ଆଜିଠୁ ସଂସଦର ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ
ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ
ନୂଆଦିଲ୍ଲୀ : ଆଜିଠୁ ସଂସଦରେ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେବ। କୋଭିଡ କଟକଣା ମଧ୍ୟରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ପରେ ଆଜି ଦ୍ବିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହେବାକୁ ଯାଉଛି। ଏପ୍ରିଲ ୮ ଯାଏଁ ଚାଲିବ ଅଧିବେଶନ। ଏହି ପର୍ଯ୍ୟାୟରେ ୧୯ଟି କାର୍ଯ୍ୟ ଦିବସ ରହିଛି। ବେରୋଜଗାର, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଜମା ଉପରେ ସୁଧ ହ୍ରାସ ଏବଂ ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ଆଦି ପ୍ରସଙ୍ଗକୁ ଅସ୍ତ୍ର କରି ସରକାରଙ୍କୁ ଘେରିବ ବିରୋଧୀ।
ପର୍ଯ୍ୟାୟ ଆରମ୍ଭରୁ ସରକାର ସଂସଦରେ ବଜେଟ ପ୍ରସ୍ତାବଗୁଡିକୁ ଅନୁମୋଦନ କରିବେ। ଏହା ସହିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ଲାଗି ଲୋକସଭାରେ ବଜେଟ ଉପସ୍ଥାପନ କରିବେ। ଏହା ବ୍ୟତୀତ ସରକାର ସମ୍ବିଧାନ (ଅନୁସୂଚିତ ଜନଜାତି) ନିର୍ଦ୍ଦେଶାବଳୀ (ସଂଶୋଧନ) ବିଲ୍ ଲୋକସଭାରେ ଗୃହୀତ କରାଇବା ପାଇଁ ତାଲିକାଭୁକ୍ତ କରିଛନ୍ତି। ମହାମାରୀ ସଂକ୍ରମଣ କମିଥିବାରୁ ଉଭୟ ଗୃହରେ ସକାଳ ୧୧ଟାରୁ ଏକାସଙ୍ଗେ ଆରମ୍ଭ ହେବ ଅଧିବେଶନ। ମୋଦି ସରକାରଙ୍କୁ ଘେରିବାକୁ କୌଣସି ସୁଯୋଗକୁ ହାତଛଡା କରିବାକୁ ଚାହିଁ ନାହାନ୍ତି ବିରୋଧୀ। କଂଗ୍ରେସ ସମେତ ବିରୋଧୀ ଦଳ ବିଭିନ୍ନ ପ୍ରସଙ୍ଗକୁ ଅସ୍ତ୍ର କରିବାକୁ ପ୍ରସ୍ତୁତ। ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ସରକାର ମଧ୍ୟ ରଣନୀତି ପ୍ରସ୍ତୁତ କରିଛନ୍ତି। ପ୍ରକାଶ ଥାଉ କି ଜାନୁଆରୀ ୨୯ରୁ ଫେବୃଆରୀ ୧୧ ଯାଏଁ ଭଭୟ ଗୃହରେ ଅଲଗା ଅଲଗା ସିଫ୍ଟରେ ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ହୋଇଥିଲା। ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ବେଜେଟ ଉପସ୍ଥାପନ କରିଥିଲେ। ଏଥିରେ ୧୦ଟି କାର୍ଯ୍ୟ ଦିବସ ରହିଥିଲା।
