ପ୍ରଧାନମନ୍ତ୍ରୀଙ୍କୁ ଭେଟି ଶପଥ ଗ୍ରହଣ ଉତ୍ସବକୁ ଆମନ୍ତ୍ରଣ କଲେ ଯୋଗୀ
ନୂଆଦିଲ୍ଲୀ: ଉତର ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୩ ଦିନ ପରେ ରବିବାର ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆଦିଲ୍ଲୀରେ ଭେଟିଛନ୍ତି । ଏହି ସାକ୍ଷାତକାର ବେଳେ ଉତର ପ୍ରଦେଶରେ ବିଜୟ ପାଇଁ ଯୋଗୀ ଆଦିତ୍ୟନାଥଙ୍କୁ ଅଭିନନ୍ଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ମିଳିଥିବା ସୂଚନା ଅନୁଯାୟୀ, ଏହି ସାକ୍ଷାତକାର ଅବସରରେ ନିଜ ଶପଥଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ଯୋଗୀ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ ।
ଯୋଗୀ ଆଦିତ୍ୟନାଥ ଆଜି ଉପରାଷ୍ଟ୍ରପତି ଏମ୍ ଭେଙ୍କିଆ ନାଇଡୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଓ ରାଷ୍ଟ୍ରୀୟ ସାଧାରଣ ସଂପାଦକ ବି.ଏଲ୍ ସନ୍ତୋଷଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଉତର ପ୍ରଦେଶରେ ଗତ ୩୭ ବର୍ଷରେ ସେ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ନିଜର ୫ ବର୍ଷର କାର୍ଯ୍ୟକାଳ ସଂପୂର୍ଣ୍ଣ କରିବା ପରେ ପୁନର୍ବାର କ୍ଷମତାକୁ ଫେରିଛନ୍ତି । ଏଥର ଉତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ୨୫୫ଟି ଆସନ ଜିତିଛି । ଏହା ସହିତ ମେଂଟ କରିଥିବା ଆପ୍ନା ଦଲ୍ (ଏସ୍) ଓ ନିଶଦ ପାର୍ଟି ଯଥାକ୍ରମେ ୧୨ ଓ ୬ଟି ଆସନ ହାତେଇଛନ୍ତି ।
