ଉଦଘାଟନୀ ମ୍ୟାଚ୍ରେ ଚମକିଲେ ମାହି, କେକେଆର ସାମ୍ନାରେ ୧୩୨ ରନ ଟାର୍ଗେଟ୍
ମୁମ୍ବାଇ : ଆଇପିଏଲ ମହାସମର ଆରମ୍ଭ । ଉଦଘାଟନୀ ମ୍ୟାଚ୍ରେ ମୁହାଁମୁହିଁ ହୋଇଛନ୍ତି ଡିଫେଣ୍ଡି ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରନର୍ସଅପ୍ କୋଲକାତା ନାଇଟ୍ ରାଇଡର୍ସ । ଚେନ୍ନାଇ ପ୍ରଥମ ମ୍ୟାଚ୍ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ମହେନ୍ଦ୍ର ସିଂହ ଧୋନିଙ୍କୁ ଛାଡ଼ି ଦେଲେ ପ୍ରଥମ ମ୍ୟାଚ୍ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସର ବାକି ବ୍ୟାଟର । ଧୋନୀଙ୍କ ଦମଦାର ବ୍ୟାଟିଂ ବଳରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ ୧୩୧ ରନ କରିଛି । ଫଳର ଆଇପିଏଲ ୧୫ତମ ସଂସ୍କରଣର ପ୍ରଥମ ମ୍ୟାଚ୍ ଜିତିବାକୁ ଶ୍ରେୟସ ଆୟରଙ୍କ କୋଲକାତାକୁ ୧୩୨ ରନ୍ ରନର ଟାର୍ଗେଟ ମିଳିଛି । ଧୋନୀ ୩୮ ବଲ୍ରୁ ୫୦ ରନର ଅପରାଜିତ ଇନିଂସ ଖେଳିଛନ୍ତି । ଅଧିନାୟକ ରବୀନ୍ଦ୍ର ଜାଡେଜା ୨୬ ରନରେ ଅପରାଜିତ ଥିଲେ । ପଂଚମ ୱିକେଟ୍ରେ ଦୁଇ ବ୍ୟାଟସମ୍ୟାନ ୭୦ ରନ ଯୋଡିଛନ୍ତି । କୋଲକାତା ପକ୍ଷରୁ ଉମେଶ ଯାଦବ ସର୍ବାଧିକ ୨ଟି ୱିକେଟ୍ ନେଇଛନ୍ତି ।
ଟସ୍ ହାରି ମୁମ୍ବାଇର ୱାଙ୍ଖଡେରେ ବ୍ୟାଟିଂ କରୁଥିବା ଚେନ୍ନାଇ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଖାତା ଖୋଲିବା ପୂର୍ବରୁ ଓପନର ଋତୁରାଜ ଗାଏକ୍ୱାଡ ପ୍ରଥମ ଓଭର୍ରେ ହିଁ ପ୍ୟାଭିଲିୟନ ଫେରିଥିଲେ । ଚେନ୍ନାଇର ନୂଆ ଓପନର ଡେଭୋନ କନୱେ(୩) ମଧ୍ୟ ବେଶୀ କିଛି କରି ପାରି ନଥିଲେ । ଉଭୟଙ୍କ ୱିକେଟ ଉମେଶ ଯାଦବ ନେଇଛନ୍ତି । ରବୀନ ଉଥାପ୍ପା ଭଲ ଲୟରେ ଥିଲେ ମଧ୍ୟ କେବଳ ୨୮ ରନ୍ କରିବାକୁ ସକ୍ଷମ ହୋଇଛନ୍ତି । ୨୧ ବଲରେ ସେ ୨ଟି ଛକା ଓ ୨ଟି ଚୌକା ବଳରେ ୨୮ ରନ୍ କରି ବରୁଣ ଚକ୍ରବର୍ତୀଙ୍କ ବଲରେ ଆଉଟ ହୋଇଥିଲେ । ଅମ୍ବାତି ରାୟୁଡୁ ୧୭ ରନ୍ କରିଥିବା ବେଳେ ଜାଡେଜାଙ୍କ ସହ ତାଳମେଳ ଅଭାବରୁ ରନ ଆଉଟ ହୋଇ ଯାଇଥିଲେ । ଚେନ୍ନାଇ ପାଇଁ ପ୍ରଥମଥର ମ୍ୟାଚ୍ ଖେଳୁଥିବା ଶିବମ ଦୁବେ କେବଳ ୩ ରନ୍ କରିବାକୁ ସକ୍ଷମ ହୋଇଛନ୍ତି । ୧୧ ଓଭର ସୁଦ୍ଧା ଚେନ୍ନାଇ ୬୧ ରନ୍?