ଚପଲ ପିନ୍ଧି ଶ୍ରୀମନ୍ଦିରରେ ପଶିଲେ ଭକ୍ତ
ପୁରୀ : ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ଭକ୍ତଙ୍କୁ ତନ୍ନତନ୍ନ କରି ଯାଂଚ କରାଯାଉଛି । ଏହା ସତ୍ୱେ ଜଣେ ବଙ୍ଗୀୟ ଭକ୍ତ ଚପଲ ପିନ୍ଧି ସିଂହଦ୍ୱାର ଦେଇ ଆଜି ଶ୍ରୀମନ୍ଦିର ଭିତରେ ପଶିଛନ୍ତି । ଭକ୍ତ ଜଣକ ଚପଲ ପିନ୍ଧି ରୋଷ ଘର ନିକଟରୁ ବୁଲୁଥିବା ବେଳେ ରୋଷ ପାଇକ ତାଙ୍କୁ ବାହାରକୁ ନେଇ ଆସିଥିଲେ ।
କୋଭିଡ୍ କଟକଣା ହଟିବା ପରେ ଆଜି ପ୍ରଥମ ଥର ପାଇଁ ସର୍ବସାଧାରଣଙ୍କ ଦର୍ଶନ ଲାଗି ଖୋଲିଥିଲା ଶ୍ରୀମନ୍ଦିର । ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହା ସତ୍ୱେ ଜଣେ ପଶ୍ଚିମବଙ୍ଗ ରାଜ୍ୟର ଜଣେ ବ୍ୟକ୍ତି ଚପଲ୍ ପିନ୍ଧି ଶ୍ରୀମନ୍ଦିର ଭିତରେ ପଶିଥିବା ଅଭିଯୋଗ ହୋଇଛି । ଚପଲ ପିନ୍ଧି ଶ୍ରୀମନ୍ଦିର ଭିତରେ ପଶିଥିବା ଭକ୍ତଙ୍କ ନାଁ ହେଉଛନ୍ତି ନିତ୍ୟାନନ୍ଦ । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସେ ଶ୍ରୀକ୍ଷେତ୍ର ଆସିଥିଲେ । ଆଜି ସେ ଚପଲ ପିନ୍ଧି ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରି ରୋଷଘର ନିକଟରେ ବୁଲୁଥିଲେ । ଏହା ଦେଖି ରୋଷ ପାଇକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଧରି ସିଂହଦ୍ୱାର ବାହାରକୁ ଆଣିଥିଲେ । ନିତ୍ୟାନନ୍ଦ କହିଛନ୍ତି, ମୁଁ ଜାଣତରେ ଚପଲ ଧରି ଯାଇନି । ମୋର ମୁଣ୍ଡ ଠିକ୍ ନାହିଁ । ଆଉ ଜୀବନରେ ଏପରି ଭୁଲ୍ କରିବି ନାହିଁ । ସେଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି । ଗଲା ବେଳେ ମୋତେ କେହି ଦେଖି ନାହାନ୍ତି । ଆସନ୍ତାକାଲି ମୁଁ ହୋଟେଲ୍ରେ ଚପଲ ରଖି ଶ୍ରୀମନ୍ଦିର ଭିତରକୁ ଯିବି ବୋଲି ନିତ୍ୟାନନ୍ଦ କହିଛନ୍ତି ।
