ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ; ବିଦା ହେଲେ ଆଉ ୬ ଦୁର୍ନୀତିଗ୍ରସ୍ତ ଅଧିକାରୀ
ଭୁବନେଶ୍ୱର : ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ । ଆଉ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ତିନି ଜଣ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର, ପୋଲିସ ଇନ୍ସପେକ୍ଟର, ଅତିରିକ୍ତ ଯୋଗାଣ ଅଧିକାରୀ ଓ ଜିଲ୍ଲା କଲ୍ୟାଣ ଅଧିକାରୀ ଥିବା ଜଣାପଡିଛି । ଏବେ ଯାଏଁ ୧୫୮ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ୱଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି । ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଏବଂ ଏଥିରେ ବିଭିନ୍ନ କ୍ଷେତ୍ରରେ ଥିବା ଅଧିକାରୀ, ଯଥାକ୍ରମେ – ତିନି ଜଣ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର, ଜଣେ ପୋଲିସ ଇନ୍ସପେକ୍ଟର, ଅତିରିକ୍ତ ଯୋଗାଣ ଅଧିକାରୀ ଓ ଜିଲ୍ଲା କଲ୍ୟାଣ ଅଧିକାରୀ ପ୍ରମୁଖ ଅନ୍ତର୍ଭୁକ୍ତ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୮ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ଏହି ୬ ଜଣଙ୍କ ମଧ୍ୟରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧିନସ୍ଥ ଜନସ୍ୱାସ୍ଥ୍ୟ ଇଞ୍ଜିନିୟରିଂ କ୍ୟାଡରର ୩ ଜଣ ଏକ୍?ଜିକ୍ୟୁଟିଭ ଇଞ୍ଜିନିୟର ରହିଛନ୍ତି । ଏମାନଙ୍କ ମଧ୍ୟରୁ ଶ୍ରୀ ସରୋଜ କୁମାର ଦାସଙ୍କ କାର୍ଯ୍ୟଶୈଳୀ ଆଦୌ ସନ୍ତୋଷଜନକ ନଥିଲା ଏବଂ ତାଙ୍କର ଅତୀତର ରେକର୍ଡରୁ ଜଣାଯାଇଛି ଯେ କାର୍ଯ୍ୟ କ୍ଷେତ୍ରରେ ଅତ୍ୟନ୍ତ ଅପାରଗ ଥିଲେ । ତାଙ୍କ କାର୍ଯ୍ୟଶୈଳୀରେ ଅସଙ୍ଗତି, ନିଷ୍ଠାର ଅଭାବ ଏବଂ ଅପାରଗତା ଯୋଗୁ ସେ ଜଣେ ସରକାରୀ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବା ଜନସ୍ୱାର୍ଥର ପରିପନ୍ଥୀ । ତେଣୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେହିପରି କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ଶ୍ରୀ ଦୟାନିଧି ସାମଲଙ୍କ କାର୍ଯ୍ୟକଳାପ ମଧ୍ୟ ସନ୍ତୋଷଜନକ ନୁହେଁ । ତାଙ୍କର କାର୍ଯ୍ୟକଳାପ ଜଣେ ଦାୟିତ୍ୱବାନ ସରକାରୀ କର୍ମଚାରୀଙ୍କ କାର୍ଯ୍ୟର ପରିପନ୍ଥୀ ଓ ଜନସ୍ୱାର୍ଥ ବିରୋଧୀ । ଏହାସହିତ ଅପାରଗତା ଓ ଅସାଧୁତା ଆଦି କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଆଉ ଜଣେ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ଶ୍ରୀ କରୁଣାକର ଘଡାଇଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ଜଣେ ଯୋଗାଣକାରୀଙ୍କୁ ସେ ଅନୁଚିତ ଅନୁଗ୍ରହ ପ୍ରଦର୍ଶନ କରିଥିଲେ । ତାଙ୍କର କାର୍ଯ୍ୟକଳାପ ସନ୍ତୋଷଜନକ ନୁହେଁ ଏବଂ ତାଙ୍କ ବିରୁଦ୍ଧରେ ଅସାଧୁତାର ପ୍ରମାଣ ମଧ୍ୟ ରହିଛି । ତେଣୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେପଟେ ଅନୁଗୁଳ ଜିଲ୍ଲା ପୋଲିସ ଇନ୍ସପେକ୍ଟର ଶ୍ରୀ ରତ୍ନାକର ମଲ୍ଲିକଙ୍କୁ ଅପାରଗତା କାରଣକୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ନୂଆପଡା ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ରତ୍ନାକର ସେଠୀଙ୍କ ନାମରେ ଦୁଇଟି ଦୁର୍ନୀତି ମାମଲା ରହିଛି । ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢାଉ କରାଯାଇ ତାଙ୍କ ନିକଟରୁ ୬.୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରାଯାଇ ତାଙ୍କୁ ଜେଲ୍କୁ ପଠାଯାଇଛି । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଅନୁଗୁଳ ଜିଲ୍ଲାର ପୂର୍ବତନ କଲ୍ୟାଣ ଅଧିକାରୀ ମିସ୍? ଚାରୁଲତା ମଲ୍ଲିକଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଛି । ଜିଲ୍ଲା କଲ୍ୟାଣ ଅଧିକାରୀ ଭାବରେ ସେ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଧରା ପଡିଥିଲେ । ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା । ବର୍ତ୍ତମାନ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୮ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ।
