ଚୀନରେ ବଢୁଛି ସଂକ୍ରମଣ, କାମ ଦେଉନି କୋଭିଡ ଟୀକା
ନୂଆଦିଲ୍ଲୀ: କରୋନା ଭୁତାଣୁ ସଂକ୍ରମଣ ବର୍ତ୍ତମାନ ଅଧିକାଂଶ ଦେଶରେ ନିୟନ୍ତ୍ରଣାଧିନ ରହିଛି । ଚୀନରେ କିନ୍ତୁ ଏହି ସଂକ୍ରମଣ କମିବା ବଦଳରେ ବଢ଼ିବାରେ ଲାଗିଛି । ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସେଠାରେ ପ୍ରଶାସନକୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ପ୍ରତ୍ୟେକ ଦିନ ଚୀନରେ ସଂକ୍ରମଣ ମାମଲା ବଢୁଥିବା ଦେଖାଯାଇଛି । ଚୀନରେ ବର୍ତ୍ତମାନ ସମୟରେ ଉପୁଜିଥିବା ସଙ୍କଟ ପାଇଁ ୨ଟି କାରଣ ଦାୟୀ । ପ୍ରଥମ ହେଉଛି ବେଜିଙ୍ଗର ଜିରୋ କୋଭିଡ ପଲିସିର ଅସଫଳତା ଓ ଦ୍ୱିତୀୟ ହେଉଛି କରୋନା ଭୁତାଣୁ ବିରୋଧରେ ଚୀନର କୋଭିଡ ଟୀକା ପ୍ରଭାବହୀନ ସାବ୍ୟସ୍ତ ହେବା । କୋଭିଡ ବିରୋଦରେ ଲଢ଼ିବା ଓ ଦେହରେ ଆଣ୍ଟିବଡି ତିଆରି କରିବା ପାଇଁ ଚୀନ ପ୍ରଥମେ ‘ସିନୋ ଭାକ’ ଓ ‘ସିନୋ ଫାର୍ମ’ ନାମକ ଦୁଇଟି କୋଭିଡ ନିରୋଧି ଟୀକାକୁ ବିକଶିତ କରିଥିଲା । ଚୀନ ଏହି ଟୀକାକୁ ବିଭିନ୍ନ ଦେଶକୁ ରପ୍ତାନି କରିବା ସହିତ ଅନେକ ଗରିବ ଦେଶକୁ ମଧ୍ୟ ଦାନ କରିଥିଲା । ସମୟ ଅନୁସାରେ ଏହା କୋଭିଡ ସଂକ୍ରମଣ ରୋକିବାରେ ଫଳପ୍ରଦ ନୁହେଁ ବୋଲି ଅଭିଯୋଗ ହୋଇଥିଲା । କିନ୍ତୁ ଚୀନ ସେହି ସମୟରେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା । ପରେ ଅନେକ ଦେଶ କରୋନା ବିରୋଧରେ ଅତିରିକ୍ତ ଡୋଜ ବା ବୁଷ୍ଟର ଡୋଜ ଟୀକାକରଣ ଆରମ୍ଭ କରିଥିଲେ ।
ଯେଉଁମାନେ କୋଭିଡ ଟୀକାର ଦୁଇଟି ଡୋଜ ନେଇ ସାରିଥିଲେ । ସେମାନଙ୍କୁ ଏହି ଟୀକାକରଣ କରାଯାଇଥିଲା । ଡିସେମ୍ବର ମାସ ଶେଷ ବେଳକୁ ଯେତେବେଳେ କରୋନାର ନୂଆ ଭୂତାଣୁ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିଲା । ସେତେବେଳେ ଚୀନର ସିନୋଭାକ ଟୀକା ଏହାକୁ ମୁକାବିଲା କରିବାରେ ବିଫଳ ହୋଇଥିଲା । ହଂକଂ ବିଶ୍ୱବିଦ୍ୟାଳୟ ତରଫରୁ କରାଯାଇଥିବା ଅଧ୍ୟୟନରୁ ଜଣା ପଡ଼ିଛି ଯେ ସିନୋଭାକ ଟୀକା ଦେହରେ ଆଣ୍ଟିବଡି ତିଆରି କରିବାରେ ଅସଫଳ ହୋଇଛି । ଯେଉଁ ଲୋକମାନେ କୋଭିଡ ଟୀକାର ଦୁଇଟି ଡୋଜ ନେଇସାରିଥିଲେ ସେମାନଙ୍କୁ କୋଭିଡ ସଂକ୍ରମଣରୁ ସୁରକ୍ଷା ଦେବାରେ ଏହି ଟୀକା ବିଫଳ ହୋଇଥିଲା । ଏକ ସରକାରୀ ରିପୋର୍ଟ ଅନୁସାରେ ୮୦ ବର୍ଷରୁ ଅଧିକ ୩% ଲୋକଙ୍କର ମୃତ୍ୟୁ ଚୀନ ଟୀକା ‘ସିନୋଭାକ’ର ଦୁଇଟି ଟୀକା ନେବା ପରେ ହୋଇଛି । ସିନୋଭାକର ଗୋଟିଏ ଡୋଜ ନେଇଥିବା ଲୋକଙ୍କର ମୃତ୍ୟୁହାର ୬% ରହିଛି । ଚୀନ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗର ଏକ ରିପୋର୍ଟରୁ ଜଣାପଡ଼ିଛି କି ଏହି କାରଣରୁ ଲ୍ୟୁକୋମିଆ ରୋଗ ଅଧିକ ବଢ଼ିବାରେ ଲାଗିଛି । ଚୀନର ଟୀକା ପ୍ରଭାବହୀନ ହୋଇଥିବାରୁ ସଂକ୍ରମଣ ବଢ଼ିବା ସହିତ ପରିସ୍ଥିତି ସେଠାରେ ଅଣାୟତ ହୋଇପଡିଛି । ସେଠାରେ ଏବେ ତାଲାବନ୍ଦ ଛଡ଼ା ଅନ୍ୟ କୌଣସି ଉପାୟ ବଞ୍ଚିନାହିଁ ।
