ସ୍ନାତକୋତ୍ତର ଶିକ୍ଷା ବିଭାଗ ପକ୍ଷରୁ ଗବେଷଣା ପଦ୍ଧତି କର୍ମଶାଳାର ଉଦ୍ଯାପନ
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ଅଧୀନସ୍ତ ସ୍ନାତକୋତ୍ତର ଶିକ୍ଷା ବିଭାଗ ଆନୁକୂଲ୍ୟରେ ଏକ ଗବେଷଣା ପଦ୍ଧତି ଭିତ୍ତିକ କର୍ମଶାଳା ଗତ ୭ ତାରିଖରୁ ଆରମ୍ଭ ହୋଇ ବୁଧବାର ଉଦ୍ଯାପିତ ହୋଇଛି । ଏହି ଶୈକ୍ଷିକ ଗବେଷଣା ପଦ୍ଧତି କର୍ମଶାଳାରେ ରାଜ୍ୟ ଏବଂ ଜାତୀୟ ସ୍ତରରେ ବକ୍ତାମାନେ ଯୋଗଦେଇ ଗବେଷକମାନଙ୍କୁ ଗବେଷଣାର ଅନେକ ପଦ୍ଧତି ଏବଂ ବର୍ତ୍ତମାନର ଆବଶ୍ୟକତା ସମ୍ବନ୍ଧରେ ଆଲୋକପାତ କରିଥିଲେ ।
ଉଦ୍ଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ବରିଷ୍ଠ ପ୍ରାଧ୍ୟାପକ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକ ଯୋଗଦେଇ ଗବେଷକମାନଙ୍କୁ ଗବେଷଣାର ଉଦ୍ଦେଶ୍ୟ ଏବଂ ବର୍ତ୍ତମାନର ଆବଶ୍ୟକତା ସମ୍ବନ୍ଧରେ ଦିଗଦର୍ଶନ ପ୍ରଦାନ କରିଥିଲେ । ଏହି ସଭାରେ ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଡ. ଅମୂଲ୍ୟ କୁମାର ଆଚାର୍ଯ୍ୟ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହିତ ଗବେଷଣାର ବିଭିନ୍ନ ଦିଗ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଗବେଷଣା ପଦ୍ଧତି କର୍ମଶାଳାର ସଂଯୋଜକ ଡ. ରଞ୍ଜନ କୁମାର ରାଉତ ୧୦ଦିନ ଗବେଷଣା ପଦ୍ଧତି କର୍ମଶାଳାର ସମସ୍ତ ବିବରଣୀ ଉପସ୍ଥାପନା କରିଥିଲେ । ଉକ୍ତ ଉଦ୍ଯାପନୀ ଦିବସରେ ସହଯୋଗୀ ପ୍ରାଧ୍ୟାପକ ଡ. ଜ୍ୟୋତିଶଙ୍କର ପ୍ରଧାନ, ସହକାରୀ ପ୍ରାଧ୍ୟାପକ ଚିନ୍ତାମଣୀ ମାଝି ଉପସ୍ଥିତ ଥିଲେ । ଶେଷରେ ସହକାରୀ ପ୍ରାଧ୍ୟାପିକା ଡ. ପ୍ରତିମା ପ୍ରଧାନ ସଭା ପରିଚାଳନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
