ଯୁଦ୍ଧରେ ୟୁକ୍ରେନ୍ର ୧୩ଶହ ନାଗରିକଙ୍କ ମୃତ୍ୟୁ ଘଟିଛି : ଜେଲେନସ୍କି
ନୂଆଦିଲ୍ଲୀ: ରୁଷ ଆକ୍ରମଣରେ ୟୁକ୍ରେନ୍ରେ ୧୩ଶହ ନାଗରିକଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭିଯୋଗ ଆଣିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦମିର୍ ଜେଲେନସ୍କି । ଫେବୃରୀରୀ ୨୪ରେ ୟୁକ୍ରେନ୍ ଉପରେ ଜୋରଦାର ଆକ୍ରମଣ କରିଥିଲା ରୁଷ । ସେବେଠାରୁ ଯୁଦ୍ଧରେ ଏଯାଏଁ ୧୩୦୦ ଜଣ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ଘଟିଥିବା ଜେଲେନସ୍କି କହିଛନ୍ତି ।
ସେହିପରି ମେଲିଟିପୁଲ ମେୟରଙ୍କୁ ରୁଷ ସେନା ଅପରହଣ କରିଦନେଇଥିବା ସେ ଅଭିଯୋଗ ଆଣିଛନ୍ତି । ତାଙ୍କୁ ତୁରନ୍ତ ଫେରାଇବାକୁ ଦାବି କରିଛନ୍ତି ଜେଲେନସ୍କି । ସେ କହିଛନ୍ତି ଯେ, ରୁଷ ଏବେ ଆତଙ୍କବାଦର ଏକ ନୂତନ ପର୍ଯ୍ୟାୟ ଦେଇ ଗତି କରୁଛି । ମେୟରଙ୍କୁ ଅପହରଣ କରିବା ହେଉଛି ଏହାର ଏକ ବଡ଼ ଉଦାହରଣ । ତାଙ୍କୁ ମୁକ୍ତ କରିବାକୁ ସେ ଦାବି କରୁଛନ୍ତି । ଶୁକ୍ରବାର ଜେଲେନ୍ସ୍କି କହିଥିଲେ ଯେ, ମେୟର୍ ଫେଦୋରୋଭ୍ ସାହସର ସହ ୟୁକ୍ରେନ୍ ତଥା ତାଙ୍କ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ବିପଦରୁ ରକ୍ଷା କରିଛନ୍ତି । ଅପହରଣ ହେଉଛି ଆକ୍ରମଣକାରୀଙ୍କ ଦୁର୍ବଳତାର ଲକ୍ଷଣ । ସେମାନେ ଆତଙ୍କର ଗୋଟାଏ ନୂଆ ସ୍ତରକୁ ଯାଇ ଆଞ୍ଚଳିକ ୟୁକ୍ରେନୀୟ ଜନପ୍ରତିନିଧିମାନଙ୍କୁ ନିଃଶେଷ କରିବାକୁ ଉଦ୍ୟମ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଜେଲେନସ୍କି ଜର୍ମାନ୍ ଚାନ୍ସଲର ଓଲାଫ୍ ସ୍କଲଜ୍ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାର୍କନ୍ଙ୍କ ସହ ଦୁଇ ଘଂଟା ଧରି ଆଲୋଚନା କରିଛନ୍ତି । ଉଭୟ ଜର୍ମାନ୍ ଚାନ୍ସଲର ଏବଂ ଫ୍ରାନ୍ସ ରାଷ୍ଟ୍ରପତି ରୁଷ ରାଷ୍ଟ୍ରପତିଙ୍କ ସହ ଆଲୋଚନା ପରେ ଉଭୟଙ୍କ ସହ ଜେଲେନସ୍କି ଆଲୋଚନା କରିଛନ୍ତି । ଆମେ ସମସ୍ତେ ମିଶି ଆକ୍ରମଣକାରୀ ରୁଷକୁ ଅଟକାଇବା ଉଚିତ ବୋଲି ଜେଲେନସ୍କି କହିଛନ୍ତି । ଅନ୍ୟପକ୍ଷରେ ୟୁକ୍ରେନ୍ ଅନ୍ତର୍ଜାତୀୟ ମାନିବିକ ନିମୟ ଉଲ୍ଲଂଘନ କରୁଛି ବୋଲି ମସ୍କୋ ଅଭିଯୋଗ ଆଣିଛି ।
