ଆଇପିଏଲ ୨୦୨୨ : ଟସ୍ ଜିତି ଗୁଜରାଟର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଲକ୍ଷ୍ନୌ
ମୁମ୍ବାଇ : ଆଇପିଏଲ ୨୦୨୨ର ଚଳିତ ସିଜିନରେ ନୂଆ କରି ପାଦ ଥାପିଥିବା ଦୁଇ ଦଳ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ସୋମବାର ମୁହାଁମୁହିଁ ହେବେ । ୱାଙ୍ଖଡେ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯିବ। ମୁକାବିଲାରେ ଟସ୍ ଜିତି ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥେମ ବ୍ୟାଟିଂ କରିବ ଲକ୍ଷ୍ନୌ ସୁପର ଜାୟଣ୍ଟସ।
ଦୁଇ ଦଳ ନୂଆ ହୋଇଥିଲେ ହେଁ ଖେଳାଳିମାନେ ଆଇପିଏଲ୍ ସହ ବହୁ ପୂର୍ବରୁ ଜଡ଼ିତ । ତଥାପି ଏହି ମ୍ୟାଚ୍ କ୍ରିକେଟ୍ ପ୍ରେମୀଙ୍କ ପାଇଁ ନୂଆ ଉନ୍ମାଦନା ନେଇ ଆସିଛି । ଉଭୟ ଦଳ ଶ୍ରେଷ୍ଠ ଏକାଦଶ ଚୟନ କରିବା ସମ୍ଭାବନା ନାହିଁ । କାରଣ ଅଧିକାଂଶ ଖେଳାଳି ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳୁଥିବାରୁ ଆଇପିଏଲ୍ରେ ଯୋଗ ଦେଇନାହାନ୍ତି । ସୁପରଜାଏଣ୍ଟ୍ସ ଦଳରେ ମାର୍କସ ଷ୍ଟୋଇନିସ୍, ଜାସନ ହୋଲ୍ଡର, କେଲି ମେୟର୍ସ ଏ ପର୍ଯ୍ୟନ୍ତ ଯୋଗ ଦେଇ ନାହାନ୍ତି । ମାର୍କ ଉଡ୍ ଆହତ ହୋଇ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ଅବଶ୍ୟ ଆଣ୍ଡ୍ର୍ୟୁ ଟାଏଙ୍କୁ ଚୁକ୍ତି କରାଯାଇଛି। ହେଲେ ଏପର୍ଯ୍ୟନ୍ତ ତାଙ୍କ କ୍ୱାରେଣ୍ଟାଇନ ଶେଷ ହୋଇ ନାହିଁ। ତଥାପି ଦଳ ଯଥେଷ୍ଟ ଶକ୍ତିଶାଳୀ । ଅଧିନାୟକ ଲୋକେଶ ରାହୁଲ, ଦୀପକ ହୁଡ଼ା, କୃନାଲ ପାଣ୍ଡ୍ୟା, ରବି ବିଶ୍ନୋଇ, ଅଭେଶ ଖାନଙ୍କ ଭଳି ଖେଳାଳି ରହିଛନ୍ତି । ଟାଇଟନ୍ସ ଦଳରେ ମଧ୍ୟ ତାରକା ଖେଳାଳି ଭରପୁର । ଜାସନ ରୟ ଓହରି ଯାଇଥିଲେ ହେଁ ଦଳ ପ୍ରଭାବିତ ହେବ ନାହିଁ । ଶୁଭମନ ଗିଲଙ୍କ ସହ ମାଥ୍ୟୁ ୱେଡ୍ ପାଳି ଆରମ୍ଭ କରିବେ । ରସିଦ ଖାନ, ଲୋକି ଫର୍ଗୁସନ, ମହମ୍ମଦ ସାମିଙ୍କୁ ନେଇ ଟାଇଟନ୍ସ ଦଳର ବୋଲିଂ ବିଭାଗ ବେଶ୍ ଶକ୍ତିଶାଳୀ । ମଝିରେ ରାହୁଲ ତେୱାତିଆ ଓ ଆର ସାଇ କିଶୋର ସ୍ପିନ ବିଭାଗ ସମ୍ଭାଳିବେ । ତେଣୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବୋଲିଂ ଉପରେ ଦଳ ନିର୍ଭର କରିବ ନାହିଁ ।
