ବିଧାନସଭାର ବଜେଟ ଅଧିବେଶନ : ସରକାରଙ୍କ ସଫଳତାର ଗାଥା ଗାଇଲେ ରାଜ୍ୟପାଳ
ଭୁବନେଶ୍ୱର : ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେଶନ। ରାଜ୍ୟପାଳ ଗଣେଶୀ ଲାଲ ଅଭିଭାଷଣ ପ୍ରଦାନ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଏବଂ କାର୍ୟ୍ୟକ୍ରମ ସଂପର୍କରେ ସୂଚନା ଦେଇଛନ୍ତି। ମୋ ସରକାର ସମବାୟ ବ୍ୟାଙ୍କ୍ ଜରିଆରେ କ୍ଷୁଦ୍ର, ନାମମାତ୍ର, ଭୂମହୀନ, ଭାଗଚାଷୀ, ପ୍ରକୃତ ଚାଷୀ ଏବଂ ଗ୍ରାମ୍ୟ ମହିଳାଙ୍କ ୩୩, ୪୧୬ଟି ଯୁଗଦେୟ ଗୋଷ୍ଠୀଙ୍କୁ ୨୧୯ କୋଟି ଟଙ୍କା ଋଣ ଯୋଗାଇ ଦେଇଛନ୍ତି । ‘କାଳିଆ’ ଯୋଜନାରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ନିମନ୍ତେ ସୁଧହାର ୧ ପ୍ରତିଶତରୁ ‘ଶୂନ’ ପ୍ରତିଶତ କରାଯାଇଛି, ଯାହାଦ୍ୱାରା ୨୦୧୯-୨୦ ବର୍ଷରେ ସେଗୁଡ଼ିକ ସୁଧମୁକ୍ତ ଫସଲ ରଣରେ ପରିଣତ ହୋଇପାରିଛି । ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୫୦ ହଜାର ଟଙ୍କାରୁ ୩ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଫସଲ ଋଣ ବର୍ତ୍ତମାନ ମାତ୍ର ୨ ପ୍ରତିଶତ ସୁଧହାରରେ ଯୋଗାଇ ଦିଆଯାଉଛି ।
ମୋ ସରକାର କୋଭିଡ-୧୯ ମହାମାରୀ ଯୋଗୁଁ ୨୦୨୦ ଅପ୍ରେଲ ପହିଲାରୁ ୨୦୨୧ ସେପ୍ଟେମ୍ବର ୧୫ ମଧ୍ୟରେ ଉଭୟ ପିତାମାତା, ମଧ୍ୟରୁ ଜଣେ କିମ୍ବା ପରିବାରର ମୁଖ୍ୟ ଆୟକାରୀଙ୍କୁ ହରାଇଥିବା ସନ୍ତାନସନ୍ତତିମାନଙ୍କୁ ସହାୟତା ଯୋଗାଇଦେବା ନିମନ୍ତେ ୨୦୨୧ ମସିହା ଜୁନ୍ ୨୦ ତାରିଖରୁ ‘ଆଶୀର୍ବାଦ’ ନାମରେ ଏକ ନୂତନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଯୋଗ୍ୟ ସନ୍ତାନସନ୍ତତି ଏବଂ ସେମାନଙ୍କ ଯତ୍ନ ନେଉଥିବା ଅଭିଭାବକମାନଙ୍କ ପାଇଁ ମାସିକ ଆର୍ଥିକ ସହାୟତା ତଥା ଅନ୍ୟାନ୍ୟ ସମ୍ମିଳିତ ସହଯୋଗ ପ୍ରଦାନ କରିବା ପାଇଁ ଏହି ଯୋଜନା ପ୍ରବର୍ତ୍ତନ କରାଯାଇଛି । ୧୮,୮୨୭ ଜଣ ବାଳକବାଳିକା ଏହି ଯୋଜନାର ସୁବିଧା ପାଇଛନ୍ତି ।
