ଡାକ୍ତରଙ୍କ ଅବହେଳା ପାଇଁ ଗଲା ଦୁଇ ମାସ ଶିଶୁର ଜୀବନ
କନ୍ଧମାଳ: ଡାକ୍ତରଙ୍କ ଅବହେଳା ପାଇଁ ଗଲା ଦୁଇ ମାସ ଶିଶୁର ଜୀବନ । ଏହିଭଳି ଏକ ସାଙ୍ଘାତିକ ଅଭିଯୋଗ ପୁଣିଥରେ ଆସିଛି ଆଦିବାସୀ ଅଧ୍ୟୁସିତ କନ୍ଧମାଳ ଜିଲାରୁ। ଫୁଲବାଣୀ ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଏକ ଅଘଟଣ ଘଟିଛି ।
କନ୍ଧମାଳ ଜିଲା ହସ୍ପିଟାଲରେ ଡାକ୍ତରଙ୍କ ଅବହେଳା ପାଇଁ ଦୁଇ ମାସର ଶିଶୁ ମୃତୁ ହୋଇଥିବା ଅଭିଯୋଗ ହୋଇଛି। ଶିଶୁର ପିତା ଶିବୁ ଦିଗଲ ଓ ମା ସୋନାଲି ବେହେରା ଏହି ଅଭିଯୋଗ ଆଣିଛନ୍ତି। ଦୁଇ ଦିନ ହେବ ଶିବୁ ଦିଗଲଙ୍କ ଶିଶୁର ପରିଶ୍ରା ହେଉନଥିଲା। ଏହାସହ ଶିଶୁର ଯୌନାଙ୍ଗରେ ଅସହ୍ୟ ଯନ୍ତ୍ରଣା ମଧ୍ୟ ହେଉଥିଲା। ତେଣୁ ଉଭୟ ବାପା ମାଆ କନ୍ଧମାଳ ଜିଲ୍ଲା ଦୁତିମେଣ୍ଡି ପଂଚାୟତର ବୈଇକୁମ୍ପାରୁ ଶିଶୁକୁ ନେଇ ଫୁଲବାଣୀ ମେଡିକାଲକୁ ଆଣିଥିଲେ। କିନ୍ତୁ ଡାକ୍ତର ଧନମଣି ପ୍ରଧାନ ଶିଶୁକୁ ଭଲରେ ଚିକିତ୍ସା କରବା ବଦଳରେ ଦୂରରୁ ଦେଖି ସିରପ ଲେଖି ଛାଡ଼ିଦେଇଥିଲେ। ଯାହାକୁ ଖାଇବେ ପରେ ମଧ୍ୟ ଶିଶୁଟିର ସ୍ବାସ୍ଥ୍ୟରେ କୌଣସି ସୁଧାରେ ଆସିନଥିଲା।
ଏହାପରେ ପୁନର୍ବାର ଶିବୁ ପର ଦିନ ସକାଳୁ ଶିଶୁଟିକୁ ଡାକ୍ତରଖାନାରେ ଭର୍ତ୍ତ କରାଇଥିଲେ। କିନ୍ତୁ ଦୁଃଖର ବିଷୟକି ନର୍ସ ଡାକ୍ତରଙ୍କୁ ନ ଡାକି ନିଜେ ଓ୍ବାର୍ଡକୁ ପଠାଇ ଦେଇଥିଲେ। ଏହାସହ ଯଥାଶୀଘ୍ର କୌଣସି ଡାକ୍ତର ଆସିନଥିଲେ କି ଶିଶୁଟିର ଚିକିତ୍ସା କରିନଥିଲେ। ତୁରନ୍ତ ଚିକିତ୍ସା ନ ମିଳିବାରୁ ଶିଶୁର ମୃତୁ ହୋଇଥିବା ପରିବାର ଅଭିଯୋଗ ଆଣିଛନ୍ତି। ଯାହାକୁନେଇ ପରିବାର ଲୋକଙ୍କ ପକ୍ଷରୁ ଅତିରିକ୍ତ ଚିକିତ୍ସା ଅଧିକାରୀଙ୍କ ପାଖରେ ଅଭିଯୋଗ କରାଯାଇଥିଲା। ତେବେ ପରିବାରଙ୍କ ଅଭିଯୋଗ ଅନୁସାରେ ତଦନ୍ତ କରାଯିବ ବୋଲି ଅତିରିକ୍ତ ଚିକିତ୍ସା ଅଧିକାରୀ କହିଛନ୍ତି। ଅନ୍ୟପଟେ ଅତିରିକ୍ତ ଚିକିତ୍ସା ଅଧିକାରୀ ସ୍ପଷ୍ଟୀକରଣ ରଖିଛନ୍ତି ଯେ, ଚିକିତ୍ସାରେ ସେଭଳି କୌଣସି ତ୍ରୁଟି ହୋଇନାହିଁ। ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିଲା। ଚିକିତ୍ସାରେ କିଛି ଅବହେଳା ହୋଇନାହିଁ। ଚିକିତ୍ସାଧିନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଛି। ଯଦି ସେଭଳି କୌଣସି ତ୍ରୁଟି ରହିଥାଏ ତେବେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି। ଜିଲ୍ଲାରେ ଚଳିତ ବର୍ଷ ପାଇଁ ଏହା ଶିଶୁ ମୃତ୍ୟୁର ପ୍ରଥମ ଅଭିଯୋଗ। କିନ୍ତୁ ପର୍ବରୁ ୨୦୨୦, ୨୦୨୧ ବର୍ଷରେ ମଧ୍ୟ ଏହିଭଳି ଅନେକ କାରଣରୁ ଶିଶୁ ମୃତ୍ୟୁ ଅଭିଯୋଗ ଅନେକବାର ଆସିଛି। ଯାହାର ତଦନ୍ତ ମଧ୍ୟ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ତଦନ୍ତର କୌଣସି ଫଳ ବାହାରି ପାରିନାହିଁ।
ସୂଚନା ଯେ, କନ୍ଧମାଳ ଜିଲ୍ଲାରେ ଶିଶୁ ଚିକିତ୍ସା ପାଇଁ କେବଳ ମୁଖ୍ୟ ଚିକିତ୍ସାରେ ଏକ ସ୍ବତନ୍ତ୍ର ଓ୍ବାର୍ଡ ରହିଛି। ଯେଉଁଠାରେ ଏସଏନସିୟୁ ଭଳି ଅନେକ ଅତ୍ୟାଧୁନିକ ଚିକିତ୍ସା ସେବା ଉପଲବ୍ଧ ରହିଛି। ଏହାକୁ ବାଦ ଦେଲେ ପୁରା ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସେଭଳି ଅନ୍ୟ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ମୁଖ୍ୟ ଚିକିତ୍ସାଳୟରେ ରହିଥିବା ଶିଶୁ ଓ୍ବାର୍ଡରେ କେବଳ ଦୁଇ ଜଣ ଡାକ୍ତର ରହିଛନ୍ତି। ଯେଉଥିପାଇଁ ଶିଶୁଙ୍କ ଚିକିତ୍ସା ପାଇଁ ଜିଲ୍ଲାବାସୀଙ୍କୁ ନେଇ ଅନେକ ଅସୁବିଧାର ସମ୍ନା କରିବାକୁ ପଡୁଛି। ବିଶେଷ ଭାବରେ କନ୍ଧମାଳ ଜିଲ୍ଲା ଏକ ପଛୁଆ ଓ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏଠାକୁ ଡାକ୍ତର ଅସୁନଥିବା ଅଭିଯୋଗ ହୋଇଛି।
