ବାଲେଶ୍ୱରରେ ଭାରତ ବନ୍ଦର ଆଂଶିକ ପ୍ରଭାବ
ବାଲେଶ୍ୱର : କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଜାତୀୟ ଫେଡେରେସନ୍ମାନଙ୍କ ମିଳିତ ଆହ୍ୱାନରେ ଦୁଇଦିନିଆ ଭାରତବନ୍ଦ ବାଲେଶ୍ୱରରେ ପ୍ରଥମଦିନରେ ଆଂଶିକ ପ୍ରଭାବ ପକାଇଛି । ବନ୍ଦ ଆହ୍ୱାନ ଦେଇଥିବା ବିଭିନ୍ନ ଶ୍ରମିକ ସଂଗଠନ ଓ କୃଷକ, ମହିଳା, ଛାତ୍ର ସଂଗଠନର ସଦସ୍ୟ ସଦସ୍ୟାମାନେ ସୋମବାର ପୂର୍ବାହ୍ନ ୬ଟାରେ ବାଲେଶ୍ୱର ରେଳଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ କରି ୩ଟି ଯାତ୍ରୀବାହି ଗାଡ଼ିକୁ ଅଟକାଇଥିଲେ । ଭଦ୍ରକ-ହାଓଡ଼ା ଏକ୍ସପ୍ରେସ୍, କରମଣ୍ଡଳ ସୁପରଫାଷ୍ଟ୍ ଓ ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ୍ ଟ୍ରେନ୍କୁ ପ୍ରାୟ ଦେଢ଼ଘଣ୍ଟା ପର୍ଯ୍ୟନ୍ତ ଅଟକାଇଥିଲେ । ପୂର୍ବାହ୍ନ ୮ଟା ପରେ ଆନ୍ଦୋଳନକାରୀମାନେ ଷ୍ଟେସନରୁ ଚାଲିଆସିବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା । ବସ୍ କର୍ମଚାରୀ, ଅଟୋ ଓ ରିକ୍ସାଚାଳକମାନେ ଧର୍ମଘଟରେ ଯୋଗଦେଇଥିବାରୁ ଯାତାୟତ ପ୍ରଭାବିତ ହୋଇଥିଲା ।
ମାଲିକ ସପକ୍ଷ ଶ୍ରମ ଆଇନ୍କୁ ବିରୋଧ କରି ଓ ଦରଦାମ୍ ବୃଦ୍ଧି, ଜାତୀୟ ସମ୍ପତ୍ତି ଘରୋଇକରଣକୁ ବିରୋଧ କରି ଓ ସ୍କିମ୍ ୱାର୍କରଙ୍କୁ ଶ୍ରମିକ ମାନ୍ୟତା, ମାସିକ ସର୍ବନିମ୍ନ ୨୮ ହଜାର ଟଙ୍କା ବେତନ ଓ ୯ ହଜାର ମାସିକ ପେନସନ୍, ଠିକା ଶ୍ରମିକ ବ୍ୟବସ୍ଥା ଉଚ୍ଛେଦ, ସମାନ କାମକୁ ସମାନ ବେତନ ପ୍ରଭୃତି ୧୨ ଦଫା ଦାବି ଉପରେ ବିକ୍ଷୋଭକାରୀମାନେ ନାରାବାଜି କରିଥିଲେ । ପୂର୍ବାହ୍ନ ୮ଟାରୁ ବାଲେଶ୍ୱର ଷ୍ଟେସନ୍ ଛକରେ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ ଫଳରେ କେତେକ ଚାରିଚକିଆ ଯାନଗୁଡ଼ିକ ଫେରିବାକୁ ବାଧ୍ୟ ହୋଇଥିଲେ । ସ୍କୁଲ୍, କଲେଜ୍, ବସ୍ଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ଥିଲା । ଦଳଦଳ ଶ୍ରମିକ-କର୍ମଚାରୀ ଜିଲାପାଳଙ୍କ ଦପ୍ତର ସମେତ ବହୁ ସରକାରୀ ଅଫିସ୍ ଓ ପୌର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାରୁ ଅନେକ ଅଫିସ୍ ବନ୍ଦ ହୋଇଯାଇଥିଲା । ଅଫିସ୍ ଗୁଡ଼ିକରେ କର୍ମଚାରୀଙ୍କ ଉପସ୍ଥାନ କମ୍ଥିବାର ଦେଖାଯାଇଥିଲା । ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ନେତୃତ୍ୱଙ୍କ ସମେତ ବ୍ୟାଙ୍କ୍, ବୀମା, ଡାକ, ବିଦ୍ୟୁତ୍, ପରିବହନ, ଉଠାଜଳସେଚନ, ଜୀବନବୀମା ନିଗମ, ପଥବିକ୍ରେତା, ନିର୍ମାଣ ଶ୍ରମିକ, ଅଙ୍ଗନୱାଡ଼ି, ପାଚିକା, ଆଶା, ଅଟୋରିକ୍ସା, ରିକ୍ସା ଚାଳକ, ବିଭିନ୍ନ କଳକାରଖାନା ଶ୍ରମିକମାନେ ବନ୍ଦରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଷ୍ଟେଟ୍ବ୍ୟାଙ୍କ୍ କର୍ମଚାରୀ ଓ ଘରୋଇ ବ୍ୟାଙ୍କ୍ କର୍ମଚାରୀମାନେ ଧର୍ମଘଟରେ ଯୋଗ ଦେଇନଥିବାରୁ ଆନ୍ଦୋଳନକାରୀମାନେ ଏହି ବ୍ୟାଙ୍କ୍ ଶାଖାଗୁଡ଼ିକ ସମ୍ମୁଖରେ ବିକ୍ଷୋଭ କରିବା ଫଳରେ କର୍ମଚାରୀମାନେ ବ୍ୟାଙ୍କ୍କୁ ଯାଇପାରିନଥିଲେ । ଦୋକାନ ବଜାର ପ୍ରାୟ ବନ୍ଦ ରହିଥିଲା ।
