ବାଣପୁରରେ ଲଖିମପୁର ଖେରୀ-୨ : ବିଜେପି କର୍ମୀଙ୍କ ଉପରେ ଗାଡ଼ି ମଡ଼ାଇଦେଲେ ଚିଲିକା ବିଧାୟକ, ୨୦ରୁ ଊର୍ଦ୍ଧ୍ୱ ଆହତ
ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ଆକ୍ରମଣ, ମେଡିକାଲରେ ଭର୍ତ୍ତି
ଭୁବନେଶ୍ୱର : ବାଣପୁର ବ୍ଲକ ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ବିଧାୟକ ଲହୁଲୁହାଣ ହୋଇଥିବା ଜଣାପଡିଛି। ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଅବସରରେ ଯାଉଥିବା ବେଳେ ହୋଇଥିଲା ଏହି ଆକ୍ରମଣ । ସେପେଟେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡି ଧକ୍କାରେ ଅନେକ ବିଜେପି କର୍ମୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଅବସରରେ ଯାଉଥିବା ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ଆକ୍ରମଣ ହୋଇଛି। ଲହୁଲୁହାଣ ଅବସ୍ଥାରେ ବିଧାୟକଙ୍କୁ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଉତ୍ୟକ୍ତ ଲୋକ ବିଧାୟକଙ୍କ ଦାମୀ ଗାଡିକୁ ଭାଙ୍ଗି ଚୁରମାର କରିଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ପାଇଁ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।
ଅଭିଯୋଗ ଅନୁସାରେ, ଶନିବାର ସକାଳେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଅବସରରେ ବାଣପୁର ଗସ୍ତ କରିଥିଲେ। ଏହି ସମୟରେ ବିଜେପି ସମର୍ଥକମାନେ ବାଣପୁର ତହସିଲ ଅଫିସ ସମ୍ମୁଖରେ ତାଙ୍କ ଗାଡି ଆଗରେ ବିରୋଧ ପ୍ରଦର୍ଶନ କରିଥିଲେ। ତେବେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅନିୟନ୍ତ୍ରୀତ ଗାଡି ଭିଡ ଭିତରେ ଚଢିଯାଇଥିଲା। ଏଥିରେ ପୋଲିସ କର୍ମୀଙ୍କ ସହ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବିଧାୟକଙ୍କ ଗାଡ଼ି ଚାପାରେ ଗୁରୁତର ହୋଇଥିବା ସାଧାରଣ ଲୋକ ଓ ପୁଲିସ୍ କର୍ମଚାରୀଙ୍କୁ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ସେଥିରେ ନିଆଁ ଲଗାଇ ଦେଇଥିଲେ। ଆଉ କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଅଧିକ ସଂଖ୍ୟକ ପୁଲିସ୍ ମୁତୟନ କରାଯାଇଛି। ଘଟଣାକୁ ନେଇ ଖୋର୍ଦ୍ଧା ଏସ୍ପି ଅଲେଖ ଚନ୍ଦ୍ର ପହି କହିଛନ୍ତି ଯେ, ଘଟଣାରେ ଆଇଆଇସିଙ୍କ ସହ ୭ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଗାଡ଼ି ଧକ୍କାରେ ୧୫ ଜଣ ବିଭିନ୍ନ ଦଳର ସମର୍ଥକ ଆହତ ହୋଇଛନ୍ତି। ଲୋକଙ୍କ ଆକ୍ରମଣରେ ଚିଲିକା ବିଧାୟକ ମଧ୍ୟ ଆହତ ହୋଇଛନ୍ତି। ତେବେ ଦୁର୍ଘଟଣାରେ କାହାରି ମୃତ୍ୟୁ ହୋଇନାହିଁ। ସେପଟେ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ‘ଏପରି ଦୁର୍ଭାଗ୍ୟଜନକ ଘଟଣା ଓଡିଶା ଇତିହାସରେ ପ୍ରଥମ। ଚିଲିକା ପାଇଁ ଏହା କଳା ଇତିହାସ ହୋଇ ରହିବ। ବିଧାୟକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ସରକାର।
