ଦ୍ୱିତୀୟ ଟେଷ୍ଟ: ପ୍ରଥମ ଇନିଂସରେ ୨୫୨ରେ ଅଲଆଉଟ୍ ହେଲା ଭାରତ
ବେଙ୍ଗାଲୁରୁ : ଏନ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ପିଙ୍କ୍ ବଲ୍ ଟେଷ୍ଟରେ ଶ୍ରେୟସ ଆୟରଙ୍କ ଦମଦାର ବ୍ୟାଟିଂ । ଅହେତୁକ ଟର୍ଣ୍ଣିଂ ହେଉଥିବା ପିଚ୍ରେ ଭାରତ ଆୟରଙ୍କ ୯୨ ରନର ଲଢୁଆ ବ୍ୟାଟିଂ ବଳରେ ପ୍ରଥମ ଇନିଂସରେ ୨୫୨ ରନ କରି ପାରିଛି । ଋଷଭ ପନ୍ତ ୩୯ ଏବଂ ହନୁମା ବିହାରୀ ୩୧ ରନ କରିଛନ୍ତି । ବିରାଟ କୋହଲି ପୁଣି ଥରେ ନିରାଶ ହୋଇଛନ୍ତି । ଶ୍ରେୟସଙ୍କୁ ବାଦ୍ ଦେଲେ ଆଉ କୌଣସି ବ୍ୟାଟସମ୍ୟାନ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ । ଶ୍ରୀଲଙ୍କା ପକ୍ଷରୁ ଲସିଥ ଏମ୍ବୁଲଡେନିଆ ଏବଂ ପ୍ରବୀଣ ଜୟବିକ୍ରମା ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍ ନେଇ ଭାରତକୁ ବଡ ସ୍କୋର କରିବାକୁ ଦେଇ ନାହାନ୍ତି ।
ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ଭାବେ ପରାଜିତ ହୋଇଥିବା ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟରେ ପ୍ରତିଶୋଧ ନେବାକୁ ପୂରା ପ୍ରସ୍ତୁତ ହୋଇ ଆସିଛି କି ବେଙ୍ଗାଲୁରୁରେ ଆଜି ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଥିବା ବେଳେ ଭାରତର ପ୍ରଥମ ଇନିଂସକୁ ଦେଖିଲେ ଲାଗୁଛି ବଦ୍ଲା ମୁଡ୍?ରେ ରହିଛି ଭ୍ରମଣକାରୀ ଦଳ । ଦଳର ବୋଲିଂ ସାମ୍ନାରେ ଶ୍ରେୟସ ଆୟରଙ୍କ ବ୍ୟତୀତ ଆଉ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ତିଷ୍ଠି ପାରି ନାହାନ୍ତି । ପ୍ରଥମ ଟେଷ୍ଟରେ ପ୍ରଥମ ଇନିଂସରେ ୫୭୪ ରନ୍ କରିଥିବା ଭାରତୀୟ ଦଳ ଆଜି ମାତ୍ର ୨୫୨ ରନ୍ରେ ଅଲ୍ ଆଉଟ୍ ହୋଇଯାଇଛି ।
ଏହା ପୂର୍ବରୁ ଟସ୍ ଜିତି ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । ଆରମ୍ଭରୁ ଭାରତକୁ ଝଟକା ପରେ ଝଟକା ଲାଗିଥିଲା । ପ୍ରଥମେ ମୟଙ୍କ ଅଗ୍ରୱାଲ(୪) ରନ ଆଉଟ୍ ହୋଇଥିଲେ । ପୁଣି ଅଧିନାୟକ ରୋହିତ ଶର୍ମା(୧୫) ଶସ୍ତାରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ଏହା ପରେ ଦଳକୁ ଲଗାତାର ଦୁଇଟି ଝଟକା ଲାଗିଥିଲା । ହନୁମା ବିହାରୀ କିଛି ସମୟ କ୍ରିଜରେ ଜମି ରହିଥିଲେ ହେଁ ୨୩ ରନ କରି ପାଭିଲିୟନ ଫେରିଥିଲେ । ପୁଣି ବିରାଟ କୋହଲି ଦଳୀୟ ସ୍କୋର ୧୦୦ ରନ ଭିତରେ ଆଉଟ୍ ହୋଇଥିଲେ । ବିରାଟ କୋହଲି ଯେବେ ମଇଦାନକୁ ବ୍ୟାଟିଂ ପାଇଁ ଓହ୍ଲାଇଲେ ଷ୍ଟାଡିୟମରେ ଭିନ୍ନ ପ୍ରକାରର ଉତ୍ସାହ ଦେଖିବାକୁ ମିଳିଥିଲା । ଦୀର୍ଘ ସମୟ ପରେ ଭାରତରେ ଷ୍ଟାଡିୟମରେ ୧୦୦ ପ୍ରତିଶତ ଦର୍ଶକଙ୍କ ପ୍ରବେଶକୁ ଅନୁମତି ମିଳିଛି । ବିରାଟ କୋହଲି ଭଲ ଆରମ୍ଭ ମଧ୍ୟ କରିଥିଲେ । ହେଲେ ମାତ୍ର ୪୮ ବଲ୍ରେ ୨୩ ରନ କରି ଧନଞ୍ଜୟ ଡି ସିଲଭାଙ୍କ ବଲ୍ରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଛନ୍ତି । ୮୬ ରନରେ ୪ ୱିକେଟ୍ ହରାଇବା ପରେ ଭାରତର ଇନିଂସ ସମ୍ଭାଳିଥିଲେ ଶ୍ରେୟସ ଆୟର ଓ ଋଷଭ ପନ୍ତ । ଦୁଇ ବ୍ୟାଟସମ୍ୟାନ ଦ୍ରୁତ ବ୍ୟାଟିଂ କରିଥିଲେ । ବିଶେଷ କରି ପନ୍ତ ଟି-୨୦ ଶୈଳୀରେ ବ୍ୟାଟିଂ କରିଥିଲେ । ସେ ୨୬ ବଲରୁ ୭ ଚୌକା ସହ ୩୯ ରନ କରି ପାଭିଲିୟନ ଫେରିଥିଲେ । ଦୁଇ ବ୍ୟାଟସମ୍ୟାନ ପଂଚମ ୱିକେଟରେ ୪୦ ରନ ଯୋଡିଥିଲେ । ଗୋଟିଏ ପଟେ ଭାରତ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିବା ବେଳେ ଶ୍ରେୟସ ଆୟର ଦୃଢ ବ୍ୟାଟିଂ ଜାରି ରଖିଥିଲେ । ଶେଷ ଆଡକୁ ରବୀନ୍ଦ୍ର ଜାଡେଜା ୪, ଅଶ୍ୱିନ ୧୩, ଅକ୍ଷର ପଟେଲ ୧୩ ଏବଂ ମହମ୍ମଦ ଶାମି ୫ ରନ କରି ଆଉଟ୍ ହୋଇଥିଲେ । ଶ୍ରେୟସ ଦ୍ରତ ବ୍ୟାଟିଂ କରି ୯୮ ବଲ୍ରୁ ୯୨ ରନ କରି ଶେଷ ବ୍ୟାଟସମ୍ୟାନ ଭାବେ ଆଉଟ୍ ହୋଇଥିଲେ । ଏଥିରେ ୧୦ ଚୌକା ଏବଂ ୪ ଛକା ସାମିଲ୍ । ଶ୍ରେୟସଙ୍କ ଟେଷ୍ଟରେ ଏହା ହେଉଛି ତୃତୀୟ ଅର୍ଦ୍ଧଶତକ ।
