୨୫ରୁ ବିଧାନସଭାର ବଜେଟ୍ ଅଧିବେଶନ : ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜିପି
ଭୁବନେଶ୍ୱର : ଆସନ୍ତା ୨୫ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ବସିବାକୁ ଯାଉଛି । ଏହା ପୂର୍ବରୁ ଆଜି ରାଜ୍ୟ ପୁଲିସ ଡିଜି ସୁନିଲ ବଂଶଲ ସୁରକ୍ଷା ସମୀକ୍ଷା କରିଛନ୍ତି । ବିଧାନସଭା ବାହାର ସୁରକ୍ଷା ବ୍ୟବସ୍ଥା ଦେଖିବା ସହ ଭିତରର ସୁରକ୍ଷା ବ୍ୟବସ୍ଥା ମଧ୍ୟ ଯାଂଚ କରିଛନ୍ତି । ସବୁ ଅଧିବେଶନ ଭଳି ଚଳିତ ଅଧିବେଶନରେ ମଧ୍ୟ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଭୁବନେଶ୍ୱର ଡିସିପି ଙ୍କ ନେତୃତ୍ୱରେ ନିୟୋଜିତ ହେବେ ୩୦ ପ୍ଲାଟୁନ ପୁଲିସ ଫୋର୍ସ । ୬ ଜଣ ଅତିରିକ୍ତ ଡିସିପି, ୧୧ ଜଣ ଏସପି, ୧୩ ଜଣ ଇନ୍ସପେକ୍ଟର ଏବଂ ୬୨ ଜଣ ଅଫିସର ସୁରକ୍ଷା ଦାୟିତ୍ୱ ରେ ରହିବେ । ହଠାତ କୌଣସି ଅଘଟଣ ପାଇଁ ଦୁଇଟି ସ୍ପେଶାଲ ଟାଟିକାଲ ୟୁନିଟ ମୁତୟନ ରହିବେ । ପ୍ରଥମ ଦିନରେ ରାଜ୍ୟପାଳ ବିଧାନସଭା ଆସିବାକୁ ଥିବାରୁ ତାଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଲି, ଧାରଣା ଏବଂ ବିକ୍ଷୋଭ ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ବିଧାନସଭାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରାଯାଇଛି । କେବଳ ଅନୁମତି ପ୍ରାପ୍ତ ବ୍ୟକ୍ତି ନିଜ ଆଇଡି ଦେଖାଇ ଯାଇପାରିବେ । ଟ୍ରାଫିକ ମ୍ୟାନେଜମେଂଟ ପାଇଁ ଡିସିପି ଟ୍ରାଫିକ ଙ୍କୁ ଦାୟିତ୍ୱ ଦିଆଯାଇଛି ।
