ଏମ୍ଆର୍ସାମ୍ ମିଜାଇଲର ସଫଳ ପରୀକ୍ଷଣ
ବାଲେଶ୍ୱର : ବାଲେଶ୍ୱର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍କ୍ଷେପଣ ହେଲା ସ୍ଥଳଭାଗରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମିସାଇଲ ମିଡିୟମ୍ ରେଞ୍ଜ ସରଫେସ୍ ଟୁ ଏୟାର ମିଜାଇଲ୍ (ଏମ୍ଆର୍ସାମ୍) । ରବିବାର ପୂର୍ବାହ୍ନ ୧୦ଟା ୩୪ ମିନିଟ୍ ସମୟରେ ୩ନଂ ଲଞ୍ଚପ୍ୟାଡ଼ରୁ ଏହା ପରୀକ୍ଷଣ ହୋଇଛି । ସଫଳ ଉତ୍କ୍ଷେପଣ ହୋଇଥିବା ଡିଆରଡିଓ ପକ୍ଷରୁ ସୂଚନା ମିଳିଛି ।
MRSAM-Army missile system flight tested from ITR Balasore at around 1030 Hrs intercepting a high speed aerial target at long range. The target was destroyed by the missile in a direct hit.@PMOIndia @DefenceMinIndia @SpokespersonMoD @adgpi pic.twitter.com/Ra5yfHaHo1
— DRDO (@DRDO_India) March 27, 2022
ପରୀକ୍ଷଣ ପାଇଁ ଲଞ୍ଚପ୍ୟାଡ଼ର ଅଢ଼େଇ କିଲୋମିଟର ପରିଧି ମଧ୍ୟରୁ ୬ଟି ଗାଁର ୭ ହଜାର ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଏହି ମିଜାଇଲକୁ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆର୍ଡିଓ), ଇସ୍ରାଏଲ୍ କମ୍ପାନୀ ଆଇଏଆଇ ସହିତ ମିଶି ନିର୍ମାଣ କରିଛି । ଏମ୍ଆର୍ସାମର ଓଜନ ପ୍ରାୟ ୨୭୫ କିଲୋଗ୍ରାମ୍ । ଲମ୍ବ ୪.୫ ମିଟର ହୋଇଥିବା ବେଳେ ଗୋଲେଇ ୦.୪୫ ମିଟର ଅଟେ । ଏହି ମିଜାଇଲରେ ୬୦ କିଲୋଗ୍ରାମ୍ ପର୍ଯ୍ୟନ୍ତ୍ର ଅସ୍ତ୍ରଶସ୍ତ୍ର ବହନ କରାଯାଇ ପାରିବ । ଏହି ମିଜାଇଲ ୨ଟି ଷ୍ଟେଜର ହୋଇଥିବା ବେଳେ ଉତ୍କ୍ଷେପଣ ପରେ କମ୍ ଧୂଆଁ ଛାଡ଼ିଥାଏ । ଗୋଟିଏ ଥର ଉତ୍କ୍ଷେପଣ ପରେ ଏମ୍ଆର୍ସାମ୍ ଆକାଶରେ ସିଧାସଳଖ ୧୬ କିଲୋମିଟର ମଧ୍ୟରେ ଥିବା ଟାର୍ଗେଟକୁ ଧ୍ୱଂସ କରିପାରିବ । ଏହି ମିଜାଇଲ ଅଧ କିଲୋମିଟରରୁ ନେଇ ୧୦୦ କିଲୋମିଟର ଯାଏ ଟାର୍ଗେଟକୁ ନଷ୍ଟ କରିପାରେ । ଅର୍ଥାତ୍ ଅଧ କିଲୋମିଟରରୁ ୧୦୦ କିଲୋମିଟର ପରିଧି ଭିତରେ ଥିବା ଶତ୍ରୁ ବିମାନ, ଡ୍ରୋନ୍ ଓ ମିଜାଇଲକୁ ଏହା ଧ୍ୱଂସ କରି ଦେବ । ଏମ୍ଆର୍ସାମରେ ନୂତନ ଭାବେ ରେଡିଓ ଫ୍ରିକ୍ୱେନ୍ସି ସିକର ଖଞ୍ଜା ଯାଇଛି । ଯଦି ଶତ୍ରୁ ଚକମା ଦେବା ପାଇଁ କେବଳ ରେଡିଓର ବ୍ୟବହାର କରିନ୍ତି ତ ଏହା ନଷ୍ଟ କରିଦେବ । ଏହାର ବେଗ ସେକେଣ୍ଡ ପିଛା ୬୮୦ ମିଟର । ଅର୍ଥାତ୍ ଘଣ୍ଟା ପ୍ରତି ୨୪୪୮ କିଲୋମିଟର ବେଗରେ ଏହା ଗତି କରିବ ।