ଏନେଇ ଖୋର୍ଦ୍ଧା ଏସପି ଅଖିଲେଶ ଚନ୍ଦ୍ର ପହି କହିଛନ୍ତି, ଘଟଣାର ତଦନ୍ତ କରାଯାଉଛି। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସେହିପରି ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବିଧାୟକ ମଦ ପିଇ ଗାଡ଼ି ଚଲାଉଥିଲେ। ଲୋକଙ୍କ ଉପରେ ରାଗ ରଖି, ଡରାଇବା ପାଇଁ ଗାଡ଼ି ମଡ଼ାଇ ଦେଇଛନ୍ତି। ଏଭଳି କାମ ସୁସ୍ଥ ମସ୍ତିସ୍କ ଥିବା ବ୍ୟକ୍ତି କେବେବି କରିପାରିବନି । ଏଭଳି ଲୋକଙ୍କ ସ୍ଥାନ ଜେଲରେ। ସରକାର ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଦରକାର। ବିଧାୟକ ଗାଡ଼ି ମଡ଼ାଇବା ଘଟଣାକୁ ନେଇ ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଗଣତନ୍ତ୍ରରେ ହିଂସାକାଣ୍ଡ ଗ୍ରହଣୀୟ ନୁହେଁ। ବିଧାୟକ ହୁଅନ୍ତୁ କି ସାଧାରଣ ଲୋକ, ହିଂସା ସ୍ପୃହଣୀୟ ନୁହେଁ। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ଘଟଣା ଅତ୍ୟନ୍ତ ଲୋମହର୍ଷଣକାରୀ ଓ ବୀଭତ୍ସ। ବିଧାୟକଙ୍କ ବର୍ବରତାପୂର୍ଣ୍ଣ କାର୍ଯ୍ୟକୁ ବିଜେଡି ନିନ୍ଦା କରୁଛି। ଅତୀତରେ ଏଭଳି କାର୍ଯ୍ୟ ପାଇଁ ପ୍ରଶାନ୍ତଙ୍କୁ ଦଳରୁ ନିଲମ୍ବନ କରାଯାଇଛି।

ସୂଚନା ଯେ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ତାଙ୍କ କାମ ଅପେକ୍ଷା ଗୁଣ୍ଡାଗର୍ଦ୍ଦି ପାଇଁ ଜଣାଶୁଣା। ଗତ ସେପ୍ଟେମ୍ବରରେ ବିଜେପିର ବାଲୁଗାଁ ନଗର ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ବିଜେଡି ତାଙ୍କୁ ଦଳରୁ ନିଲମ୍ବନ କରିଥିଲା। ପରେ ସେ କୋର୍ଟରେ ଆତ୍ମ ସମର୍ପଣ କରିଥିଲେ। ତାଙ୍କ ବିରୁଦ୍ଧରେ ଆଇପିସିର ଦଫା ୨୯୮, ୩୨୩, ୫୦୬, ୩୪୧, ୩୪ ଓ ଏସି/ଏସଟି ଆକ୍ଟ ଲାଗିଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଜାମିନ ମିଳିଥିଲା। ଏହା ପୂର୍ବରୁ ମଧ୍ୟ ବିଧାୟକଙ୍କ ଅନେକ କାଣ୍ଡ କାରନାମା ଥିଲା। ୨୦୧୬ ନଭେମ୍ବରରେ ବୋଲାଗଡ ତହସିଲଦାର ନିହାରିକା ନାୟକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ସର୍ବସାଧାରଣରେ ଜଣେ ପ୍ରଶାସନୀକ ଅଧିକାରୀଙ୍କ ସହ ଜନପ୍ରତିନିଧିଙ୍କ ଏପରି ବ୍ୟବହାରକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ଏହି ଘଟଣା ବେଳେ ୫୨ ବର୍ଷୀୟ ପ୍ରଶାନ୍ତ ଜଗଦ୍ଦେବ, ବେଗୁନିଆ ବିଧାୟକ ଥିଲେ। ସେହି ସମୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ବିଜେଡି କେବଳ ଚେତାବନୀ ଦେଇ ବିଧାୟକଙ୍କୁ ଛାଡି ଦେଇଥିଲା।
