ଧର୍ମ ଗୁଳାରେ ଜିତି ସିମୁଳିଆ ବ୍ଲକ ଅଧ୍ୟକ୍ଷ ହେଲେ ବାବାଜି ମଳିକ
ସିମୁଳିଆ : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକରେ ଉଭୟ ଦଳୀୟ ଭାଜପା ଓ ବିଜେଡିର ପଲା ସମାନ ରହିଥିଲା । ତେବେ ଘୋଡ଼ା ବେପାର ପରେ ମଧ୍ୟ ଉଭୟ ଦଳର ପଲା ସମାନ ରହିବାରୁ ଧର୍ମ ଗୁଳା (ଲଟେରୀ)ରେ ଗଜେନ୍ଦ୍ର ସେଠୀଙ୍କୁ ହରାଇ ବାବାଜି ମଳିକ ସିମୁଳିଆ ବ୍ଲକ ଅଧ୍ୟକ୍ଷ ହେଲେ ।
ସୂଚନା ଯେ, ଚଳିତ ନିର୍ବାଚନରେ ସିମୁଳିଆ ବ୍ଲକର ୨୨ଟି ପଞ୍ଚାୟତରୁ ୧୧ଜଣ ଦଳୀୟ ବିଜେଡି ଓ ୧୧ଜଣ ଭାଜପାରୁ ନିର୍ବାଚିତ ହୋଇଥିଲେ । ଚଳିତଥର ବ୍ଲକ ଅଧ୍ୟକ୍ଷ ପଦବୀ ହରିଜନ ସଂରକ୍ଷିତ ଥିବାବେଳେ ବାଉରିପଦା ପଞ୍ଚାୟତରୁ ଗଜେନ୍ଦ୍ର ସେଠି, ମଇତାପୁର ପଞ୍ଚାୟତରୁ ବାବାଜୀ ମଳିକ ଓ କ୍ଷୀରକୋଣା ପଞ୍ଚାୟତରୁ ମଞ୍ଜୁଲତା ମଳିକ ନିର୍ବାଚିତ ହୋଇଥିଲେ । ନିର୍ବାଚନ ଫଳାଫଳରେ ଉଭୟ ଦଳର ପଲା ସମାନ ହୋଇଯାଇଥିଲା । ପରେ ମାର୍କୋଣା ପଞ୍ଚାୟତରୁ ଦଳୀୟ ଭାଜପାରୁ ସମିତି ସଭ୍ୟା ଜିତିଥିବା ସ୍ୱପ୍ନାଲିସା ବେହେରା ବିଜେଡ଼ିରେ ମିଶିବା ପରେ ମଇତାପୁର ପଞ୍ଚାୟତରୁ ଦଳୀୟ ବିଜେଡିରୁ ଜିତିଥିବା ବାବାଜି ମଳିକ ଭାଜପାରେ ମିଶିଯିବା ପରେ ପୁଣି ପଲା ସମାନ ସମାନ ହୋଇଯାଇଥିଲା । ପରେ ଧର୍ମ ଗୁଳାରେ ବାବାଜି ମଳିକ ବିଜୟୀ ହୋଇଥିଲେ ।