ସେହିପରି ୧୬ନଂ. ଜାତୀୟ ରାଜପଥକୁ ରେମୁଣା ଗୋଲେଇ ନିକଟସ୍ଥ ଟାଟା ପାୱାରର ମୁଖ୍ୟ ଦପ୍ତର ସମ୍ମୁଖରେ ଦୀର୍ଘ ୪ ଘଣ୍ଟା ଧରି ଆନ୍ଦୋଳନକାରୀ ମାନେ ଅବରୋଧ କରିବା ଫଳରେ ଶହଶହ ଗାଡ଼ି ଉଭୟ ଦିଗରେ ଅଟକିଥିଲା । ବାଲେଶ୍ୱରରୁ ଚାନ୍ଦିପୁରକୁ ଯାଉଥିବା ପ୍ରତିରକ୍ଷା ବିଭାଗର ଗାଡ଼ିଗୁଡ଼ିକ ପୂର୍ବାହ୍ନ ୬ଟା ପୂର୍ବରୁ ଚାଲିଯାଇଥିଲା । ଚାନ୍ଦିପୁରରେ ପ୍ରତିରକ୍ଷା କର୍ମଚାରୀମାନେ କେନ୍ଦ୍ରସରକରଙ୍କ ଶ୍ରମଜୀବୀ ବିରୋଧି ଆଇନ୍ ପ୍ରତ୍ୟାହାର ଦାବି କରି ଫାଟକ ନିକଟରେ ନାରାବାଜି କରିଥିଲେ । ବାଲେଶ୍ୱର ଜିଲାଜଜ୍ଙ୍କ କୋର୍ଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ଓ ଓକିଲ ସଂଘ ଭାରତ ବନ୍ଦ ଆହ୍ୱାନ ଓ ଶ୍ରମିକମାନଙ୍କ ଦାବିକୁ ସମର୍ଥନ ଜଣାଇଥିବାରୁ ସମସ୍ତ ବିଚାରପତି ଅଦାଲତ ଫାଟକ ନିକଟରୁ ଫେରିଯାଇଥିଲେ । ଏହି ଦୁଇଦିନିଆ ବନ୍ଦ ଆନ୍ଦୋଳନର ପ୍ରଥମ ଦିନରେ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ଆବାହକ ତଥା ଟିୟୁଏସିସିର ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହୀ, ଏଆଇଟିୟୁସିରୁ ଶ୍ୟାମସୁନ୍ଦର ଜେନା, ଜୟନ୍ତ ଦାସ, ସିଆଇଟିୟୁରୁ ରାଜକିଶୋର ଲେଙ୍କା, ନିର୍ମଳ ନାୟକ, ଈଷାଣୀ ଷଡ଼ଙ୍ଗୀ, ଆଇଏନ୍ଟିୟୁସିରୁ ସୁରେଶ ଚନ୍ଦ୍ର ବେହେରା, ବିକାଶ ଦାସ, ବାସନ୍ତି ସାମଲ, ଏଆଇୟୁଟିୟୁସିରୁ ରବୀନ୍ଦ୍ର ବେହେରା, ପ୍ରଶାନ୍ତ ଦାସ, ଏଚ୍ଏମ୍ଏସ୍ରୁ ଅରୁଣ କୁମାର ସ୍ୱାଇଁ, ଗଦାଧର ପ୍ରଧାନ, ପୀତାମ୍ବର ମାଝି, ଟିୟୁଏସିସିରୁ ସର୍ବେଶ୍ୱର ମିଶ୍ର, ଲକ୍ଷ୍ମୀଧର ଗିରି, କୃଷକ ସଂଗଠନରୁ ଅରୁଣ ଜେନାଙ୍କ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରଦୀପ ବେହେରା, ଶ୍ୟାମସୁନ୍ଦର ଜେନା, ଯଶୋଦା ନନ୍ଦନ ଆସ, ପ୍ରତିଭା ପାଲ୍, ମୋହିନୀ ମୋହନ ପରିଡ଼ା, ଆବିଦ୍ ଖାଁ, ମୃତ୍ୟୁଞ୍ଜୟ ପ୍ରଧାନ, ରାଜେନ୍ଦ୍ର ପାତ୍ର, ପରମେଶ୍ୱର ପାତ୍ର, ଭରତ ଚନ୍ଦ୍ର ସେଠୀ, ସୁଦର୍ଶନ ପୁଟି, ନାରୀନେତ୍ରୀ ବନ୍ଦନା ବିଶ୍ୱାସ, ବସ୍ତିବାସିନ୍ଦା ସଂଘ ସଭାପତି ବେଣୁଧର ବାରିକ, ଜତିନ୍ ପାତ୍ର, ଆଇନଜୀବୀ ନିରଞ୍ଜନ ପରିଡ଼ା, ସୁହାଗୀ ମାଝୀ, ପୀତାମ୍ବର ମାଝୀ, ଶଶିକାନ୍ତ ବେହେରା, ସନ୍ତୋଷ ରଣା ପ୍ରମୁଖ ନେତୃତ୍ୱ ନେଇଥିବାର ଦେଖାଯାଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ୍ ମୁତୟନ କରାଯାଇଥିଲା । ସନ୍ଧ୍ୟା ସୁଦ୍ଧା ବନ୍ଦ ଶାନ୍ତିପୂର୍ଣ୍ଣ ଥିଲା ।
