ଚୀନରେ କରୋନା ଆତଙ୍କ, ବର୍ଷେ ପରେ ୨ ସଂକ୍ରମିତ ମୃତ
ନୂଆଦିଲ୍ଲୀ: ଚୀନରେ ପୁଣି ଥରେ କୋରୋନା ଭାଇରସ ସଂକ୍ରମଣ ରକେଟ୍ ବେଗରେ ବଢ଼ିବାରେ ଲାଗିଛି । ଶନିବାର ଦିନ କରୋନା ଯୋଗୁଁ ଚୀନରେ ଦୁଇ ଜଣଙ୍କ ଲୋକଙ୍କ ମୃତ୍ୟୁ ହୋଇଛି । ବର୍ଷେରୁ ଅଧିକ ସମୟ ପରେ ପ୍ରଥମ ଥର ପାଇଁ ଚୀନରେ କୋଭିଡ୍ ଜନିତ ମୃତ୍ୟୁ ସାମ୍ନାକୁ ଆସିଛି । ଚୀନର ପୂର୍ବୋତ୍ତର ଭାଗରେ ଥିବା ଜିଲିନ ପ୍ରଦେଶରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ପକ୍ଷରୁ କୁହାଯାଇଛି । ଜାନୁଆରୀ ୨୦୨୧ରେ ଚୀନରେ ଶେଷ ଥର ପାଇଁ କୋଭିଡ୍ ମୃତ୍ୟୁ ରେକର୍ଡ କରାଯାଇଛି । ଫଳରେ ଦେଶରେ କୋରୋନାଜନିତ ମୃତ୍ୟୁସଂଖ୍ୟା ୪,୬୩୮ରେ ପହଞ୍ଚିଛି ।
ଶନିବାର ଦିନ ଚୀନରେ ୪,୦୫୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଅର୍ଦ୍ଧାଧିକ କେବଳ ଜିଲିନରେ ହିଁ ଠାବ ହୋଇଛନ୍ତି । କୋରୋନା ଭାଇରସ୍ ୨୦୧୯ ଶେଷରେ ଚୀନର ୱହାନରେ କୋପ ଦେଖାଇଥିଲା । ଏହା ପରଠାରୁ ସାରା ବିଶ୍ୱ ଏହାର ପଞ୍ଝାରେ ପଡ଼ିଥିଲା । କିନ୍ତୁ ଚୀନ କଡ଼ାକଡ଼ି ନିୟମ ଓ ଲକଡାଉନ ମାଧ୍ୟମରେ ଏହାକୁ ଅନେକ ମାତ୍ରାରେ ନିୟନ୍ତ୍ରଣ କରିଥିବା ନେଇ ଦମ୍ଭ ଭରିଥିଲା । ସେହିପରି କରୋନାର ବର୍ଦ୍ଧିତ ସଂକ୍ରମଣ ବେଳେ ଚୀନ୍ ସରକାରଙ୍କ ‘ଶୂନ୍ୟ-କୋଭିଡ୍’ ପଲିସିକୁ ନେଇ ମଧ୍ୟ ବେଶ ଚର୍ଚ୍ଚା ହୋଇଥିଲା । କୋଭିଡ୍ ସଂକ୍ରମଣ ଇଲାକାରେ ବେଶ କଠୋର କଟକଣା ହୋଇଥିଲା । ଏବେ ପୁଣି ଥରେ ଦ୍ରୁତ ଗତିରେ ସଂକ୍ରମଣ ବଢ଼ୁଥିବା ବେଳେ ରାଷ୍ଟ୍ରପତି ସି ଜିନପିଙ୍ଗ ଚୀନ୍ ଆଗକୁ ପୁଣି ଥରେ ‘ଶୂନ୍ୟ-କୋଭିଡ୍’ ପଲିସିକୁ ଫୋକସ କରିବ ବୋଲି ଘୋଷଣା କରିଛନ୍ତି । ବର୍ତ୍ତମାନ ଚୀନର କିଛି ସହରରେ ସମ୍ପୂର୍ଣ୍ଣ ଲକଡାଉନ କରାଯାଇଛି । ଯେଉଁଠାରେ ପ୍ରାୟ ୧୭.