ଆଇପିଏଲ-୨୦୨୨ : ପ୍ରସାରଣ ପାଇଁ ପ୍ରସ୍ତୁତ ଷ୍ଟାର ନେଟଓ୍ଵର୍କ
୮ ଭିନ୍ନ ଭିନ୍ନ ଭାଷା, ୨୪ ଅଲଗା ଚ୍ୟାନେଲ ଏବଂ ୮୦ ଭାଷ୍ୟକାରଙ୍କ ଟିମ୍ ପ୍ରସ୍ତୁତ
ନୂଆଦିଲ୍ଲୀ : ଆସନ୍ତା ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୨। ଏ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଆଇପିଏଲ-୨୦୨୨ର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୬ ରବିବାର ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ଖେଳାଯିବ। କିନ୍ତୁ ପ୍ରଥମ ଦିନର ପ୍ରସାରଣ ସନ୍ଧ୍ୟା ୫ଟା୩୦ରୁ ଆରମ୍ଭ ହେବ। ଏଥିରେ ଅଲଗା ଅଲଗା ଇଭେଣ୍ଟ ଏବଂ ଦଳ ଗୁଡିକର ପରିଚୟ ପ୍ରଦାନ ସାମିଲ୍ ରହିବ। ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସକେ) ଏବଂ ଉପ ବିଜେତା କୋଲକାତା ନାଇଟ୍ ରାଇଡର୍ସ (କେକେଆର)।
ଏଥର ଆଇପିଏଲରେ କିଛି ଖାସ୍ ହେବାକୁ ଯାଉଛି । କାରଣ କରୋନା ସମୟରେ ମୁମ୍ବାଇ-ପୁଣେର ଚାରି ଷ୍ଟାଡିୟମରେ ସମସ୍ତ ଲିଗ୍ ମ୍ୟାଚ୍ ଖେଳାଯିବ। ଦୀର୍ଘ ସମୟ ଧରି ଏହି ଆଇପିଏଲକୁ ଦର୍ଶକ ଅପେକ୍ଷା କରି ରହିଥିଲେ। ତେଣୁ ଷ୍ଟାର ନେଟଓ୍ଵର୍କ ମଧ୍ୟ ପ୍ରସାରଣ ପାଇଁ ପ୍ରସ୍ତୁତ ହୋଇ ଯାଇଛି। ଆଇପିଏଲ ୨୦୨୨କୁ ୮ ଭିନ୍ନ ଭିନ୍ନ ଭାଷାରେ ଏବଂ ୨୪ ଅଲଗା ଚ୍ୟାନେଲରେ ପ୍ରସାରଣ କରାଯିବ। ସେହିପରି ଏଥର ଆଇପିଏଲର କମେଣ୍ଟ୍ରି ହିନ୍ଦୀ, ଇଂରାଜୀ, ତାମିଲ, କନ୍ନଡ, ମରାଠୀ, ମାଲାୟାଲମ, ବଙ୍ଗାଳି ଭାଷାରେ କରାଯିବ। ଏଥିପାଇଁ ଷ୍ଟାର ପକ୍ଷରୁ ୮୦ ଜଣ ଭାଷ୍ୟକାରଙ୍କ ଟିମ୍ ପ୍ରସ୍ତୁତ କରାଯାଇଛି। ଏଥିରେ ଅନେକ ଦିଗଜ ଭାଷ୍ୟକାରଙ୍କ ନାମ ସାମିଲ୍ ହୋଇଛି।
ଇଂରାଜୀରେ କମେଣ୍ଟ୍ରି କରିବେ ହର୍ଷ ଭୋଗଲେ, ସୁନିଲ ଗାଭାସ୍କର, ଲକ୍ଷ୍ମଣ ଶିବରାମକୃଷ୍ଣନ, ମୁରଲୀ କାର୍ତ୍ତିକ, ଦୀପ ଦାସଗୁପ୍ତା, ଅଞ୍ଜୁମ ଚୋପ୍ରା, ଇଆନ ବିଶୋପ, ଏଲନ ଓ୍ଵିଲିଙ୍କ୍ସ, ପମି ବାଙ୍ଗଓ୍ଵା, ନିକୋଲାସ ନାଇଟ୍, ଡାନି ମରିସନ, ସାଇମନ ଡୁଲ, ମାଥ୍ୟୁ ହେଡେନ ଏବଂ କେଭିର ପିଟସନ। ଏହା ଓ୍ଵାର୍ଲ୍ଡ ଫିଡର ଅଂଶ ବିଶେଷ। ଅନ୍ୟପକ୍ଷରେ କମେଣ୍ଟ୍ରି କ୍ଷେତ୍ରକୁ ପୁଣି ଥରେ ଫେରିଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ। ସେ ହିନ୍ଦୀରେ କମେଣ୍ଟ୍ରି କରିବେ। ସେହିପରି ସୁରେଶ ରୈନା କମେଣ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି। ହିନ୍ଦୀରେ କମେଣ୍ଟ୍ରି ଦାୟିତ୍ଵ ସମ୍ଭାଳିବେ ଆକାଶ ଚୋପ୍ରା, ଇରଫାନ ପଠାନ, ଗୌତମ ଗମ୍ଭୀର, ପାର୍ଥିବ ପଟେଲ, ନିଖିଲ ଚୋପ୍ରା, ତାନ୍ୟା ପୁରୋହିତ, କିରଣ ମୋରେ, ଜତିନ ସପ୍ରୁ, ସୁରେନ ସୁନ୍ଦରମ, ରବି ଶାସ୍ତ୍ରୀ ଏବଂ ସୁରେଶ ରୈନା।
