ବକ୍ସ ଅଫିସରେ ଉତ୍ତର-ଦକ୍ଷିଣ ସଙ୍ଘର୍ଷ, ପ୍ରଥମ ଦିନରେ ରାଧେ ଶ୍ୟାମ ଭାଙ୍ଗିଲା ରେକର୍ଡ
ମୁମ୍ବାଇ : ଶୁକ୍ରବାର ବାହୁବଲୀ ଏବଂ ସାହୋ ଫେମ୍ ପ୍ରଭାସଙ୍କ ‘ରାଧେ ଶ୍ୟାମ’ ମୁକ୍ତିଲାଭ କରିଛି। ପ୍ରଭାସଙ୍କ ପ୍ରଶଂସକମାନେ ଏହି ମଲ୍ଟି ଲାଙ୍ଗୁଏଜ୍ ଫିଲ୍ମ ଦେଖିବାକୁ ଗତ ଦୁଇ ବର୍ଷ ଧରି ଅପେକ୍ଷା କରିଥିଲେ। ଏଭଳି ପରିସ୍ଥିତିରେ ରାଧେ ଶ୍ୟାମ ରିଲିଜ୍ ହେବାର ପ୍ରଥମ ଦିନରେ ଏକ ବଡ଼ ବମ୍ପର ଇନକମ୍ କରିଛି। ଏହି ଫିଲ୍ମଟି ଆଲିଆ ଭଟ୍ଟଙ୍କ ‘ଗଙ୍ଗୁବାଇ କାଠିଆୱାଡି’ ଏବଂ ବିନୋଦ ଅଗ୍ନିହୋତ୍ରୀଙ୍କ ‘କାଶ୍ମୀର ଫାଇଲ’ ସହିତ ବକ୍ସ ଅଫିସରେ ଟକ୍କର ଚଲାଇଛି।
ବକ୍ସ ଅଫିସ୍ ଇଣ୍ଡିଆ ଡଟ୍ କମ୍ ଅନୁଯାୟୀ, ଫିଲ୍ମ ରାଧେ ଶ୍ୟାମ ପ୍ରଥମ ଦିନରେ ପ୍ରାୟ ୭ରୁ ୮କୋଟି ବ୍ୟବସାୟ କରିଛି। ସେଥିମଧ୍ୟରୁ କେବଳ ହିନ୍ଦୀରେ ପ୍ରାୟ ସାଢେ ୪ କୋଟି କଲେକସନ୍ କରିଛି। ପ୍ରଥମ ଦିନରେ ଦକ୍ଷିଣ ଭାରତୀୟ ଥିଏଟର ବ୍ୟତୀତ ମହାରାଷ୍ଟ୍ରରେ ଦର୍ଶକଙ୍କ ଖଚାଖଚ୍ ଭିଡ ଦେଖିବାକୁ ମିଳିଛି। ତେବେ ୱିକେଣ୍ଡରେ ଫିଲ୍ମ ଭଲ ଆୟ କରିବ ବୋଲି ଫିଲ୍ମ ସମୀକ୍ଷକମାନେ ଆଶା ରଖିଛନ୍ତି। କିନ୍ତୁ ରାଧେ ଶ୍ୟାମ ସହିତ ଗୋଟିଏ ଦିନରେ ରିଲିଜ ହୋଇଥିବା ବିନୋଦ ଅଗ୍ନିହୋତ୍ରୀଙ୍କ ‘କାଶ୍ମୀର ଫାଇଲ’ ଫିଲ୍ମ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଛି।
୧୯୭୦ ଦଶକକୁ ଧ୍ୟାନରେ ରଖି ପିରିୟଡ ଡ୍ରାମା ଫିଲ୍ମ ‘ରାଧେ ଶ୍ୟାମ’ର ଅଧିକାଂଶ ଅଂଶ ୟୁରୋପରେ ସୁଟିଂ କରାଯାଇଛି। ପ୍ରାୟ ୩୫୦ କୋଟି ବଜେଟରେ ଏହି ଫିଲ୍ମ ରିଲିଜ ପୂର୍ବରୁ ପ୍ରାୟ ୧୦ କୋଟି ଆୟ କରିଥିବା ଦାବି କରାଯାଉଛି। ପ୍ରଭାସ ଏବଂ ପୂଜା ହେଗଡେଙ୍କ ଏହା ପ୍ରଥମ ଫିଲ୍ମ। ଏହି ଦୁଇ ଷ୍ଟାରଙ୍କ ବ୍ୟତୀତ ସଚିନ ଖେଡେକର, ମୁର୍ଲି ଶର୍ମା, କୁନାଲ ରୟ କାପୁର, ଶଶା ଛେତ୍ରୀ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ରାଧେ ଶ୍ୟାମ ମାଧ୍ୟମରେ ‘ମେନେ ପ୍ୟାର୍ କ୍ୟା’ ଅଭିନେତ୍ରୀ ଭାଗ୍ୟଶ୍ରୀ କମବ୍ୟାକ କରିଛନ୍ତି। ପ୍ରଭାସଙ୍କ ମାମୁଁ କୃଷ୍ଣ ରାଜୁ ମଧ୍ୟ ଏହି ଫିଲ୍ମରେ ଏକ କ୍ୟାମୋ ଭୂମିକାରେ ନଜର ଆସିଛନ୍ତି।
ଗୁଲଶାନ କୁମାର ଏବଂ ଟି-ସିରିଜ୍ ‘ରାଧେ ଶ୍ୟାମ’କୁ ୟୁଭି କ୍ରିଏସନ୍ ପ୍ରଡକ୍ସନ୍ ପ୍ରସ୍ତୁତ କରିଛନ୍ତି। ଏହି ଫିଲ୍ମଟି ରାଧା କୃଷ୍ଣ କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ କୋଟାଗିରି ଭେଙ୍କଟେଶ୍ୱର ରାଓଙ୍କ ଦ୍ୱାରା ସମ୍ପାଦିତ ହୋଇଛି। ପ୍ରଭାସ, ପୂଜା ହେଗଡେ, ଭାଗ୍ୟଶ୍ରୀ ଏବଂ ଜଗପତି ବାବୁ ‘ରାଧେ ଶ୍ୟାମ’ରେ ମୁଖ୍ୟ ଭୂମିକାରେ ଥିବାବେଳେ ଫିଲ୍ମର ବଜେଟ୍ ୩୫୦ କୋଟି ଟଙ୍କା ବୋଲି କୁହାଯାଉଛି। କିଛି ସିନେ ସମୀକ୍ଷକଙ୍କ ଅନୁସାରେ ରାଧେ ଶ୍ୟାମ ଚଳିତ ବର୍ଷର ଏକ ଭଲ ଓପନର। କିନ୍ତୁ ପ୍ରଭାସଙ୍କ ସାହୋ (୨୫ କୋଟି) ତୁଳନାରେ ଏହା ପ୍ରଥମ ଦିନରେ ବହୁତ କମ ଆୟ କରିଛି।
ସେପଟେ ବକ୍ସ ଅଫିସରେ ଦକ୍ଷିଣ-ଉତ୍ତର ଫିଲ୍ମ ଇଣ୍ଡଷ୍ଟ୍ରୀ ମଧ୍ୟରେ ସଙ୍ଘର୍ଷ ଆରମ୍ଭ ହୋଇଯାଇଛି। ଅଗ୍ନିହୋତ୍ରୀଙ୍କ ‘କାଶ୍ମୀର ଫାଇଲ’ ଓ ପ୍ରଭାସଙ୍କ ରାଧେ ଶ୍ୟାମ ଗୋଟିଏ ଦିନରେ ରିଲିଜ ହୋଇଛି। କାଶ୍ମୀର ଫାଇଲ ମଧ୍ୟ ପ୍ରଥମ ଦିନରେ ହିଟ୍ ସାବ୍ୟସ୍ତ ହୋଇଛି। ଏହା ସୀମିତ ସଂଖ୍ୟକ ୭୦୦ ସ୍କ୍ରୀନରେ ରିଲିଜ ହୋଇଛି। ପ୍ରଥମ ଦିନରେ ଫିଲ୍ମ ୩.୨୫ କୋଟି ଟଙ୍କା ଆୟ କରିଛି।
