ବନ୍ଧୁକ ଫୁଟାଇ ବିଜୟ ଉତ୍ସବ ମନାଇଲେ ବିଜେଡି କାଉନସିଲର୍
ସୋନପୁର : ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ବିଜୟୀ ପ୍ରାର୍ଥୀମାନେ ଢୋଲ, ଡିଜେ, ବାଜା, ବାଣ ଫୁଟାଇବା ସହ ଫଗୁ ଖେଳି ବିଜୟ ଉତ୍ସବ ମନାଇଥିବା ବେଳେ ସୁବର୍ଣ୍ଣପୁର ପୌରାଞ୍ଚଳରେ ଜଣେ ବିଜୟୀ ପ୍ରାର୍ଥୀ ଅଭିନବ ବିଜୟ ଉତ୍ସବ ମନାଇଛନ୍ତି । ସୁବର୍ଣ୍ଣପୁର ପୌରାଞ୍ଚଳ ୯ ୱାର୍ଡର ବିଜେଡି କାଉନସିଲର୍ ପ୍ରାର୍ଥୀ କଇରୁ ସ୍ୱାଇଁ ତାଙ୍କ ବିଜୟ ପାଇଁ ବନ୍ଧୁକ ଫୁଟାଇ ବିଜୟ ଉତ୍ସବ ସେଲିବ୍ରେସନ୍ କରିଛନ୍ତି । ବିଜୟ ଶୋଭାଯାତ୍ରାରେ ସେ ବନ୍ଧୁକ ଫୁଟାଇଥିବା ଜଣାପଡ଼ିଛି । ତେବେ ସର୍ବ ସାଧାରଣ ସ୍ଥାନରେ ବ୍ଲାଙ୍କ୍ ଫାୟାରିଂ କରିବା କେତେଦୂର ଆଇନ ସମୀଚିନ ତାହାକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୋଇଛି ।
ସାଧାରଣତଃ ଯେକୌଣସି ସ୍ଥାନରେ ଗୁଳି ଫୁଟିଲେ ପୁଲିସ୍ ସଙ୍ଗେ ସଙ୍ଗେ ତା’ର ଖୋଳତାଡ଼ କରୁଥିବା ବେଳେ ଏବେ ନିର୍ବାଚନ ଫଳାଫଳ ପରେ ବିଜୟ ଉତ୍ସବରେ ଫୁଟିଥିବା ଗୁଳିକୁ ନେଇ ପୁଲିସ୍ କ’ଣ ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା । ଅପରପକ୍ଷେ ବନ୍ଧୁକ ଫୁଟାଇବା ସମୟରେ ନିକଟରେ ପୁଲିସ୍ ଫୋର୍ସ ଥିଲା କି ନାହିଁ କିମ୍ବା ସ୍ଥାନୀୟ ଥାନାର କୌଣସି ଉଚ୍ଚ ଅଧିକାରୀ ଉପସ୍ଥିତ ଥିଲେ କି ନାହିଁ ତାହା ଜଣାପଡ଼ିନାହିଁ । ପୁଲିସ୍ ଠାରୁ ମଧ୍ୟ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