ଏହା ସହିତ ଟୁର୍ଣ୍ଣାମେଣ୍ଟରେ ଦୁଇ ଭାଇ ତଥା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃଣାଲ ପାଣ୍ଡ୍ୟାଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ। ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସର ନେତୃତ୍ଵ ନେଉଥିବା ବେଳେ କୃଣାଲ ଲକ୍ଷ୍ନୌ ଦଳର ସଦସ୍ୟ। ଆଇପିଏଲ ଇତିହାସରେ ପ୍ରଥମ ଥର ଏହି ଦୁଇ ଭାଇଙ୍କୁ ପରସ୍ପର ବିରୋଧରେ ଖେଳୁଥିବା ଦର୍ଶକ ଦେଖିବାକୁ ପାଇବେ। ଏହା ପୂର୍ବରୁ ହାର୍ଦ୍ଦିକ ଓ କୃଣାଲ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳି ଆସୁଥିଲେ। ତେବେ ଏଥର ମେଗା ନିଲାମ ପରେ ଦୁଇ ଭାଇ ଭିନ୍ନ ଭିନ୍ନ ଦଳ ପକ୍ଷରୁ ପ୍ରତିନିଧିତ୍ଵ କରିବେ। ଗୁଜରାଟ ଟାଇଟନ୍ସର ନେତୃତ୍ଵ ଦାୟିତ୍ଵ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ଥିବା ବେଳେ ଲକ୍ଷ୍ନୌ ସୁପର ଜାୟଣ୍ଟସର ଅଧିନାୟକ ଦାୟିତ୍ଵ କେଏଲ ରାହୁଲଙ୍କ ଉପରେ ରହିଛି। ମେଗା ନିଲାମରେ ଗୁଜରାଟ କୃଣାଲଙ୍କ ଉପରେ ଦୁଇ ଥର ଡାକ ପକାଇଥିଲା। ହେଲେ ଶେହରେ ଲକ୍ଷ୍ନୌ ଟିମ୍ ବାଜି ମାରି ନେଇଥିଲା। ହାର୍ଦ୍ଦିକଙ୍କୁ ଅହମ୍ମଦାବାଦ ଫ୍ରାଞ୍ଚାଇଜି ମେଗା ନିଲାମ ପୂର୍ବରୁ ୧୫ କୋଟି ଟଙ୍କାରେ ଡ୍ରାଫ୍ଟ କରିଥିଲା। ଅନ୍ୟପଟେ କୃଣାଲ ପାଣ୍ଡ୍ୟାଙ୍କୁ ମେଗା ନିଲାମରେ ଲକ୍ଷ୍ନୌ ଫ୍ରାଞ୍ଚାଇଜି ୮.୨୫ କୋଟି ଟଙ୍କାରେ ନିଜ ଦଳରେ ସାମିଲ୍ କରିଥିଲା। ହାର୍ଦ୍ଦିକ ଓ କୃଣାଲ ଦୁଇ ଭାଇ କ୍ରିକେଟ୍ରେ ବହୁତ ସଂଘର୍ଷ କରିଛନ୍ତି। ଦୀର୍ଘ ବର୍ଷ ଉଭୟ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଛନ୍ତି। ମୁମ୍ବାଇକୁ ୫ ଥର ଚମ୍ପିଆନ କରାଇବାରେ ଉଭୟଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି।
ଲକ୍ଷ୍ନୌ ସୁପର ଜାୟଣ୍ଟସ :
କେଏଲ ରାହୁ(ଅଧିନାୟକ), କ୍ଵିଣ୍ଟନ ଡି କକ୍(ଓ୍ଵିକେଟ୍ କିପର), ଏଭିନ ଲୁଇସ୍, ମନିଷ ପାଣ୍ଡେ, ଦୀପକ ହୁଡ୍ଡା, କୃଣାଲ ପାଣ୍ଡ୍ୟା, ମୋହସିନ ଖାନ, ଆୟୁଷ ବାଦୋନି, ଦୁଷ୍ମନ୍ତ ଚାମିରା, ରବି ବିଷ୍ଣୋଇ, ଅଭେଶ ଖାନ।
ଗୁଜରାଟ ଟାଇଟନ୍ସ :
ଶୁଭମାନ ଗିଲ୍, ମାଥ୍ୟୁ ଓ୍ଵାଡେ(ଓ୍ଵିକେଟ୍ କିପର), ବିଜୟ ଶଙ୍କର, ଅଭିନବ ମନୋହର, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଡେଭିଡ୍ ମିଲର, ରାହୁଲ ତେଓ୍ଵତିଆ, ରଶିଦ ଖାନ, ଲୋକି ଫର୍ଗ୍ୟୁସନ, ବରୁଣ ଆରୋନ, ମହମ୍ମଦ ଶାମି।
