ଜଳେଶ୍ୱରରୁ ୧୫୨ ଗ୍ରାମ ବ୍ରାଉନ୍ସୁଗର ଜବତ, ଜଣେ ଗିରଫ
ଜଳେଶ୍ୱର : ବାଲେଶ୍ୱର ଜିଲାର ଜଳେଶ୍ୱର ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବ୍ରାଉନ୍ସୁଗର କାରବାରକୁ କୁଟୀରଶିଳ୍ପରେ ପରିଣତ କରାଯାଇଛି । ଏସ୍ଟିଏଫ୍, ଅବକାରୀ ଓ ସ୍ଥାନୀୟ ପୋଲିସ୍ ବିଭିନ୍ନ ସମୟରେ ଚଢ଼ାଉ କରି ବିପୁଳ ବ୍ରାଉନ୍ସୁଗର ଜବତ କରି ଅଭିଯୁକ୍ତମାନଙ୍କୁ ଗିରଫ କରି ଚାଲାଣ କରାଯାଉଥିଲେ ମଧ୍ୟ ଏହି ନିଶାକାରବାର କମିବାରେ ନାଁ ଧରୁନାହିଁ । ଅଭିଯୁକ୍ତମାନେ ବେଲ୍ରେ ଆସି ପୁଣି ପରୋକ୍ଷରେ ଏହି ନିଶା କାରବାର ଚଳାଉଥିବା କୁହାଯାଉଛି ।
ମଙ୍ଗଳବାର ଭୋର୍ ସମୟରେ ଜଳେଶ୍ୱର ପୋଲିସ୍ର ଏକ ଟିମ୍ ମ୍ୟୁନିସିପାଲଟିର ଝାଡ଼େଶ୍ୱରପୁର ଅଞ୍ଚଳରେ ଚଢ଼ାଉ କରିଥିଲା । ପଶ୍ଚିମବଙ୍ଗରୁ ଆସି ଗଚ୍ଛିତ ଥିବା ବ୍ରାଉନ୍ସୁଗରକୁ ଭୋର ସମୟରେ ଜଳେଶ୍ୱରୁ ବାଲେଶ୍ୱର ଚାଲାଣ ସମୟରେ ଏହାକୁ କାବୁ କରାଯାଇଥିଲା । ପୋଲିସ୍ ଟିମ୍ ଏସ୍କେ ସମିତୁଲ୍ଲାଙ୍କ ଘରେ ଚଢ଼ାଉ ସମୟରେ ୧୫୨ ଗ୍ରାମ ବ୍ରାଉନ୍ସୁଗର ଜବତ୍ କରିଥିଲା । ପୋଲିସ୍ ଏସ୍କେ ସମିତୁଲ୍ଲାର ପୁଅ ମହମ୍ମଦ ସମିରକୁ ଗିରଫ କରିଥିଲା । ସେ ସେହି ଗ୍ରାମର ଏସ୍କେ କୟାମତଙ୍କ ପାଖରୁ ବ୍ରାଉନ୍ସୁଗର ଆଣିଥିବା କହିବା ପରେ ପୋଲିସ୍ ତାକୁ ଖୋଜାଖୋଜି କରିଥିଲା । ହେଲେ ସେ ଫେରାର ଥିବାରୁ ଅଦ୍ୟାବଧି ଗିରଫ କରାଯାଇନଥିବା ଜଣାଯାଇଛି । ଜବତ୍ ହୋଇଥିବା ବ୍ରାଉନ୍ ସୁଗରର ମୂଲ୍ୟ୧୫ଲକ୍ଷ ୨୦ହଜାର ହେବ ବୋଲି ଜଣାଯାଇଛି । ଏହି ଚଢ଼ାଉରେ ଆଇଆଇସି ରୋଜାଲିନ୍ ବେହେରାଙ୍କ ସହିତ ଏସ୍ଆଇ ମଧୁମିତା ସିଂ ଓ ଏସ୍ ବିଶ୍ୱାଳ ସାମିଲ ଥିଲେ ।
