ଉଚ୍ଚତମ ନ୍ୟାୟଳୟ ଆଇନକୁ ଫୁ! ବୃଦ୍ଧ ମା’ବାପାଙ୍କୁ ନଜରବନ୍ଦୀ ରଖିଲେ ପୁଅବୋହୁ, ଥାନାରେ ଗୁହାରି
ନୀଳଗିରି : ଆଜିର ମଣିଷ ସମାଜରେ କେତେ ଜଣ ଅମଣିଷଙ୍କ ପାଇଁ ସମାଜରେ କଳଙ୍କର ବାଦଲ ମାଡ଼ି ବସୁଛି । ନା ମାନୁଛନ୍ତି ସମାଜର ନୀତିନିୟମ ନା ମାନୁଛନ୍ତି ନ୍ୟାୟଳୟର ଆଇନକାନୁନ । କିଛି ଦିନ ପୂର୍ବରୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଏକ ମାମଲାର ଶୁଣାଣି କରି ଯେଉଁ ପୁଅ ବୋହୁ ନିଜର ପିତାମାତାଙ୍କୁ ବୃଦ୍ଧାବସ୍ଥାରେ ଭରଣପୋଷଣ ନ କରନ୍ତି, ତେବେ ସେମାନେ ପୈତୃକ ସଂପତିରୁ ବଂଚିତ ହେବାର ଶୁଣାଣି କରିଥିଲେ । ମାତ୍ର ଏହି ନିୟମକୁ ଭ୍ରୁକ୍ଷେପ କରି ବୟସର ଅପରାହ୍ନରେ ପହଂଚିଥିବା ବୃଦ୍ଧ ମାଆ ବାପାକୁ ତାର ପୁଅ ଖାଇବା ପିଇବା ଦେବାତ ଦୂରର କଥା ସଂପତି ବାଡ଼ିକୁ ନେଇ ନଜରବନ୍ଦୀରେ ରଖିବା ମାନବ ସମାଜ ପାଇଁ ଏକ କଳୁଷିତ ଅଧ୍ୟାୟ । ଶେଷରେ ବୃଦ୍ଧ ବାପାମାଆ ଏକ ଶିଢ଼ି ପକାଇ ପାଚେରୀ ଡେଇଁ ନୀଳଗିରି ଥାନାରେ ଗୁହାରି କରିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ ନୀଳଗିରି ଏନ.ଏ.ସି.ର ସାନଅତା ଗ୍ରାମର ପୂର୍ଣ୍ଣଚନ୍ଦ୍ର ପଣ୍ଡା (୯୭) ତାର ସ୍ତ୍ରୀ ପଦ୍ମାବତୀ ପଣ୍ଡା (୯୨) ଏକାକୀ ଘରେ ରହୁଥିବା ବେଳେ ଝିଅ ବାସନ୍ତୀ ପଣ୍ଡା ବାପା ମାଆଙ୍କର ସମସ୍ତ କଥା ବୁଝିଥାଏ । ମାତ୍ର ତାର ପୁଅ ପ୍ରମୋଦ ପଣ୍ଡା ଏବଂ ତାର ସ୍ତ୍ରୀ ମିନତୀ ପଣ୍ଡା ବାରମ୍ବାର ବୁଢ଼ାବୁଢ଼ୀଙ୍କୁ ହଇରାଣ ହରକତ କରୁଥିବା ବେଳେ ଏପରିକି ପରିଣତ ବୟସରେ ବାପା ମାଆକୁ ପିଟାମରା କରିବା ସହ ଜୀବନରୁ ମାରିଦେବାର ଧମକ ଦେଉଛନ୍ତି । ଝିଅ ବାସନ୍ତୀ ପଣ୍ଡା ବାଲେଶ୍ୱର ରେ ଚାକିରୀ କରୁଥିବା ବେଳେ ଭାଇ ଭାଉଜଙ୍କର ଏତାଦୃଶ କାର୍ଯ୍ୟକୁ ନେଇ ବହୁବାର