ରେ ୫ ୱିକେଟ ହରାଇ ସାଂଘାତିକ ସମସ୍ୟାରେ ପଡ଼ିଥିଲା । ଏହି ସମୟରେ ଅଧିନାୟକ ଜାଡେଜାଙ୍କ ସହ କ୍ରିଜରେ ଯୋଗଦେଇଥିଲେ ମିଷ୍ଟର ଫିନିଶର ମହେନ୍ଦ୍ର ସିଂହ ଧୋନି । ଉଭୟ ବଡ଼ ଶଟ ଖେଳିବାକୁ ଅକ୍ଷମ ହୋଇଥିଲେ ମଧ୍ୟ କେକେଆର ବୋଲରଙ୍କୁ ୱିକେଟ ନେବାକୁ କୌଣସି ସୁଯୋଗ ଦେଇ ନଥିଲେ । ବିଶେଷ କରି ଧୋନି ସିଙ୍ଗଲ ଉପରେ ବେଶୀ ନିର୍ଭର କରିଥିଲେ । ଶେଷ ଭାଗରେ ଧୋନି ଦ୍ରୁତ ଗତିରେ ରନ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ । ଏପରି କି ସେ ୧୮ତମ ଓଭର ବୋଲିଂ କରୁଥିବା ଆନ୍ଦ୍ରେ ରସେଲଙ୍କୁ ୩ଟି ଚୌକା ମାରି ନିଜର ଆକ୍ରମଣାତ୍ମକ ରୂପ ଦେଖାଇଥିଲେ । ୧୯ତମ ଓଭର୍ରେ ଧୋନି ଗୋଟିଏ ଛକା ଓ ଗୋଟିଏ ଚୌକା ମାରିଥିଲେ । ଏହି ଓଭର୍ରେ ଚେନ୍ନାଇ ୧୫ ରନ୍ ରନ ଆଦାୟ କରିଥିଲା । ଶେଷ ଓଭର୍ରେ ମଧ୍ୟ ଧୋନି ଜବରଦସ୍ତ ବ୍ୟାଟିଂ କରିଥିଲେ । ସେ କ୍ରମାଗତ ରସେଲଙ୍କୁ ୨ଟି ଚୌକର ମାରି ଚେନ୍ନାଇ ସ୍କୋରକୁ ୧୨୦ ପାର କରାଇଥିଲେ । ଏଥିସହ ଧୋନି ୩୮ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ଶେଷ ବଲରେ ଜାଡେଜା ଗୋଟିଏ ବିଶାଳ ଛକା ମାରିବାରୁ ଚେନ୍ନାଇ ୧୩୧ ରନ୍ କରିବାକୁ ସକ୍ଷମ ହୋଇଛି । ଶେଷ ଯାଏ ଧୋନି ୫୦ ଓ ଜାଡେଜା ୨୮ ବଲରେ ୨୬ ରନ୍ କରି ଅପରାଜିତ ରହିଥିଲେ । ଧୋନି ତାଙ୍କ ଇନିଂସରେ ୭ ଚୌକା ଓ ଗୋଟିଏ ଛକା ମାରିଛନ୍ତି । ଅନ୍ୟପକ୍ଷରେ କୋଲକାତା ପକ୍ଷରୁ ଉମେଶ ଯାଦବ ସର୍ବାଧିକ ୨ଟି ୱିକେଟ ନେଇଥିବା ବେଳେ ରସେଲ ଓ ବରୁଣ ଚକ୍ରବର୍ତୀ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି ।
