ଭାରତ ଗସ୍ତରେ ଆସିବେ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା
ନୂଆଦିଲ୍ଲୀ : ଭାରତ ଗସ୍ତରେ ଆସିବେ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା । ଚଳିତ ସପ୍ତାହ ଶେଷରେ ଦୁଇ ଦିବସୀୟ ଗସ୍ତରେ ଭାରତ ଆସିବେ । ସେ ଆସନ୍ତା ୧୯ ଓ ୨୦ ତାରିଖରେ ଦିଲ୍ଲୀରେ ରହିବେ । ଏନେଇ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଏହି ସୂଚନା ପ୍ରଦାନ କରାଯାଇଛି । ଜାପାନ ପ୍ରଧାନମନ୍ତ୍ରୀ ଆସନ୍ତା ୧୯ ଓ ୨୦ ତାରିଖରେ ଦିଲ୍ଲୀରେ ରହିବେ । ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣକ୍ରମେ ତାଙ୍କ ଜାପାନ ପ୍ରତିପକ୍ଷ ୧୪ ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ଲାଗି ମାର୍ଚ୍ଚ ୧୯-୨୦ ତାରିଖରେ ନୂଆଦିଲ୍ଲୀରେ ପହଞ୍ଚିବେ । ଏହା ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ହେବ । ଏହି ଶିଖର ସମ୍ମିଳନୀ ବିଭିନ୍ନ ଦ୍ୱିପାକ୍ଷିକ ସହଯୋଗରେ ସମୀକ୍ଷା ଓ ତାକୁ ମଜଭୁତ କରିବା ସହ ପାରସ୍ପରିକ ହିତର ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗରେ ବିଚାରର ଆଦାନପ୍ରଦାନ କରିବାର ଅବସର ପ୍ରଦାନ କରିବ ।
ଜାପାନ ପ୍ରଧାନମନ୍ତ୍ରୀଙ୍କ ପରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମାରିସନ୍ ଭାରତ ଆସିବେ । ସେ ଭାରତ-ଅଷ୍ଟ୍ରେଲିଆ ଶିଖର ସମ୍ମିଳନୀରେ ସାମିଲ ହେବେ । ପ୍ରଧାନମନ୍ତ୍ରୀ ମୋଦି ଓ ମାରିସନ୍ ମାର୍ଚ୍ଚ ୨୧ ତାରିଖରେ ଦ୍ୱିତୀୟ ଭାରତ-ଅଷ୍ଟ୍ରେଲିଆ ଭର୍ଚ୍ଚୁଆଲ ଶିଖର ସମ୍ମିଳନୀ କରିବେ । ଉଭୟ ଦେଶ ମଧ୍ୟରେ ପ୍ରଥମ ଶିଖର ସମ୍ମିଳନୀ ୨୦୨୦ ଜୁନ୍ ୪ ତାରିଖରେ ଭର୍ଚ୍ଚୁଆଲ ମାଧ୍ୟମରେ ହୋଇଥିଲା ।
