୟ ୩ ୱିକେଟ ପାଇଁ ଦ୍ରୁତ ୭୩ ରନ୍ ଯୋଡ଼ିଥିଲେ। ଦଳୀୟ ସ୍କୋର ୧୪୮ ଥିବା ବେଳେ ପାଡିକ୍କଲ ୪୧ ରନ୍ କରି ଉମରାନଙ୍କ ଦ୍ୱିତୀୟ ଶିକାର ବନିଥିଲେ। ତେବେ ସଞ୍ଜୁ ସାମସନ ନିଜର ଅର୍ଦ୍ଧଶତକ ହାସଲ କରି ଦଳୀୟ ସ୍କୋରକୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଅଭିଜ୍ଞ ଭୁବନେଶ୍ୱର କୁମାର ତାଙ୍କୁ ଆଉଟ କରି ରାଜସ୍ଥାନକୁ ବଡ଼ ଝଟକା ଦେଇଥିଲେ। ୨୭ ବଲରେ ୫୫ ରନ୍ର ଇନିଂସ ଖେଳିଥିବା ସାମସନ ୫ଟି ବିଶାଳ ଛକା ଓ ୩ଟି ଚୌକା ମାରିଛନ୍ତି। ଶିମରନ ହେଟମେୟର ମଧ୍ୟ ବିସ୍ଫୋରକ ଇନିଂସ ଖେଳିଛନ୍ତି। ସେ ମାତ୍ର ୧୩ ବଲରେ ୩୩ ରନ୍ କରି ରାଜସ୍ଥାନ ସ୍କୋରକୁ ୨୦୦ ପାର କରାଇଥିଲେ। ଏହି ଇନିଂସରେ ସେ ୩ଟି ଛକା ଓ ୨ଟି ଚୌକା ମାରିଛନ୍ତି। ଶେଷ ଓଭରରେ ହେଟମେୟରଙ୍କୁ ନଟରାଜନ ଆଉଟ କରିଥିଲେ। ରିୟାନ ପରାଗ ମଧ୍ୟ ୧୨ ରନ କରି ଇନିଂସର ଶେଷ ବଲରେ ନଟରାଜନଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଶେଷରେ ରାଜସ୍ଥାନ ୬ ୱିକେଟ ହରାଇ ୨୧୦ ରନ କରିବାକୁ ସକ୍ଷମ ହୋଇଛି। ହାଇଦ୍ରାବାଦ ପକ୍ଷରୁ ଉମରାନ ଓ ନଟରାଜନ ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର ଓ ଶେଫର୍ଡ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।