୫ ମିଲିୟନ ଲୋକ ରହୁଛନ୍ତି । ସାଙ୍ଘାଇରେ ସ୍କୁଲ ବନ୍ଦ କରାଯାଇଥିବା ବେଳେ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ ଚାଲିଛି । ତିନି ସପ୍ତାହ ତଳେ ଚୀନରେ ସଂକ୍ରମଣ ଶହେ ତଳେ ରହୁଥିବା ବେଳେ ଏବେ ଚାରି ହଜାର ଟପି ସାରିଛି । ଜିଲିନରେ ପରିସ୍ଥିତି ବେକାବୁ ହେଉଥିବାକୁ ଆଠଟି ଅସ୍ଥାୟୀ ହସ୍ପିଟାଲ ଓ ଦୁଇଟି କ୍ୱାରେଣ୍ଟିନ କେନ୍ଦ୍ର ନିର୍ମାଣ ହୋଇଛି । ଏହା ବ୍ୟତୀତ ଜିଲିନରେ ଅସ୍ଥାୟୀ ଚିକିତ୍ସା ସୁବିଧା ଉପଲବ୍ଧ କରିବା ପାଇଁ ବିଶାଳ କ୍ରେନ ମାଧ୍ୟମରେ ହଜାର ହଜାର ବେଡ ର ବ୍ୟବସ୍ଥା ମଧ୍ୟ ହୋଇଛି ।
ଚାଇନାରେ କରୋନା ବଢୁଥିବା କାରଣରୁ ସାଂଘାଇରେ ସ୍କୁଲ ଗୁଡିକ ବନ୍ଦ ରହିଛି । ଏହା ବ୍ୟତୀତ ଚୀନ୍ର ଅନେକ ଉତ୍ତର-ପୂର୍ବ ସହରରେ ଲକଡାଉନ୍ ଲାଗୁ କରାଯାଇଛି । ଏହା ସହିତ, କରୋନା ଦୈନିକ ସଂକ୍ରମଣ ମାମଲା ବୃଦ୍ଧି ହେବା କାରଣରୁ , ବେଜିଂକୁ ଆସୁଥିବା ଲୋକଙ୍କ ପାଇଁ ନ୍ୟୁକ୍ଲିୟିକ୍ ଏସିଡ୍ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ଲୋକଙ୍କୁ ସର୍ବସାଧାରଣ ସ୍ଥାନକୁ ଯିବା, ଭୋଜିରେ ଖାଇବା ଏବଂ ସହରରେ ପ୍ରବେଶ କରିବା ପରେ ସାତ ଦିନ କୌଣସି ମିଟିଙ୍ଗ୍ର ଯୋଗଦେବାକୁ ବାରଣ କରାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡଐଙ) କହିଛି ଯେ ଡେଲ୍ଟାକ୍ରନ୍ ମାମଲା ସାରା ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି । ଏହିପରି ଚିନ୍ତା ପ୍ରକଟ କରାଯାଉଛି ଯେ ଡେଲ୍ଟାକ୍ରନ୍ କରୋନାର ଏକ ନୂଆ ଲହର ଆଣିପାରେ । ଡଐଙ ଅନୁଯାୟୀ, ଫ୍ରାନ୍ସ, ବ୍ରିଟେନ, ନେଦରଲ୍ୟାଣ୍ଡ ଏବଂ ଡେନମାର୍କ ସମେତ ୟୁରୋପର ଅନେକ ଦେଶରେ ଡେଲଟ୍ରାକ୍ରନ୍ ମାମଲା ରୁଜୁ ହୋଇଛି । ଆମେରିକାର କେତେକ ଅଞ୍ଚଳରେ ଡେଲଟାକ୍ରନ ଭାରିଆଣ୍ଟର ମାମଲା ମଧ୍ୟ ଦେଖିବାକୁ ମିଳିଛି ।
