ନିର୍ବାଚନ ପରବର୍ତ୍ତୀ ହିଂସା : କଂଗ୍ରେସ ସମର୍ଥିତଙ୍କୁ ମରଣାନ୍ତକ ଆକ୍ରମଣ, ୨ ଗୁରୁତର
ଜଳେଶ୍ୱର : ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଧିନ ପଶ୍ଚିମବାର୍ଡ ପଂଚାୟତର ଦେବକୁମାର ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା ଘଟି ୨ଜଣ ଗୁରୁତର ହୋଇ ଚିକିତ୍ସାଧିନ ରହିଛନ୍ତି । କଂଗ୍ରେସ ସମର୍ଥିତ ଓ ବିଜେଡି ସମର୍ଥିତଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବାରୁ ସମଗ୍ର ଅଂଚଳରେ ଜଳେଶ୍ୱର ପୁଲିସ୍ ପକ୍ଷରୁ ସତର୍କ ଦୃଷ୍ଟି ରଖା ଯାଇଛି ।
ସୂଚନା ଯେ, ଶନିବାର ୨ଟା ବେଳେ ଦେବକୁମାର ଗାଁର ମାଝିସାହିର କଂଗ୍ରେସ ସମର୍ଥିତ ପଂଚାନନ ମାଝୀଙ୍କ ପୁଅ ଭରତ ମାଝୀ ଓ ରାମଚନ୍ଦ୍ର ମାଝୀ ଘରେ ଭାତ ଖାଇବାକୁ ବସିଥିବା ବେଳେ ସାହିର ବିଜେଡି ସମର୍ଥିତ ୫୦ରୁ ଉର୍ଦ୍ଧ୍ୱ ଯୁବକ ଅତର୍କୀତ ଆକ୍ରମଣ କରିଥିଲେ । ଏକ ଦଉଡିରେ ଭରତକୁ ଫାସି ଲଗାଇ ଦେବାକୁ ଚେଷ୍ଟା କରିବା ସମୟରେ ପଡୋଶୀ ବଂଶିଧର ଦଳାଇ, ପୂର୍ଣ୍ଣଚନ୍ଦ୍ର ବେହେରା ସେଠାରେ ପହଞ୍ଚି ପରିବାରର ଅନ୍ୟମାନଙ୍କ ସହିତ ମହିଳାମାନେ ପ୍ରତିରୋଧ କରିଥିଲେ । ଫଳରେ ମହିଳାମାନଙ୍କ ସହିତ ପଡୋଶୀ ମାନଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମର ଝାଡେଶ୍ୱର ମାଝୀ, ଜଜେ୍ଞଶ୍ୱର ମାଝି, ରବିନ୍ଦ୍ର ମାଝି, ବରେନ୍ଦ୍ର ମାଝି, କାଳିଚରଣ ମାଝି, ଚନ୍ଦନ ମାଝି, ବିଜୟ ମାଝି, ଅଜୁ ମାଝି, ଅଶୋକ ବେହେରା, ପଦୁ ବେହେରା, ବିଦୁଲୋଚନ ବେହେରା, ତପନ ବେହେରା, ମନ୍ମଥ ବେହେରା, ରବିନ୍ଦ୍ର ଦଳାଇ, ରାମଚନ୍ଦ୍ର ଦଳାଇ ପ୍ରମୁଖଙ୍କ ସହିତ ୫୦ରୁ ଉର୍ଦ୍ଧ୍ୱ ଯୁବକ ଖଣ୍ଡା, ତରୱାଲ, ଦାଉଲି, ଠେଙ୍ଗା ସହାର୍ଯ୍ୟରେ ମରଣାନ୍ତାକ ଆକ୍ରମଣ କରିଥିଲେ ବୋଲି ଭରତ ମାଝିର ମାଆ ସୁବାସିନୀ ମାଝି(୬୨) ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହା ସହିତ ତାଙ୍କ ଘରୁ ପ୍ରାୟ ୨ଲକ୍ଷ ଟଙ୍କାର ନଗଦ ରାଶି, ସୁନା ଗହଣା, ବାସନକୁସନ ଇତ୍ୟାଦି ଲୁଟ କରାଯାଇଥିବା ଅଭିଯୋଗ ହୋଇଛି ।
