ଚିକିତ୍ସା ଅବହେଳାରୁ ଛାତ୍ରୀ ମୃତ୍ୟୁ ଅଭିଯୋଗ : ବାଲିଆଝର ଆଶ୍ରମ ସମୁଖରେ ଉତ୍ତେଜନା
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଭଉଁରିଆବାଡ଼ ପଞ୍ଚାୟତ ଅଧୀନ ବାଲିଆଝର ଆଶ୍ରମ ବିଦ୍ୟାଳୟରେ ପ୍ରାଥମିକ ଚିକିତ୍ସାରେ ଅବହେଳା କରାଯାଇଥିବା ଯୋଗୁଁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗରେ ବୁଧବାର ବାଲିଆଝର ଆଶ୍ରମ ସମୁଖରେ ଉତ୍ତେଜନା ଦେଖାଦେଇଥିଲା । ପରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ôଚ ଆନ୍ଦୋଳନାକାରୀଙ୍କୁ ବୁଝାସୁଝା ସହ ଆର୍ଥିକ ସହାୟତା ଓ ପରିବାର ଜଣଙ୍କୁ ଚାକିରୀର ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ଶାନ୍ତ ପଡ଼ିଥିଲା ।
ସୂଚନା ଯେ, ବାଲିଆଝର ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ନରସିଂହପୁର ପଞ୍ଚାୟତ ଆଡ଼ିଆଖୁଣ୍ଟା ଗ୍ରାମର ବାସିନ୍ଦା ସୁଚିତ୍ରା ସିଂ (୧୪) ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ମଙ୍ଗଳବାର ପୂର୍ବାହ୍ନରେ ତାଙ୍କର ଦେହ ଖରାପ ହେବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ରାୟ ଛାତ୍ରୀଙ୍କ ପରିବାରକୁ ଏ ସମ୍ପର୍କରେ ଖବର ଦେବା ସହ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନୀଳଗିରି ଡାକ୍ତରଖାନାକୁ ଆଣିଥିଲେ । ସନ୍ଧ୍ୟାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ମେଡ଼ିକାଲ ଓ ସ୍କୁଲ କର୍ତ୍ତୃପକ୍ଷ ତାଙ୍କର ମା’ ଓ ବାପାଙ୍କୁ ବୁଝାଇ ସୁଝାଇ ଶବକୁ ତାଙ୍କର ଘରକୁ ନେଇଯାଇଥିଲେ । ଛାତ୍ରୀଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରି ଉକ୍ତ ରାତ୍ରିରେ ମୃତଦେହକୁ ପୁଣି ନୀଳଗିରି ମେଡ଼ିକାଲକୁ ଶବ ବ୍ୟବଚ୍ଛେଦ କରିବା ପାଇଁ ନେଇ ଆସିଥିଲେ । ବୁଧବାର ବାଲିଆଝର ଆଶ୍ରମ ସ୍କୁଲ କମିଟିର କିଛି ସଦସ୍ୟ ପରିବାର ଲୋକେ ଓ ପାଖ ଗ୍ରାମବାସୀ ଚିକିତ୍ସାର ଅବହେଳା, ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ କରି ବାଲିଆଝର ଆଶ୍ରମ ସ୍କୁଲ ସମୁଖରେ ଉତ୍ତେଜନା ଦୀର୍ଘ ୪ ଘଣ୍ଟା ଧରି ଚାଲିଥିଲା । ପରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର (ଡିଡବ୍ଲୁଓ) ଜିଲା ମଙ୍ଗଳ ଅଧିକାରୀ ବିଶ୍ୱଦର୍ଶୀ ସାହୁ, ଭଉଁରିଆବାଡ଼ ପଞ୍ଚାୟତର ସରପଞ୍ଚ ସଞ୍ଜୟ ସିଂଙ୍କ ଉପସ୍ଥିତିରେ ୰ ସୁଚିତ୍ରା ସିଂଙ୍କ ଶୁଧିକ୍ରୀୟାରେ ଆର୍ôଥକ ସାହାଯ୍ୟ ଓ ଉକ୍ତ ପରିବାରକୁ ଏକ ଚାକିରି ସହ ଉକ୍ତ ମୃତ୍ୟୁର କାରଣ ପାଇଁ ଏହି ଘଟଣାରେ ବିଭାଗୀୟ ତଦନ୍ତର ପ୍ରତିଶୃତି ପରେ ଉତ୍ତେଜନା ଶାନ୍ତ ହୋଇଥିଲା । ପରେ ନୀଳଗିରି ମେଡ଼ିକାଲରେ ଶବ ବ୍ୟବଚ୍ଛେଦ ହୋଇ ନ ପାରିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଚେଦ କରାଯାଇଥିଲା ।
