ବାଲେଶ୍ୱର ବାର୍ ଆସୋସିଏସନ୍ ନିର୍ବାଚନ : ମନୋଜ ସଭାପତି, ସମ୍ବିତ ସମ୍ପାଦକ
ବାଲେଶ୍ୱର : ବାଲେଶ୍ୱର ଜିଲା ବାର୍ ଆସୋସିଏସନ୍ର କର୍ମକର୍ତ୍ତା ନିର୍ବାଚନ ସରିଛି । ସଭାପତି ଭାବେ ଆଇନଜୀବୀ ମନୋଜ କୁମାର ନାୟକ ଓ ସମ୍ପାଦକ ଭାବେ ସମ୍ବିତ କୁମାର ନନ୍ଦୀ ନିର୍ବାଚିତ ହୋଇଛନ୍ତି । ସେହିପରି ଉପ-ସଭାପତି ଭାବେ ନୃସିଂହ ଚରଣ ନାୟକ, ସହ-ସମ୍ପାଦକ ଭାବେ ରଞ୍ଜିତ ପଣ୍ଡା ଓ ସୂର୍ଯ୍ୟକାନ୍ତ କର, କୋଷାଧ୍ୟକ୍ଷ ଭାବେ ଶକ୍ତିଧର ସାନ୍ତରା, ସହ-କୋଷାଧ୍ୟକ୍ଷ ଭାବେ ପିନାକି ଧୀର ନିର୍ବାଚିତ ହୋଇଛନ୍ତି । ସେହିପରି ପରିଚାଳନା କମିଟି ସଦସ୍ୟ ଭାବେ ରିତାଞ୍ଜଳି ନନ୍ଦ, ବାସନ୍ତି ସାହୁ, ପ୍ରଭାତ କୁମାର ଦାସ, ସଞ୍ଜୟ କୁମାର ଚୌଧୁରୀ, କିଶୋର ବଲ୍ଲଭ ଦାସ, ସୌରୀ ଶଙ୍କର ପରିଡ଼ା, ଜ୍ଞାନରଞ୍ଜନ ପାଣି, ଅକ୍ଷୟ କୁମାର ପାତ୍ର, ମମତା ବେହେରା, ରାମକୃଷ୍ଣ ଜେନା, ବିଜୟ କୁମାର ପରିଡ଼ା, ଦେବାଶିଷ ପାତ୍ର ନିର୍ବାଚିତ ହୋଇଥିବା ନେଇ ସଂଘର ନିର୍ବାଚନ ଅଧିକାରୀ କାର୍ତ୍ତିକ ଚନ୍ଦ୍ର ସି ସୂଚନା ଦେଇଛନ୍ତି ।
ସୂଚନା ଯେ, ବାଲେଶ୍ୱର ବାର୍ ଆସୋସିଏସନ୍ରେ ସଦସ୍ୟ ସଂଖ୍ୟା ୧୨୪୧ ଜଣ ଥିବା ବେଳେ ୧୯ଟି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଶନିବାର ପୂର୍ବାହ୍ନ ୮ଟାରୁ ୩ଟା ପର୍ଯ୍ୟନ୍ତ ଭୋଟ୍ ଗଣତି ହୋଇଥିଲା । ସେହିପରି ଅପରାହ୍ନ ୪ଟାରୁ ଗଣତି ଆରମ୍ଭ ହୋଇ ରାତି ୧୨ଟାରେ ଫଳ ପ୍ରକାଶ ପାଇଥିଲା । ନିର୍ବାଚନରେ ସଭାପତି ପଦ ପାଇ ୩ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିଲେ । ସେହିପରି ଗୋଟିଏ ଉପସଭାପତି ପାଇଁ ୨ଜଣ, ଗୋଟିଏ ସାଧାରଣ ସମ୍ପାଦକ ପଦ ପାଇଁ ୫ଜଣ, ୨ଟି ସହ-ସମ୍ପାଦକ ପଦ ପାଇଁ ୬ଜଣ, ଗୋଟିଏ କୋଷାଧ୍ୟକ୍ଷ ପଦ ପାଇଁ ୪ଜଣ, ଗୋଟିଏ ସହ-କୋଷାଧ୍ୟକ୍ଷ ପଦ ପାଇଁ ୨ଜଣ ଏବଂ ୧୨ଟି କାର୍ଯ୍ୟକାରିଣୀ ସଦସ୍ୟ ପାଇଁ ୨୬ଜଣ ପ୍ରତିଦ୍ୱନ୍ଦିତା କରୁଥିଲେ ।