ବୁଝାଇ ଥିଲେ । ଏପରିକି ଭାଇ ଭାଉଜଙ୍କ ପାଇଁ ଏକ ପକ୍କାଘର ମଧ୍ୟ ଭଉଣୀ ବାସନ୍ତୀ ପଣ୍ଡା ତିଆରି କରିଦେଇଥିଲେ । ମାତ୍ର ଏଥିରେ ଭାଇ ଭାଉଜ ସନ୍ତୁଷ୍ଟ ନ ହୋଇ ଝିଅ ଅନୁପସ୍ଥିତିରେ ବାପା ମାଆଙ୍କୁ ହଇରାଣ କରି ଆସୁଥିବା ନେଇ ଗତ ତା.୨୭.୨.୨୨ରିଖରେ ବୃଦ୍ଧାମାଆ ପଦ୍ମାବତୀ ପଣ୍ଡା ନୀଳଗିରି ଥାନାରେ ଅଭିଯୋଗ କଲା ପରେ ପୋଲିସ ତଦନ୍ତ କରି ପୁଅ ବୋହୁକୁ ଏପରି ନ କରିବା ପାଇଁ ତାଗିଦ କରିଥିଲେ । ଏ ନେଇ ନୀଳଗିରି ଥାନାରେ ୯୦/୨୨ ରେ ଏକ ମାମଲା ରୁଜୁ କରାଯାଇଛି । ଗତ ଶୁକ୍ରବାର ଦିନ ବୃଦ୍ଧ ବାପା ମାଆଙ୍କୁ ଗେଟରେ ତାଲା ପକାଇ ବାହାରକୁ ଛାଡ଼ି ନ ଥିଲେ । ପୁଅ ବୋହୁର ନାଲି ଆଖି ଦେଖି ବାପା ମାଆ ପଥର ପାଲଟି ଯାଇଥିଲେ । ସତେ ଯେପରି ୨ଜଣକୁ ନଜର ବନ୍ଦୀ କରି ରଖାଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଂଚିବା କ୍ଷଣୀ ସେମାନେ ଫେରାର ହୋଇଯାଇଥିଲେ । ନିରୁପାୟ ହୋଇ ଶେଷରେ ବୁଢ଼ାବୁଢ଼ୀ ୨ଜଣ ଏକ ଶିଢ଼ି ପକାଇ ପାଚେରୀ ଡେଇଁ ବହୁ କଷ୍ଟରେ ବାହାରକୁ ବାହାରି ନୀଳଗିରି ଥାନାରେ ଗୁହାରି କରିଛନ୍ତି । ନୀଳଗିରି ଥାନା ଅଧିକାରୀ କିପରି ନ୍ୟାୟ ପ୍ରଦାନ କରୁଛି ତାହା ଦେଖିବାକୁ ବାକି ରହିଥିବା ବେଳେ ଯଦି ନ୍ୟାୟ ନ ମିଳେ ତେବେ ବୁଢ଼ାବୁଢ଼ୀ ୨ଜଣ ଆତ୍ମହତ୍ୟା କରିବେ ବୋଲି ସୂଚନା ଦେଇଛନ୍ତି । ସୂଚନାଥାଉକି ଗତ ତା.୨୮.୧୦.୨୧ରିଖରେ ବାପା ମାଆ କୁ ଅନୁରୂପ ଭାବେ ହଇରାଣ ହରକତ କରି ଆସୁଥିବା ନେଇ ପୁଅ ପ୍ରମୋଦ ପଣ୍ଡାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅନ୍ୟପକ୍ଷରେ ପୁଅବୋହୁ ନିଜର ବାପା-ମା ହଇରାଣ ହରକତ କରୁଥିବାର ଅଭିଯୋଗ କରି ନିଜ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି ।
