ଭାରତ ଗସ୍ତରେ ଆସିବେ ଚୀନ ବୈଦେଶିକ ମନ୍ତ୍ରୀ!
ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦ ବହୁ ଦିନରୁ ଲାଗି ରହିଥିବା ବେଳେ ଚଳିତ ମାସ ଶେଷ ସପ୍ତାହରେ ଭାରତ ଗସ୍ତରେ ଚୀନ ବୈଦେଶିକ ମନ୍ତ୍ରୀ ଆସିବେ ବୋଲି ଜଣାପଡ଼ିଛି । ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ମାର୍ଚ୍ଚ ୨୬ରେ ନିଜର ନେପାଳ ଯାତ୍ରା ପରେ ୱାଙ୍ଗ ୟି ନୂଆଦିଲ୍ଲୀ ଆସିପାରନ୍ତି ବୋଲି ରିପୋର୍ଟରେ କୁହାଯାଇଛି । ଚୀନ ମନ୍ତ୍ରୀଙ୍କ ଭାରତ ଗସ୍ତକୁ ନେଇ ଏବେ ସୁଦ୍ଧା କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ । କିନ୍ତୁ ଦୁଇ ଦେଶର ବରିଷ୍ଠ ଅଧିକାରୀମାନେ ଏନେଇ ଯୋଗାଯୋଗରେ ଅଛନ୍ତି ବୋଲି ସ୍ଥାନୀୟ ରିପୋର୍ଟରେ କୁହାଯାଇଛି ।
ଯଦି ଚୀନର ବୈଦେଶିକ ମନ୍ତ୍ରୀ ଭାରତ ଆସନ୍ତି ତାହେଲେ ମେ ୨୦୨୦ ରେ ଲଦାଖ ପାଖରେ ଥିବା ଗଲୱାନ ଘାଟିରେ ଚୀନ ଓ ଭାରତୀୟ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇ ୨୦ ଜଣ ଭାରତୀୟ ସୈନ୍ୟ ପ୍ରାଣ ହରାଇବା ପରେ କୌଣସି ବରିଷ୍ଠ ଚୀନ ନେତାଙ୍କ ଦ୍ୱାରା ଏହା ପ୍ରଥମ ଥର ଭାରତ ଗସ୍ତ ହେବ । ସୂଚନା ଯେ, ଗଲୱାନ ଘାଟିରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହେବା ପରେ ଭାରତ ଓ ଚୀନ ମୁହାଁ ମୁହିଁ ହୋଇଛନ୍ତି । ସେବେଠାରୁ ଦୁଇଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ବଢ଼ିଛି । ଭାରତ ଓ ଚୀନ ସୀମା ବିବାଦର ସମାଧାନ ପାଇଁ ଏବେ ସୁଦ୍ଧା ଦୁଇ ଦେଶ ମଧ୍ୟରେ ୧୫ ଥର ଆଲୋଚନା ହୋଇସାରିଲାଣି । କିନ୍ତୁ ହୋଇଥିବା ଏହି ଆଲୋଚନାରୁ ଏବେସୁଦ୍ଧା କୌଣସି ସୁଫଳ ମିଳିପାରୁନାହିଁ । ଗତ ବର୍ଷ ଫେବୃଆରୀ ମାସରେ ଚୀନ କହିଥିଲା ଗଲୱାନ ଘାଟିରେ ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଚୀନର ପାଞ୍ଚଜଣ ସାମରିକ ଅଧିକାରୀ ଓ ସୈନିକ ମୃତ୍ୟୁବରଣ କରିଥିଲେ । କିନ୍ତୁ ଏହି ସଂଘର୍ଷରେ ୪୦ ଜଣ ସୈନ୍ୟଙ୍କର ମୃତ୍ୟୁ ଘଟିଛି ବୋଲି ଅଷ୍ଟ୍ରେଲିୟ ଖବର କାଗଜ ‘କ୍ଲାକ୍ସନ’ ପ୍ରକାଶ କରିଥିଲା।
