ବାଲେଶ୍ୱର ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ
ବାଲେଶ୍ୱର : ବାଲେଶ୍ୱର ଜିଲା ଶୋଭାରାମପୁର ସ୍ଥିତ ବାଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ଉଦ୍ଘାଟିତ ହୋଇଯାଇଛି । ଅନୁଷ୍ଠିତ ଉକ୍ତ ସଭାରେ ଅଧ୍ୟକ୍ଷ ଅନ୍ନଦା ପ୍ରସାଦ ଜେନା ସଭାପତିତ୍ୱ କରିଥିବାବେଳେ ମୁଖ୍ୟବକ୍ତା ଭାବରେ ପୂର୍ବତନ ଜିଲ୍ଲା ଶିଶୁମଙ୍ଗଳ କମିଟିର ସଦସ୍ୟ ଅଧ୍ୟାପକ ପ୍ରିୟରଂଜନ ମହାନ୍ତି ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମରକ୍ଷାର କାରଣ ତଥା ଉପକାରିତା ବିସ୍ତୃତ ଭାବରେ ଉଦ୍ବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମାଜବିଜ୍ଞାନର ଅଧ୍ୟାପିକା ଡ.ବନ୍ଦନା ବାରିକ ନିଜସ୍ୱ ବକ୍ତବ୍ୟ ରଖି କହିଥିଲେ ଯେ ଜଣେ ଜଣେ ଛାତ୍ରୀ ନିଜ ନିଜର ସୁରକ୍ଷା କିପରି କରିପାରିବ । ଆଉ ସେସବୁର ଉନ୍ନତ କୌଶଳ ଏ ଶିବିରରେ ଶିକ୍ଷା କରିବେ ବୋଲି ମଧ୍ୟ ମତପୋଷଣ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଜୀବ ବିଜ୍ଞାନର ଡେମନ୍ଷ୍ଟ୍ରେଟର୍ ଦେବଯାନୀ ଦାସ ମଧ୍ୟ ଉପସ୍ଥିତ ଛାତ୍ରୀମାନଙ୍କୁ ତାଙ୍କର ସୁମତାମତ ପ୍ରଦାନ କରିଥିଲେ । ୮ ଦିନ ଧରି ହେବାକୁ ଥିବା ଏହି ଶିବିରରେ ପ୍ରଶିକ୍ଷକ ଭାବେ ମାଷ୍ଟର ଟ୍ରେନ୍ର୍ ଦେବସ୍ମିତା ଜେନା ମଧ୍ୟ ଉପସ୍ଥିତ ରହି ଶିବିରର ନିୟମାବଳୀ ବିଷୟରେ ଆଲୋକପାତ କରିଥିଲେ ।
ସର୍ବପ୍ରଥମେ ଏହି ଶିବିରର କାର୍ଯ୍ୟକ୍ରମ ଅଧିକାରୀ ଗଣିତ ବିଭାଗର ଅଧ୍ୟାପିକା କବିତା ମହାନ୍ତି ପ୍ରାରମ୍ଭିକ ସୂଚନା ଦେଇଥିଲେ ଓ ଏହି କାର୍ଯ୍ୟକ୍ରମର ସଂଯୋଜକ ରସାୟନ ବିଜ୍ଞାନର ଡେମନ୍ଷ୍ଟ୍ରେଟର୍ ବିପିନ୍ ବିହାରୀ ଗିରି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମକୁ ପଦାର୍ଥ ବିଜ୍ଞାନର ଡେମନ୍ଷ୍ଟ୍ରେଟର୍ ରାଜଦର୍ଶୀ ଦାଶ ପରିଚାଳନା କରିଥିଲେ ।
