କୁଲଡ଼ିହା ଅଭୟାରଣ୍ୟରୁ ମାଈହାତୀର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡରେ ଅବସ୍ଥିତ କୁଳଡ଼ିହା ଅଭୟାରଣ୍ୟରେ ଏବେ ବନ୍ୟଜନ୍ତୁଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି । ବିଶେଷ କରି ଏଠାରେ ଅବସ୍ଥିତ ହାତୀ ବଂଶ ଏବେ ବିପଦରେ । କୋଟି କୋଟି ଟଙ୍କା ଖର୍ଚ୍ଚ କରି ନୀଳଗିରିରେ ଦୁଇ ଦୁଇଟି ବିଭାଗ ସୃଷ୍ଟି କରି ବନ୍ୟ ଜନ୍ତୁ ଏବଂ ବନସୁରକ୍ଷା ପାଇଁ ଯୋଜନା କରିଥିଲେ ମଧ୍ୟ ପ୍ରକୃତ ଉଦ୍ଦେଶ୍ୟ ସଫଳ ହୋଇପାରି ନାହିଁ । ବନବିଭାଗର ଅପରାଗତା ଯୋଗୁଁ ହାତୀ ବଂଶ ବିପଦରେ ଥିବା ଅଭିଯୋଗ ହେଉଛି । ଏହି ପରିପ୍ରେକ୍ଷୀରେ ରବିବାର ଏକ ମାଈହାତୀର ମୃତଦେହ ଉଦ୍ଧାର ହୋଇଛି । କୁଲଡ଼ିହା ଅଭୟାରଣ୍ୟ ତେଣ୍ଡା ସଂରକ୍ଷିତ ଜଙ୍ଗଲ ଅର୍ନ୍ତଗତ ଗୁହାଳିଆ ନିକଟରେ ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ହାତୀର ପ୍ରକୃତ ବୟସ ଜଣାପଡ଼ି ନ ଥିଲା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ବାରମ୍ବାର ଏଭଳି ଯଦି ହାତୀ ମରନ୍ତି ତାହେଲେ ଆଗାମୀ ଦିନରେ ଅଭୟାରଣ୍ୟରୁ ହାତୀ ବଂଶ ଲୋପ ପାଇବାର ଆଶଙ୍କା କରିଛନ୍ତି ପରିବେଶବିତ୍ । କୁଲଡ଼ିହାରେ ଶିକାରୀଙ୍କ ପ୍ରାଦୁର୍ଭାବ ଯୋଗୁଁ ହାତୀପଲ ଅସୁରକ୍ଷିତ ହୋଇ ପଡ଼ିଛନ୍ତି ।
ସୂଚନା ଯେ, ଅଭୟାରଣ୍ୟ ନିକଟବର୍ତ୍ତୀ ଗୁହାଳିଆ ଗ୍ରାମବାସୀ ମଲା ହାତୀର ପଚାଗନ୍ଧ ପାଇ ବନବିଭାଗକୁ ଖବର ଦେବା ପରେ ବନବିଭାଗ ହାତୀ ମରିଥିବା ଘଟଣାସ୍ଥଳରେ ପହଞ୍ଚିଥିଲେ । ହାତୀ ମୃତ୍ୟୁର ପ୍ରାଥମିକ ତଦନ୍ତ ସହ ପ୍ରାଣୀ ଚିକିତ୍ସକଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଥିବା ନେଇ କୁଲଡ଼ିହା ରେଞ୍ଜର ଅନନ୍ତ ନାରାୟଣ ଜେନା ସୂଚନା ଦେଇଥିଲେ । ଅନ୍ୟପକ୍ଷରେ ଗତ ଜାନୁଆରୀ ୧୫ରେ ଅଭୟାରଣ୍ୟରେ ଏକ ଗଳିତ ମାଈ ହାତୀର ମୃତଦେହ ମିଳିଥିବା ବେଳେ ବନବିଭାଗ ତାକୁ ତରବରିଆ ଭାବେ ପୋଡ଼ି ଦେଇଥିଲେ । ଏହାକୁ ନେଇ ବନାଞ୍ଚଳବାସୀ ବନବିଭାଗ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ ଆଣିଥିଲେ ।