୨୦୨୦-୨୧ ବର୍ଷରେ ପ୍ରାୟ ୫୪ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ ଚାଷୀ ପରିବାରକୁ ଏହି ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦିଆଯାଇଥିବାବେଳେ ୨୦୨୧-୨୨ ବର୍ଷରେ ଡ଼ିସେମ୍ବର ୨୦୨୧ ସୁଦ୍ଧା ୫୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ ଚାଷୀ ପରିବାରକୁ ଏହି ସହାୟତା ଯୋଗାଇ ଦିଆଯାଇଛି ।
ସମ୍ପୂର୍ଣ୍ଣ ପାଇପ୍ ପାନୀୟ ଜଳ ସଂଯୋଗୀକରଣରେ ଓଡିଶାର ସହରାଞ୍ଚଳ ପଥ ପ୍ରଦର୍ଶକ । ରାଜ୍ୟର ୬୩ଟି ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ଶତ ପ୍ରତିଶତ ଗୃହକୁ ପାଇପ୍ ଜଳ ସଂଯୋଗ କରିସାରିଛନ୍ତି । ସମଗ୍ର ଦେଶରେ ଶତ ପ୍ରତିଶତ ଗୃହକୁ ପାଇପ୍ ଜଳ ସଂଯୋଗ କରିବାରେ ଭୁବନେଶ୍ବର ମହାନଗର ନିଗମ ପ୍ରଥମ ଓ କଟକ ମହାନଗର ନିଗମ ଦ୍ଵିତୀୟ ହୋଇପାରିଛି । ୨୦୨୨ ମସିହାରେ ରାଜ୍ୟର ସମସ୍ତ ୧୧୪ଟି ସହରରେ ଶତ ପ୍ରତିଶତ ଘରକୁ ପାଇପ୍ ଜଳ ସଂଯୋଗ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ । ସିଧାସଳଖ ଟ୍ୟାପ୍ରୁ ନିରାପଦ ପାଣି ପିଇବାର ସୁବିଧା ଯୋଗାଇ ଦେବା ପାଇଁ ମୋ ସରକାରଙ୍କ ମିଶନ ‘ସୁଜଳ’ ପୁରୀ ସହରାଞ୍ଚଳର ଶତ ପ୍ରତିଶତ ମିଟରିଂ ସହିତ ସମସ୍ତ ପରିବାରକୁ ୨୪ ଘଣ୍ଟିଆ ପାନୀୟ ଜଳ ସଂଯୋଗ ସୁନିଶ୍ଚିତ କରିବା ସହିତ ଆଇ.ଏସ୍.୧୦୫୦୦ ମାନକ ଗୁଣବତ୍ତାକୁ ବଜାୟ ରଖାଯାଇଛି । ଏହାଦ୍ଵାରା ଅନ୍ତର୍ଜାତୀୟ ନଗରୀ ନ୍ୟୁୟର୍କ, ଲଣ୍ଡନ, ସିଙ୍ଗାପୁର ଓ ଟୋକିଓରେ ଉପଲବ୍ଧ ଥିବା ସୁବିଧା ଭଳି ପୁରୀ ଭାରତର ଏକମାତ୍ର ସହର ଭାବେ ଏହି ସୁବିଧା ଯୋଗାଇ ଦେବାର ଗୌରବ ହାସଲ କରିଛି ।
୨୦୨୧-୨୨ ବର୍ଷ ଅଧୁକ ଖଣି ରାଜସ୍ୱ ସଂଗ୍ରହର ବର୍ଷ ଅଟେ ଗତ ପାଞ୍ଚ ବର୍ଷ ମଧ୍ୟରେ ୨୦୨୦-୨୧ ପର୍ୟ୍ୟନ୍ତ ମୋଟ ଖଣି ରାଜସ୍ୱ ସଂଗ୍ରହ ୪୬,୩୪୭ କୋଟି ଟଙ୍କା ତୁଳନାରେ ଚଳିତ ବର୍ଷର ସଂଗ୍ରହ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ୩୧,୦୪୯ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଏକ ସର୍ବକାଳୀନ ରେକର୍ଡ ଅଟେ । ଚଳିତ ଆର୍ଥିକ ବର୍ଷ ପାଇଁ ଲଘୁ ଖଣିଜ ପଦାର୍ଥରୁ ଧାର୍ଯ୍ୟ ବାର୍ଷିକ ୧,୩୦୦ କୋଟି ରାଜସ୍ୱ ଆଦାୟ ଲକ୍ଷ୍ୟରୁ ୪୪୮.