କୋଇଲା ଚୋରା ଚାଲାଣ ମାମଲା : ସାଂସଦ ଅଭିଷେକ ବାନାର୍ଜୀ ଓ ପତ୍ନୀଙ୍କୁ ଇଡିର ସମନ
କଲିକତା : କୋଇଲା ଚୋରା ଚାଲାଣ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ରୁଜୀରାଙ୍କୁ ସମନ ପଠାଇଛି । ଅଭିଷେକ ବାନାର୍ଜୀଙ୍କୁ ଜେରା କରିବା ପାଇଁ ୨୧ ମାର୍ଚ୍ଚରେ ଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ୨୨ ମାର୍ଚ୍ଚରେ ତାଙ୍କ ପତ୍ନୀଙ୍କୁ ପଚରା ଉଚରା କରିବା ପାଇଁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କହାଯାଇଛି । ଏହି ମାମଲାରେ ମହଲତ ଦେବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଏବଂ ତାଙ୍କ ପତ୍ନୀଙ୍କୁ ଏହି ନୋଟିସ ଜାରି କରିଛି ଇଡି ।
ଏହି ମାମଲା ପ୍ରଥମେ ସିବିଆଇ ଦ୍ୱାରା କୋଇଲା ସ୍କାମ ମାମଲାରେ ପଞ୍ଜୀକୃତ ହୋଇଥିଲା, ପରେ ଏହି ମାମଲାକୁ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଏକ ମାମଲା ପଞ୍ଜିକରଣ କରି ଇଡି ଅନୁସନ୍ଧାନ କରୁଛି। ଏହି କୋଇଲା ଘୋଟାଲାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଅନୁପ ମଞ୍ଜୀ, ଯିଏ ଝାଡ଼ଖଣ୍ଡଏବଂ ପଶ୍ଚିମବଙ୍ଗର ବାସିନ୍ଦା । ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ଅନୁପ ମଞ୍ଜୀ ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ଯେତେବେଳେ ତଦନ୍ତ କରାଯାଉଥିଲା ସେହି ସମୟରେ ହାୱାଲା ବ୍ୟବସାୟ ସହ ଜଡିତ ବହୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ, ଇଲେକ୍ଟ୍ରୋନିକ୍ ଉପକରଣ ଏବଂ ଇନପୁଟ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଡାଏରୀ ତଦନ୍ତକାରୀଙ୍କୁ ମିଳିଥିଲା , ଏହି ଡାଏରୀରେ ଅଭିଷେକ ବାନାର୍ଜୀଙ୍କ ସମେତ ବହୁ ବଡ ବଡ ରାଜନୈତିକ ବ୍ୟକ୍ତି, ସରକାରୀ କର୍ମଚାରୀ, ବ୍ୟବସାୟୀଙ୍କ ବିଷୟରେ ଅନେକ କାରବାର ହୋଇଥିବାର ସୂଚନା ଲେଖାଯାଇଥିଲା । ଯାହା ଆଧାରରେ ଅନୁସନ୍ଧାନକାରୀ ସଂସ୍ଥା ଅନେକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏବଂ ବାକି ସୂଚନା ପାଇଁ, ଅଭିଷେକଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ପଚରାଉଚରା କରିବାକୁ ଇଡି ଲଗାତାର ଚେଷ୍ଟା କରୁଛି, ଯାହାଫଳରେ ସତ ଜଣା ପଡିବ ।