୩୬ କୋଟି ଟଙ୍କା ଆଦାୟ କରାଯାଇଛି । ସେହିଭଳି ଏହି ଅବଧୂ ମଧ୍ୟରେ ୧,୭୬୫ କୋଟି ଟଙ୍କାର ମୋଟର ଯାନ ଟିକସ ଆଦାୟ ଲକ୍ଷ୍ୟ ଥିବାବେଳେ ୧,୧୧୭ କୋଟି ଟଙ୍କା ଆଦାୟ କରାଯାଇଛି ।
ମୋ ସରକାର ରାଜ୍ୟ ଆରକ୍ଷୀ ସେବାର ମାନବସମ୍ବଳ ଆବଶ୍ୟକତା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଗତ ୫ ବର୍ଷ ମଧ୍ୟରେ ରାଜ୍ୟ ଆରକ୍ଷୀ ବାହିନୀର କ୍ଷମତା ବୃଦ୍ଧି ନିମନ୍ତେ ୪୨୦୫ ସଂଖ୍ୟକ ବିଭିନ୍ନ ପଦବୀ ସୃଷ୍ଟି କରାଯାଇଛି ଓଡ଼ିଶା ପୋଲିସ ସେବା କ୍ୟାଡରରେ ୬୮ ଜଣଙ୍କୁ ଉପଆରକ୍ଷୀ ପଦବୀରେ ନିଯୁକ୍ତି ପ୍ରଦାନ କରାଯାଇଛି ଏବଂ ବିଭିନ୍ନ ବ୍ୟାଙ୍କର ୬୦୨୭ଟି ପଦବୀ ସିଧାସଳଖ ପୂରଣ କରାଯାଇଛି । ସେହିପରି ଉକ୍ତ ସମୟ ମଧ୍ୟରେ ୨୯ଟି ଥାନା, ୫ଟି ଫାଣ୍ଡି ଓ ଗୋଟିଏ ଟାଉନ୍ ଫାଣ୍ଡି ଖୋଲାଯାଇଛି । ମୋ ସରକାର ଆରମ୍ଭ କରିଥିବା ‘ମୋ ସରକାର’ ଆଭିମୁଖ୍ୟ ଓଡ଼ିଶାରେ ଜନସେବା ପ୍ରଦାନ ରୂପରେଖରେ ପରିଦୃଶ୍ୟ ପରିବର୍ତ୍ତନ ଆଣିଛି । ପ୍ରଯୁକ୍ତି ପ୍ରୟୋଗ ଦ୍ଵାରା ୫ ‘ଟି’ ମାଧ୍ୟମରେ ଏକ ଦୃଢ଼ ପ୍ରଶାସନିକ ଦୃଷ୍ଟିଭଙ୍ଗୀ ଅନୁସୃତ ହେବା ଦ୍ଵାରା ଏହି ରୂପାନ୍ତରଣ ସମ୍ଭବ ହୋଇପାରିଛି । ମୋ ସରକାରଙ୍କର ଦୁର୍ନୀତି ବିରୁଦ୍ଧରେ ନିରନ୍ତର ‘ଶୁନ୍ ସହନଶୀଳତା’ ନୀତି ଯୋଗୁଁ ୨୦୨୧ ବର୍ଷରେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ୨୬୭ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ ହୋଇଛି । ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ ସ୍ଵରୂପ ଅଦ୍ୟାବଧୂ ୧୫୧ ଜଣ ଅନୈତିକ, ଅପାରଗ ଓ ଅସାଧୁ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ।
